ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ଚୌହାନ ବଂଶର ସ୍ମାରକୀ ; ଜରାଜୀର୍ଣ୍ଣ ଅବସ୍ଥାରେ ଖିଣ୍ଡାର ରାଧାକୃଷ୍ଣ ମନ୍ଦିର

ରେଙ୍ଗାଲି(ହରିହର ନାଥ) : ସରକାର ପୁରାତନ କିର୍ତ୍ତୀରାଜି ତଥା ଐତିହ ଗୁଡିକର ସୁରକ୍ଷା ପାଇଁ ବଦ୍ଧ ପରିକର ବୋଲି ବିଭିନ୍ନ ସମୟରେ କହି ଆସୁଛନ୍ତି। ପ୍ରତିବର୍ଷ  ଅପ୍ରେଲ୍ ମାସ ୧୫ ତାରିଖ ଦିନ ବିଶ୍ୱ ଐତିହ ଦିବସ ମଧ୍ୟ ପାଳିତ ହେଉଛି। ଏହି ଅବସରରେ  ବଡବଡ ସଭାସମିତି ଅନୁଷ୍ଠିତ ହୋଇ ପ୍ରାଚିନ ଐତିହ ଏବଂ କିର୍ତ୍ତୀରାଜିର ସୁରକ୍ଷା ପାଇଁ ଭାଷଣ ବାଜି ହେଉଛି। କିନ୍ତୁ  କାର୍ଯ୍ୟତଃ ଏହାର ଠିକ୍ ଓଲଟା ହେଉଥିବାର ଦେଖାଯାଉଛି। ସମ୍ବଲପୁର ଜିଲ୍ଲାରେ ଥିବା ଅନେକ ପ୍ରାଚୀନ ଐତିହାସିକ କିର୍ତ୍ତୀର ସରକାରୀ ଅବହେଳା ଯୋଗୁଁ ସ୍ମୃତି ଗର୍ଭରେ ବିଲୀନ ହେବା ଅବସ୍ଥାରେ ରହିଥିବାର ଦେଖିବାକୁ ମିଲୁଛି। ବିପ୍ଲବୀ ବୀର ସୁରନ୍ଦ୍ର ସାଏଙ୍କ ଜନ୍ମ ମାଟି ବୋଲି କୁହାଯାଉଥିବା ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମରେ ଜରାଜୀର୍ଣ୍ଣ ସ୍ଥିତିରେ ପଡିଥିବା ଚୌହାନ ବଂଶର ସ୍ମାରକୀ ରାଧାକୃଷ୍ଣ ମନ୍ଦିର ଏହାର ଜ୍ୱଳନ୍ତ ଉଦାହରଣ। ଖୋଦ୍ ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀଙ୍କ ସର୍ବସାଧାରଣ ଉପସ୍ଥିତ ଥିବା ସଭାରେ ୨୦୧୧ ମସିହା ଫେବୃଆରୀ ୨୦ ତାରିଖ ଦିନ ଏହି ମନ୍ଦିରକୁ ଚୌହାନ ବଂଶର ସ୍ମାରକୀ ରୂପେ ସଂରକ୍ଷିତ କରି ରଖାଯିବାକୁ କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ ଘୋଷଣା ଶୀତଳ ଭଣ୍ଡାରରେ ପଡିଛି।

ସୂଚିତ ଯେ ୨୦୧୧ ମସିହା ଫେବୃଆରୀ ୨୦ ତାରିଖ ଦିନ ତତ୍କାଳିନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଖିଣ୍ଡା ଗାଁ କୁ ସୁରେନ୍ଦ୍ର ସାଏଙ୍କ ସ୍ମୃତି ଭବନ ଉଦ୍‌ଘାଟନ କରିବାକୁ ଆସିଥିବା ବେଳେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ରାଧାକୃଷ୍ଣ ମନ୍ଦିରକୁ ଚୌହାନ ବଂଶର ସ୍ମାରକୀ ରୂପେ ସଂରକ୍ଷିତ କରି ରଖାଯିବ ବୋଲି ଘୋଷଣା କରିଥିଲେ। ତେବେ ବିଡମ୍ବନା ର ବିଷୟ ଯେ ମନ୍ତ୍ରୀଙ୍କ ଘୋଷଣାର ୬ବର୍ଷ ବିତିଗଲାଣି କିନ୍ତୁ ସ୍ମାରକୀ ର ସଂରକ୍ଷଣ ପାଇଁ କୌଣସି ପ୍ରାରମ୍ଭିକ କାମ ଆରମ୍ଭ ହୋଇନାହିଁ। ଉଲ୍ଲେଖେଯାଗ୍ୟ ଯେ, ପରିତ୍ୟକ୍ତ ହୋଇ ପଡିଥିବା ପ୍ରାଚିନ କାରୁକାର୍ଯ୍ୟ ବିମଣ୍ଡିତ କଳା ନୈପୁଣ୍ୟତାରେ ଭରପୁର ଥିବା ଏହି ମନ୍ଦିର ୧୯୪୧ ମସିହାରେ ସୁରେନ୍ଦ୍ର ସାଏଙ୍କ ବଂଶର କୂଳବଧୂ ରମାକୁମାରୀ ସାଏ ନିର୍ମାଣ କାରାଇଥିଲେ। ରମା କୁମାରୀ ସୁରେନ୍ଦ୍ର ସାଏଙ୍କ ତୃତୀୟଭ୍ରାତା ଧ୍ରୁବ ସାଏଙ୍କ ନାତି ବିଶ୍ୱନାଥ ସାଏଙ୍କ ପତ୍ନୀ ଅଟନ୍ତି। ବିଶ୍ୱନାଥ ସାଏ ଏବଂ ରମାକୁମାରୀଙ୍କ କୌଣସି ସନ୍ତାନ ସନ୍ତତି ନଥିବା ହେତୁ ଖିଣ୍ଡାରେ ବିଭିନ୍ନ ପ୍ରକାର ପ୍ରାଚୀନ କାରୁକାର୍ଯ୍ୟ ବିମଣ୍ଡିତ ଥିବା ଏକ ଭବ୍ୟ ମନ୍ଦିର ନିର୍ମାଣ କରାଇଥିଲେ। ସେ ସମୟରେ ଏଭଲି କାରୁକାର୍ଯ୍ୟ ଥିବା ମନ୍ଦିର ଅଞ୍ଚଳରେ ନଥିଲା ବୋଲି କୁହାଯାଏ। ବର୍ତ୍ତମାନ ଅବ୍ୟବହୃତ ଓ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏହି ମନ୍ଦିର ସମ୍ନାରେ ଏବେ ମଧ୍ୟ ଗରୁଡସ୍ତମ୍ଭ ବିଦ୍ୟମାନ ଅଛି। ମୁଖ୍ୟ ଦେଉଳଟି ପ୍ରାୟ ୨୫ ରୁ ୩୦ହାତ ଉଚ୍ଚ ଏବଂ ଗୋଲେଇ ପ୍ରାୟ ୫୦ହାତ ହେବ। ଠିକ୍ ସେହିପରି ଜଗମୋହନ ର ଦୈର୍ଘ୍ୟ ୨୧ ଫୁଟ ଓ ପ୍ରସ୍ଥ ୧୮ ଫୁଟ ଥିବାବେଳେ ଗର୍ଭ ଗୃହର ଦୈର୍ଘ୍ୟପ୍ରସ୍ଥ ପ୍ରାୟ ୯ଫୁଟ ଲେଖାଏଁ ଅଛି। ମନ୍ଦିରଟି ପ୍ରାଚୀନ ରେଖା ଶୈଳିରେ ନିର୍ମିତ ହୋଇଥିବାର ଦେଖିବାକୁ ଦେଖିବାକୁ ମିଳେ। ଗର୍ଭଗୃହ ର ବାଟରେ ପଥର ତିଆରି ପୈକାଠ ଲାଗିଥିବା ବେଳେ ରାଧାକୃଷ୍ଣଙ୍କ ବସିବା ପାଇଁ ନିର୍ମିତ ସିଂହାସନର ପଛପଟେ କଦମ୍ବ ଗଛ ଆକୃତି ର ସୁନ୍ଦର କାରୁକାର୍ଯ୍ୟ କରାଯାଇଥିବା ଚିତ୍ର ଏବେ ବି ବିଦ୍ୟମାନ। ଗର୍ଭଗୃହ ର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଚୂନ ଏବଂ ରଙ୍ଗ ଏବେ ମଧ୍ୟ ସତେଜ ରହିଥିବାର ଦେଖିବାକୁ ମିଳୁଛି। ଯାହାକି ଆଶ୍ଚର୍ଯ୍ୟଜନକ ଅଟେ। ଚୂନ, ସିମେଣ୍ଟ, ପଳସ୍ତରାରେ ତିଆରି ହୋଇଥିବା କଦମ୍ବ ଗଛମୂଳ ରେ ବସିଛନ୍ତି ବଂଶିଧାରୀ ଶ୍ରୀକୃଷ୍ଣ , ଦୁଇପାର୍ଶ୍ବରେ ଦୁଇଟି ମୟୂର। ପ୍ରତିବର୍ଷ ଏହି ରାଧାକୃଷ୍ଣ ମନ୍ଦିରରେ ପ୍ରସିଦ୍ଧ ଝୁଳଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେଉଥିଲା। ଯାତ୍ରା ଦେଖିବାକୁ  ପ୍ରବଳ ଜନଗହଳି ହେଉଥିଲା ବୋଲି କହନ୍ତି  ଅଞ୍ଚଳର ପୁରଖା ଲୋକେ। ତେବେ ହୀରାକୁଦ ନଦୀବନ୍ଧ ଯୋଜନାରେ ଖିଣ୍ଡା ଗ୍ରାମର ଅଧାରୁ ଅଧିକ ଜଳମଗ୍ନ ହୋଇଗଲା। ସେତେବେଳେ ଏହି ମନ୍ଦିରରେ ପୂଜା ପାଉଥିବା ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିଙ୍କୁ ମନ୍ଦିର ନିର୍ମାଣକାରୀ ରମାକୁମାରୀ ସାଏ ପୁରୀ କୁ ନେଇ ଛାଡି ଆସିଥିଲେ। ମନ୍ଦିର ବାବଦକୁ ସେତେବେଳେ ରମାକୁମାରୀ ସାଏଙ୍କୁ ୨୨,୦୦୦ ଟଙ୍କା ମିଳିଥିଲା ବୋଲି ସୁରେନ୍ଦ୍ରସାଏଙ୍କ ଅଣନାତି ଲାଲ ଫକିର ସାଏ କହନ୍ତି। ଜଳଭଣ୍ଡାରରେ ବୁଡିଯାଇଥିଲେ ମଧ୍ୟ ମନ୍ଦିରରେ ଲାଗିଥିବା ଚୂନ ଓ ରଙ୍ଗ ଏବେ ମଧ୍ୟ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଚୌହାନ ବଂଶ ର ସ୍ମୃତି ଓ ସ୍ମାରକୀ ତଥା ଏକଦା ଅଞ୍ଚଳବାସୀଙ୍କ ଆସ୍ଥାର ଆଧାର ରୂପେ ବିବେଚିତ ହେଉଥିବା ଏହି ମନ୍ଦିର ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହାର ପ୍ରତିବଦଳରେ ଆଉ ନୂତନ ମନ୍ଦିର ନିର୍ମାଣ ହୋଇ ନାହିଁ। ଯାଫଳରେ ଖିଣ୍ଡାରେ ଆଉ ଝୁଲଣ ଯାତ୍ରାମଧ୍ୟ ହେଉ ନାହିଁ। ପ୍ରାଚୀନ ଅଧ୍ୟାତ୍ମିକ ପରମ୍ପରାର ମୁକସାକ୍ଷୀ ରୂପେ ହିରାକୁଦ ଜଳଭଣ୍ଡାର ପାର୍ଶ୍ବରେ ଦଣ୍ଡାୟମାନ ଥିବା ଏହି ରାଧାକୃଷ୍ଣ ମନ୍ଦିରର ପୁନଃରୁଦ୍ଧାର  ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ବି ସରକାର ଏଦିଗ ରେ କୌଣସି ପଦକ୍ଷେପ ନେଉ ନ ଥିବା ବିଡମ୍ବନାର ବିଷୟ। ଖାଲି ପ୍ରତିଶ୍ରୁତି ଏବଂ ଘୋଷଣାରେ ଲୋକଙ୍କୁ ଭୁଆଁ ବୁଲେଇ ଦିଆଯାଉଛି ବୋଲି ସ୍ଥାନୀୟଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଚୌହାନ ବଂଶର ସ୍ମାରକୀ ତଥା ଖିଣ୍ଡା ଅଞ୍ଚଳବାସୀଙ୍କ ଅତୀତ ସ୍ମୃତି ର ସ୍ୱାକ୍ଷର ବହନ କରୁଥିବା ଏହି ମନ୍ଦିରଟି ସ୍ମୃତି ର ଗର୍ଭ ରେ ଧ୍ୱଂସ ହୋଇଯିବା ପୂର୍ବରୁ ସଂରକ୍ଷିତ କରି ରଖିବା ଦିଗରେ ଫଳପ୍ରସୂ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।

Comments are closed.