କରୋନା ଛାୟା ଦକ୍ଷିଣ କୋରିଆ ନିର୍ବାଚନ; ୨୮ ବର୍ଷରେ ସବୁଠୁ ଅଧିକ ମତଦାନ

ସିଓଲ: ସାରା ପୃଥିବୀରେ ଏବେ କରୋନାର କଳା ଛାୟା । ଦକ୍ଷିଣ କୋରିଆ ବି ଏଥିରୁ ବାଦ ପଡ଼ି ନାହିଁ । ଏହି ଦେଶରେ ୧୦ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି । ୨୨୯ ଜଣ ମୃତ୍ୟୁ ବରଣ କରିଥିବା ମଧ୍ୟ ରିପୋର୍ଟ ମିଳିଛି । ଏହା ସତ୍ତ୍ବେ ଧାର୍ଯ୍ୟ ସମୟରେ ଦେଶରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ବନ୍ଦ ହୋଇନାହିଁ । ଏକ ମିଟର ଲେଖାଏଁ ବ୍ୟବଧାନ ରଖି ଲୋକମାନେ  ମାସ୍କ ଓ ଗ୍ଲୋଭସ୍ ପିନ୍ଧି ଭୋଟ ଦେଇଛନ୍ତି । ସବୁଠାରୁ କୌତୂହଳର ବିଷୟ ହେଉଛି ଗତ ୨୮ ବର୍ଷ ମଧ୍ୟରେ ଦକ୍ଷିଣ କୋରିଆରେ ରେକର୍ଡ଼ ମତଦାନ ହୋଇଛି ଏବଂ ୬୨%ରୁ ଅଧିକ ଜନସାଧାରଣ ଭୋଟ ଦେଇଛନ୍ତି । ୧୯୯୨ ମସିହାରେ ସର୍ବାଧିକ ୬୬.୨% ମଦଦାନ ହାର ରହିଥିଲା । ଏହାପରେ ଏତେ ସଂଖ୍ୟକ ଲୋକ କେବେ ଭୋଟ ଦେଇ ନାହାନ୍ତି ।

ପୁଣିଥରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ ମୁନ୍ ଜୋ

୩୦୦ ଆସନ ବିଶିଷ୍ଟ ପାର୍ଲାମେଣ୍ଟରେ ରାଷ୍ଟ୍ରପତି ମୁନ୍ ଜୋଙ୍କ ଡ଼େମୋକ୍ରାଟିକ୍ ପାର୍ଟି ୧୬୩ ଆସନ ଲାଭ କରିଛି ଓ ତାଙ୍କର ସହଯୋଗୀ ଦଳଗୁଡ଼ିକ ୧୭ଟି ଆସନ ପାଇଛନ୍ତି । ଅପରପକ୍ଷରେ ବିରୋଧୀ ୟୁନାଇଟେଡ଼୍ ଫ୍ୟୁଚର ପାର୍ଟିକୁ ୧୦୩ଟି ଆସନ ମିଳିଛି ।

କରୋନା ସଂକ୍ରମଣ କାଳରେ ଏହି ଭୋଟଦାନକୁ କିଛି ପାଶ୍ଚାତ୍ୟ ଦେଶ ନାପସନ୍ଦ କରିଛନ୍ତି । ଏକ ସମୟରେ ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାରା ବିଶ୍ବରେ ଚୀନ୍ ପରେ ଦ୍ବିତୀୟ ସ୍ଥାନରେ ରହିଥିଲା । ମାତ୍ର ଦକ୍ଷିଣ କୋରିଆ ସରକାରଙ୍କ ସକାରାତ୍ମକ ପଦକ୍ଷେପ ଓ ସାମାଜିକ ଦୂରତ୍ବର କଠୋର ଅନୁପାଳନ ପରେ ଏହା ଯଥେଷ୍ଟ ହ୍ରାସ ପାଇଛି । ଗୁରୁବାର ସାରା ଦେଶରେ ମାତ୍ର ୨୨ଟି ନୂତନ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । କ୍ରମାନ୍ବୟରେ ୪ର୍ଥ ଦିନ ପାଇଁ ଗୋଟିଏ ଦିନରେ ୩୦ରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ନିୟନ୍ତ୍ରଣ କ୍ଷେତ୍ରରେ ରାଷ୍ଟ୍ରମତି ମୁନଙ୍କ ପଦକ୍ଷେପ ବେଶ୍ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । ତେବେ ନିର୍ବାଚନକାଳରେ କରୋନା ସଂକ୍ରମଣ ଆଶଙ୍କାରେ ପ୍ରାୟ ୧୩ହଜାର ଲୋକ ସ୍ବଇଚ୍ଛାରେ ସଂଗରୋଧ (କ୍ବାରେଣ୍ଟାଇନ)ରେ ରହିଥିବା ସୂଚନା ମିଳିଛି ।

Comments are closed.