ରାଜସ୍ଥାନରେ କରୋନାର ୩ୟ ତରଙ୍ଗ ! ୨ ଜିଲାରେ ୬ ଶିଶୁ ସଂକ୍ରମିତ

ଜୟପୁର: କରୋନା ମହାମାରୀର ୨ୟ ତରଙ୍ଗରେ ସାରା ଦେଶ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ସ୍ଥିତିରେ ୩ୟ ତରଙ୍ଗର ଆଶଙ୍କା ଚିନ୍ତାର ବିଷୟ ପାଲଟିଛି। କାରଣ ଏହି ତରଙ୍ଗରେ ସବୁଠୁ ବେଶୀ ପ୍ରଭାବିତ ହେବେ ଶିଶୁ। ରାଜସ୍ଥାନର ୨ଟି ଜିଲାରେ ଶିଶୁମାନେ ଦ୍ରୁତଗତିରେ କରୋନାରେ ସଂକ୍ରମିତ ହେଉଥିବା ନଜର ଆସିଛି। ଦୌସା ଏବଂ ଡୁଙ୍ଗରପୁର ଜିଲାରେ ୬୦୦ରୁ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହେବା ପରେ ୩ୟ ତରଙ୍ଗକୁ ନେଇ ଆତଙ୍କ ସୃଷ୍ଟି ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଦୌସା ଜିଲାରେ ମେ ୧ରୁ ୨୧ ତାରିଖ ମଧ୍ୟରେ ୧୮ ବର୍ଷରୁ କମ୍‌ ୩୪୧ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଡୁଙ୍ଗରପୁର ଜିଲାରେ ବି ଅନୁରୂପ ସ୍ଥିତି। ଏଠାରେ ମେ ୧୨ରୁ ୧୮ ତାରିଖ ମଧ୍ୟରେ ୨୫୫ ପିଲା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି।

ତେବେ ଡୁଙ୍ଗରପୁର ଜିଲାପାଳ ସୁରେଶ କୁମାର ଓଲା କହିଛନ୍ତି, ତାଙ୍କ ଜିଲାରେ ପିଲାମାନେ ସାମାନ୍ୟ ଭାବେ ସଂକ୍ରମିତ ହେଉଛନ୍ତି। ପିଲାଙ୍କ ମା-ବାପା ସଂକ୍ରମିତ ହେଉଥିବାରୁ ସେମାନେ ଆକ୍ରାନ୍ତ ହେଉଛନ୍ତି। ସଂଖ୍ୟା ବି ବହୁତ କମ୍‌ ରହିଛନ୍ତି। କିନ୍ତୁ ଜିଲାପାଳଙ୍କ ଏହି କଥାକୁ ମୁଖ୍ୟ ଚିକିତ୍ସା ଅଧିକାରୀ ଖାରଜ କରିଛନ୍ତି। ଡୁଙ୍ଗରପୁର ମୁଖ୍ୟ ଚିକିତ୍ସା ଅଧିକାରୀ ରାଜେଶ ଶର୍ମା କହିଛନ୍ତି, ଗତ ୧୦ ଦିନ​‌ରେ ୨୫୦ରୁ ଅଧିକ ପିଲା ସଂକ୍ରମିତ ହୋଇଛନ୍ତି। ମାତ୍ର ଖୁସିର ଖବର ଏହା ଯେ କୌଣସି ପିଲାଙ୍କର ଏଯାଏ ମୃତ୍ୟୁ ଘଟିନାହିଁ। କିନ୍ତୁ ବିପଦ ସବୁବେଳେ ବିପଦ ହୋଇଥାଏ। କରୋନା ଏପରି ରୋଗ, ଯାହାଦ୍ବାରା କାହାକୁ କେତେବେଳେ କ’ଣ ହୋଇଯିବ ତାହା କୁହାଯାଇପାରି ନାହିଁ ବୋଲି ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ, ବୈଜ୍ଞାନିକମାନେ ପୂର୍ବରୁ କରୋନାର ୩ୟ ତରଙ୍ଗକୁ ନେଇ ସତର୍କ କରାଇ ସାରିଛନ୍ତି। ଏହି ତରଙ୍ଗରେ ପିଲାମାନେ ସବୁଠୁ ବେଶୀ ପ୍ରଭାବିତ ହେବେ​‌ ବୋଲି ଚେତାବନୀ ଦେଇଛନ୍ତି। ତେଣୁ ରାଜସ୍ଥାନର ୨ଟି ଜିଲାରେ ୬୦୦ରୁ ଅଧିକ ପିଲା ସଂକ୍ରମିତ ହେବା ଘଟଣା ସାରା ଦେଶ ପାଇଁ ସତର୍କ ଘଣ୍ଟି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Comments are closed.