କେରଳ ଛୁଇଁଲା ମୌସୁମୀ; ୭ ଦିନରେ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା

ଥିରୁଭାନନ୍ତପୁରମ: ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶନିବାର କେରଳ ଛୁଇଁଛି। ମୌସୁମୀ ବାୟୁ ପ୍ରବେଶ କରିବା ପରେ ରାଜ୍ୟର ଉପକୂଳ ସମେତ ଅନ୍ୟ କେତେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେହିପରି ଓଡ଼ିଶାରେ ମୌସୁମୀ ପହଞ୍ଚିବା ଲାଗି ପାଖାପାଖି ୧୦ ଦିନ ସମୟ ଲାଗିଥାଏ। କିନ୍ତୁ ପାଗ ଅନୁକୂଳ ରହିଲେ ଆଗାମୀ ୭ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୧୫ ତାରିଖ ବେଳକୁ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ୧୩ ତାରିଖରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ କେରଳରେ ମୌସୁମୀ ଆଗମନ ଫଳରେ ଚାଷୀକୂଳ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି। ଚାଷ କାର୍ଯ୍ୟ ପାଇଁ ଭାରତୀୟ କୃଷକମାନେ ବିଶେଷ କରି ମୌସୁମୀ ବର୍ଷାକୁ ଅପେକ୍ଷା କରି ରହିଥାନ୍ତି। ତେଣୁ ପ୍ରତିବର୍ଷ ମୌସୁମୀ ଆସିବା ପରେ ଚାଷ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥାଏ। ମୋଟ ଘରୋଇ ଉତ୍ପାଦ(ଜିଡିପି)ର ସିଂହଭାଗ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ ହୋଇଥିବାରୁ ଭଲ ମୌସୁମୀ ବର୍ଷା ଦେଶର ଅର୍ଥନୀତି ଉପରେ ଭଲ ପ୍ରଭାବ ପକାଇଥାଏ।

Comments are closed.