ରାଜ୍ୟରେ ମୌସୁମି ଦୁର୍ବଳ

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ହୋଇଛି। ଆଗକୁ ୨/୩ଦିନ ପର୍ଯ୍ୟନ୍ତ ମୌସୁମି ବାୟୁ ଦୁର୍ବଳ ରହିପାରେ; କିନ୍ତୁ ଜୁଲାଇ ପ୍ରଥମ ସପ୍ତାହର ଶେଷ ବେଳକୁ ମୌସୁମି ସକ୍ରିୟ ହେବ ଓ ଦ୍ବିତୀୟ ସପ୍ତାହରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଆକଳନ କରି କହିଛନ୍ତି।

କେନ୍ଦ୍ରର ଆକଳନ ଅନୁଯାୟୀ, ପୂର୍ବ ଉତ୍ତର ପ୍ରଦେଶ, ଉତ୍ତରପୂର୍ବ ଆସାମ ସହ ବିହାର ଏବଂ ହିମାଳୟ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ନିମ୍ନଚାପ ରେଖା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ଅନୁଭୂତ ହୋଇପାରେ। ସତର୍କ ରହିବା ପାଇଁ ଉପରୋକ୍ତ ଜିଲାଗୁଡିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂତର୍କ ସୂଚନା ଜାରି କରାଯାଇଛି।

ଗୁରୁବାର ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କଟକ, କୋରାପୁଟ, ମାଲକାନଗିରି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡା, ବୌଦ୍ଧ, କୋରାପୁଟ ଏବଂ ମାଲକାନଗିରିର ଜିଲାର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରି କହିଛନ୍ତି ରାଜ୍ୟରେ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମି ଦୁର୍ବଳ ରହିଛି। ଏହି ଅବସ୍ଥା ଆଗକୁ ଜାରି ରହିବ। ଫଳରେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ।

Comments are closed.