୨୦୧୯ସାଧାରଣ ନିର୍ବାଚନରେ ଏହି ଦଳ ନେବେ ନିର୍ଣ୍ଣାୟକ ଭୂମିକା

0

ନୂଆଦିଲ୍ଲୀ: କିଛି ଦିନ ତଳେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ୨୦୧୯ ସାଧାରଣ ନିର୍ବାଚନରେ କୌଣସି ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ପାରିବେ ନାହିଁ। ୟୁପିଏ କିମ୍ବା ଏନଡିଏରେ ସାମିଲ ନ ଥିବା ରାଜନୈତିକ ଦଳ ହିଁ ଆଗାମୀ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।
ଇଣ୍ଡିଆ ଟୁଡେ ପକ୍ଷରୁ ୯୭ଟି ସଂସଦୀୟ କ୍ଷେତ୍ର ଓ ୧୯୭ଟି ବିଧାନସଭା କ୍ଷେତ୍ରରେ ଏହି ସର୍ବେକ୍ଷଣ କରାଯାଇଥିଲା। ଏଥିରେ ୧୨,୧୦୦ ନାଗରିକ ଭାଗ ନେଇଥିଲେ। ୧୮ଜୁଲାଇ ୨୦୧୮ରୁ ୨୯ଜୁଲାଇ ୨୦୧୮ ମଧ୍ୟରେ ଅନୁଷ୍ଠିତ ଏହି ସର୍ବେକ୍ଷଣରେ ଭୋଟରଙ୍କ ମାନସିକତା ଓ ଭାରତୀୟ ରାଜନୈତିକ ସ୍ଥିତିର ରୂପରେଖ ପରିପ୍ରକାଶ ହୋଇଥିବା କୁହାଯାଉଛି।
ଉକ୍ତ ସର୍ବେକ୍ଷଣ ଅନୁଯାୟୀ ଆଗାମୀ ନିର୍ବାଚନରେ ୫୪୩ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୨୪୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ୨୦୧୪ ନିର୍ବାଚନରେ ବିଜେପିକୁ ୨୮୨ଟି ଆସନ ମିଳିଥିଲା। ଏହାକୁ ତର୍ଜମା କଲେ ୩୭ଟି ଆସନ କମିବାର ସମ୍ଭାବନା ଦେଖା ଦେଇଛି। ସର୍ବେକ୍ଷଣ ଅନୁଯାୟୀ କଂଗ୍ରେସ ୮୩ଟି ଆସନରେ ବିଜୟୀ ହେବ। ବିଗତ ଲୋକସଭା ନିର୍ବାଚନରେ ଦଳକୁ ମାତ୍ର ୪୪ଟି ଆସନ ମିଳିଥିଲା। ଏହାକୁ ତର୍ଜମା କଲେ କଂଗ୍ରେସ ଆଗାମୀ ନିର୍ବାଚନରେ ୩୯ଟି ଅଧିକ ଆସନ ଜିତିବାର ସମ୍ଭାବନା ରହିଛି।
ଏନଡିଏକୁ ୨୮୧ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ୟୁପିଏର ଆସନ ସଂଖ୍ୟା ୧୨୨ଟି ଆସନରେ ସୀମିତ ରହିବ ବୋଲି ଅନୁମାନ କରାଯାଉଛି। ଅନ୍ୟାନ୍ୟ ସହଯୋଗୀ ଦଳଗୁଡ଼ିକୁ ୧୪୦ଟି ଆସନ ମିଳିବ ବୋଲି ଆଶା ରହିଛି।
କିନ୍ତୁ ଯଦି ସମାଜବାଦୀ ପାର୍ଟର୍ି, ବହୁଜନ ସମାଜ ପାର୍ଟି, ତୃଣମୂଳ କଂଗ୍ରେସ, ଟିଡିପି ଓ ପିଡିପି ପରି ଦଳ ଆଗାମୀ ନିର୍ବାଚନରେ ୟୁପିଏ ମେଣ୍ଟରେ ସାମିଲ ହୁଅନ୍ତି ତେବେ ଆସନ ସଂଖ୍ୟା ଦୃଷ୍ଟିରୁ ୟୁପିଏ ଓ ଏନଡିଏ ମଧ୍ୟରେ ଖୁବ୍‍ ଅଳ୍ପ ବ୍ୟବଧାନ ରହିବ। ଏଭଳି କ୍ଷେତ୍ରରେ ଏନଡିଏକୁ ୨୫୫ଟି ଆସନ ମିଳୁଥିବାବେଳେ ୟୁପିଏକୁ ୨୪୨ଟି ଆସନ ମିଳିବାର ସମ୍ଭାବନା ରହିଛି। ଏଭଳି କ୍ଷେତ୍ରରେ ମଧ୍ୟ ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ପାଖରେ ୪୬ଟି ଆସନ ରହିବ।
ସର୍ବେର୍କ୍ଷଣକୁ ଅଧିକ ତର୍ଜମା କଲେ ଦେଶର ସରକାର ଗଠନ କ୍ଷେତ୍ରରେ ଆଗାମୀ ନିର୍ବାଚନରେ ଆଞ୍ଚଳିକ ଦଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି। ଯେଉଁ ଆଞ୍ଚଳିକ ଦଳ କୌଣସି ମେଣ୍ଟରେ ନିଜକୁ ସାମିଲ କରୁ ନାହାନ୍ତି ସେମାନେ ହିଁ ୨୦୧୯ରେ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି। ସେମାନଙ୍କ ମଧ୍ୟରୁ ବିଜେଡି, ଟିଆରଏସ, ଏଆଇଡିଏମକେ, ୱାଇଆରଏସ କଂଗ୍ରେସ ପରି ଆଞ୍ଚଳିକ ଦଳର ସମର୍ଥନ କେନ୍ଦ୍ରରେ ସରକାର ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏନଡିଏ ଅଥବା ୟୁପିଏ ମଧ୍ୟରୁ ଯେଉଁ ମହାମେଣ୍ଟ ଏହି ଆଞ୍ଚଳିକ ଦଳକୁ ନିଜ ସହ ସାମିଲ କରିବାରେ ସଫଳ ହେବେ ସେହି ମହାମେଣ୍ଟ ହିଁ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିବ। ସର୍ବେକ୍ଷଣ ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଏହି ଦଳଗୁଡ଼ିକକୁ ୪୬ଟି ଆସନ ମିଳିବ। ଏହି ୪୬ସଂଖ୍ୟା ହିଁ ଆଗାମୀ ନିର୍ବାଚନ ଅଙ୍କକଷାକୁ ଓଲଟପାଲଟ କରିଦେବ।

Leave A Reply