ଦକ୍ଷିଣ ଆଣ୍ଡାମାନରେ ପହଞ୍ଚିଲା ମୌସୁମୀ; ଜୁନ ୬ରେ କେରଳ, ୩ୟ ସପ୍ତାହରେ ଓଡ଼ିଶା ଛୁଇଁପାରେ

ଥିରୁଭାନନ୍ତପୁରମ: ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶେଷରେ ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିଛି। ଶନିବାର ଅପରାହ୍ନ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସମୁଦ୍ର, ଦକ୍ଷିଣ ବଙ୍ଗୋପସାଗର ଏବଂ ଦ୍ବୀପପୁଞ୍ଜର କିଛି ଅଂଶକୁ ମୌସୁମୀ ବାୟୁ ଛୁଇଁଛି। ଫଳରେ ସେଠାରେ ଗତ ୨ଦିନ ହେବ ବର୍ଷା ଲାଗି ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାୟୁମଣ୍ଡଳର ନିମ୍ନ ସ୍ତରରେ ପଶ୍ଚିବା ବାୟୁ ପ୍ରାବହ ସୁଦୃଢ଼ ହୋଇଛି। ଘଣ୍ଟା ପ୍ରତି ୨୮ କିଲୋମିଟର ବେଗରେ ବାୟୁ ପ୍ରବାହିତ ହେଉଛି। ମୌସୁମୀ ବାୟୁର ଆଗମନ ପୂର୍ବରୁ ଗତ ବୁଧବାରଠାରୁ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ଲଗାତାର ବାଦଲ ଘୋଡ଼େଇ ରହୁଥିବା ଦେଖିବାକୁ ମିଳୁଛି। ଫଳରେ ଆଣ୍ଡାମାନ-ନିକୋବରର ବିଭିନ୍ନ ଅଞ୍ଚଳରେ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଜଣେ ଅଧିକାରୀ ସୁଦର୍ଶନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନରେ ବର୍ଷା ଆରମ୍ଭ ହୋଇଛି। ଆଗାମୀ ୨/୩ ମଧ୍ୟରେ ମୌସୁମୀ ବାୟୁ ଆଣ୍ଡାମାନ-ନିକୋବର ଅତିକ୍ରମ କରିବ। ଏହାଫଳରେ ସେଠାରେ ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବ୍ୟ ସମୟ ସମ୍ପର୍କରେ ସେ କହିଛନ୍ତି ଯେ, ଯେଉଁ ବେଗରେ ମୌସୁମୀ ବାୟୁ ଅଗ୍ରସର ହେଉଛି ତାହା ଆସନ୍ତା ଜୁନ୍‌ ୬ ସୁଦ୍ଧା କେରଳରେ ପହଞ୍ଚିଯିବ। ଯଦିଓ ଓଡ଼ିଶାରେ ଜୁନ ୧୦ରେ ମୌସୁମୀ ପହଞ୍ଚିବ ବୋଲି ଆଶା କରାଯାଉଛି, ତେବେ ଏଥିରେ ଗୋଟିଏ ସପ୍ତାହ ବିଳମ୍ବ ହୋଇପାରେ। ଜୁନ ୨ୟ କିମ୍ବା ୩ୟ ସପ୍ତାହରେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ସେ କହିଛନ୍ତି।

Comments are closed.