ମାସିକ ‘ଟାର୍ଗେଟ୍‌’ ପ୍ରେସର – ଅଜାଣତରେ କଟୁଛି ଇ-ଚାଲାଣ

କଟକ: କାର୍‌ ଚାଳକଙ୍କୁ ହେଲମେଟ୍‌ ପିନ୍ଧି ନ ଥିବା ଦର୍ଶାଇ କଟାଗଲା ଇ-ଚାଲାଣ। କାର୍‌ ମାଲିକଙ୍କ ଅଜାଣତରେ ବିଭାଗୀୟ ଆପ୍ସ (ପରିବହନ)ରେ ଇ-ଚାଲାଣ ଜୋରିମାନା ଅପ୍‌ଲୋଡ୍‌ ହେଲା। ଏପରିକି ଦ୍ରୁତଗତିରେ କାର୍‌ ଚଳାଉଥିବା ଅଭିଯୋଗରେ ଏକ ଜେସିବି ମେସିନ୍‌ର ଗାଡ଼ି ନମ୍ବର ନାଁରେ ତା’ର ମାଲିକଙ୍କୁ ଚାଲାଣ କଟାଯାଇ ଜୋରିମାନା କରାଗଲା। ପରିବହନ ଓ ଟ୍ରାଫିକ୍‌ର ଏଭଳି ଅନେକ ତ୍ରୁଟିପୂର୍ଣ୍ଣ ଚାଲାଣକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେଲା। ରାସ୍ତାକୁ ନ ଯାଇ, ଚେକିଂ ନ କରି, ସିସିଟିଭି ଫୁଜେଟ୍‌କୁ ନ ଦେଖି ଇ-ଚାଲାଣ ଦାୟିତ୍ବରେ ଥିବା କିଛି ଟ୍ରାଫିକ୍‌ ଅଧିକାରୀ କାର୍ୟ୍ୟାଳୟରେ ବସି ମନଇଚ୍ଛା ଯାହା ତାହା ନାଁରେ ଏଭଳି ଇ-ଚାଲାଣ କାଟୁଛନ୍ତି।

ଏଭଳି ଏକାଧିକ ଅଭିଯୋଗ ସଂପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଯାହାକୁ ସେମାନେ ପୂରଣ କରିବା ପାଇଁ ଏକପ୍ରକାର ବାଧ୍ୟ। ୩୧ ଅଗଷ୍ଟ ୨୦୧୯ରେ ଅତିରିକ୍ତ ପରିବହନ କମିସନର (ଏନ୍‌ଫୋର୍ସମେଣ୍ଟ)ଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଲେଖାଯାଇଥିବା ଚିଠି (ନଂ ଏକ୍ସଭିଆଇଆଇଆଇ -୦୪/୨୦୧୮୯୪୪୦/ଟିସି)ରେ କେଉଁ ଅଞ୍ଚଳ (ରିଜିଅନ)ରୁ କେଉଁକେଉଁ ନିୟମ ଉଲ୍ଲଙ୍ଘନ କଲେ ଅନ୍ତତଃ କେତେ ଇ-ଚାଲାଣ କଟାଯିବ, ତାହା ଦର୍ଶାଯିବା ସହ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ଚିଠିରେ ଭୁବନେଶ୍ବର-୨, ଚଣ୍ଡିଖୋଲ, ବାଲେଶ୍ବର, ଅନୁଗୋଳ ଓ ରାଉରକେଲା ପରିବହନ ଅଧିକାରୀମାନଙ୍କୁ ପ୍ରତି ମାସରେ ୨୮୦ଟି ଇ-ଚାଲାଣ କାଟିବାର ଟାର୍ଗେଟ୍ ଦିଆଯାଇଛି।

ସେହିପରି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଭଦ୍ରକ, ଢେଙ୍କାନାଳ, କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, ନୟାଗଡ଼, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର ଓ ତାଳଚେର ପାଇଁ ୨୬୦ଟି ଏବଂ ଦେବଗଡ଼, ସୋନପୁର, ଫୁଲବାଣୀ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ଗଜପତି, ନବରଙ୍ଗପୁର, ମାଲକାନଗିରି, ଭଞ୍ଜନଗର ଓ ନୂଆପଡ଼ା ପାଇଁ ୨୩୦ଟି ଇ-ଚାଲାଣର ଟାର୍ଗେଟ୍ ଦିଆଯାଇଛି। ପ୍ରଥମ ପାଞ୍ଚଟି ଅଞ୍ଚଳ (ରିଜିଅନ)ର ଟାର୍ଗେଟ୍‌ କଥା ଯଦି ଦେଖିବା, ତେବେ ପ୍ରତ୍ୟେକରୁ ମାସକୁ ଇ-ଚାଲାଣ ମାଧ୍ୟମରେ ଅନ୍ତତଃ ୧୨ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ୁଛି। ମଦପିଇ ଗାଡ଼ିଚାଳନା (୧୦ ହଜାର ଟଙ୍କା) ପାଇଁ ୧୫ଟି ଇ-ଚାଲାଣ, ଅଧିକ ବେଗ (୪ ହଜାର) ପାଇଁ ୫୦ଟି, ଗାଡ଼ିଚାଳନାବେଳେ ମୋବାଇଲ୍‌ ଫୋନ ବ୍ୟବହାର (୫ ହଜାର) ପାଇଁ ୧୫ଟି, ହେଲ୍‌ମେଟ୍‌ ବିନା ଗାଡ଼ିଚାଳନା (୧ ହଜାର) ପାଇଁ ୧୦୦ଟି, ସିଟ୍‌ବେଲ୍ଟ ନପିନ୍ଧି ଗାଡ଼ିଚାଳନା (୫ ହଜାର) ପାଇଁ ୧୫ଟି, ଜିନିଷପତ୍ର ପରିବହନ ପାଇଁ ବ୍ୟବହୃତ ଯାନରେ ଯାତ୍ରୀଙ୍କୁ ନେଉଥିଲେ (୫ ହଜାର) ପାଇଁ ୧୫ଟି, ଅତ୍ୟଧିକ ଓଜନ ନେଇ ଯାଉଥିଲେ (୨୦ ହଜାର) ପାଇଁ ୧୫ଟି, ବିପରୀତ ଦିଗରେ ଗାଡ଼ି ଚଳାଇଲେ (୫ ହଜାର) ପାଇଁ ୧୫ଟି ଓ ଅନ୍ୟାନ୍ୟ ଆଇନ ଉଲ୍ଲଙ୍ଘନ ପାଇଁ ୪୦ଟି ଇ-ଚାଲାଣ କାଟିବାର ଟାର୍ଗେଟ୍‌ ଦିଆଯାଇଛି।

ରାସ୍ତାରେ ଲୋକଙ୍କ ଗାଡ଼ି ନଗଡ଼ି ମନଇଚ୍ଛା ଇ-ଚାଲାଣ କାହିଁକି କଟାଯାଇଛି ବା କଟାଯାଉଛି, ତାହାର କାରଣ ପରିବହନ ଅଧିକାରୀମାନଙ୍କୁ ଦିଆଯାଇଥିବା ଏହି ଟାର୍ଗେଟ୍‌ (ଲକ୍ଷ୍ୟ) ବୋଲି ସହଜେ ଅନୁମେୟ। ଉପରୋକ୍ତ ଚିଠିରେ ସମସ୍ତ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏନ୍‌ଫୋର୍ସମେଣ୍ଟ)ଙ୍କୁ ଚେତାଇ ଦିଆଯାଇଛି ଯେ ସେମାନଙ୍କୁ ଦିଆଯାଇଥିବା ଲକ୍ଷ୍ୟ (ଟାର୍ଗେଟ୍‌) ସେମାନେ ହାସଲ କରିବା ଆବଶ୍ୟକ ଏବଂ ପ୍ରତି ମାସରେ ସେମାନଙ୍କ କାର୍ୟ୍ୟର ସମୀକ୍ଷା କରାଯିବ; ଅର୍ଥାତ ପରୋକ୍ଷରେ ଏଥିରେ କୁହାଯାଇଛି ଯେ ସେମାନେ ଲକ୍ଷ୍ୟ ହାସଲ କରିବା ନିହାତି ଜରୁରୀ, ନଚେତ୍ ସେମାନେ ଅସୁବିଧାରେ ପଡ଼ିପାରନ୍ତି। ତେଣୁ ସେମାନେ ନିଜର ଟାର୍ଗେଟ୍‌ ପୂରଣ ପାଇଁ ତ୍ରୁଟିପୂର୍ଣ୍ଣ ରାସ୍ତା ଆପଣାଇବା କିଛି ବିଚିତ୍ର ନୁହେଁ। ତେବେ ବିନା ଦୋଷରେ ଲୋକଙ୍କଠାରୁ କେବଳ ‘ଟାର୍ଗେଟ୍‌’ ହାସଲ ପାଇଁ ଜୋରିମାନା ଆଦାୟ କଲେ ପ୍ରକୃତ ସମସ୍ୟାର ସମାଧାନ ହେବନାହିଁ, ବରଂ ଜନସାଧାରଣ ଅଯଥା ହଇରାଣ ହରକତ ହେବେ।

Comments are closed.