ଆଜିଠୁ ମୌସୁମୀ ଅଧିବେଶନ; ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି।

ଅଧିକ ଆଲୋଚନା ଲାଗି ଚଳିତଥର ଦୈନିକ କାର୍ଯ୍ୟବିଧିରେ ୧ ଘଣ୍ଟା ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରଶ୍ନକାଳ, ୧ ଘଣ୍ଟାର ଶୂନ୍ୟକାଳ ଓ ପରେ ମୂଲତବୀ ଆଲୋଚନା ଦେଢ଼ଘଣ୍ଟା ରହିବ। କରୋନା ପାଇଁ ପୂର୍ବରୁ ଅପରାହ୍ଣ ଅଧିବେଶନରେ ୨ଘଣ୍ଟା କାର୍ଯ୍ୟବିଧି ରହିଥିଲା । ମାତ୍ର ଚଳିତ ଥର ୩ ଘଣ୍ଟାକୁ ବୃଦ୍ଧି କରାଯାଇଛି। ଏହି ସମୟରେ ଖର୍ଚ୍ଚ ଦାବି ଆଲୋଚନା ସହିତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟ ରହିଛି। ତେବେ ଏହି ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେଥିନେଇ ୨୯ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ କରାଯାଇସାରିଛି। ଆଜି ତିନି ଦଳର ବିଧାୟକ ଦଳ ବୈଠକ ବସିବ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ସାଢ଼େ ୧୦ଟାରେ ବିଜେଡି ବିଧାୟକ ଦଳ ବୈଠକ ୫୪ନମ୍ବର ପ୍ରକୋଷ୍ଠରେ ବସୁଛି।

ସେହିପରି ବିଜେପିର ବିଧାୟକ ଦଳ ବୈଠକ ପୂର୍ବାହ୍ନ ସାଢ଼େ ୯ଟାରେ ଦଳୀୟ କାର୍ଯ୍ୟାଳୟରେ ଓ କଂଗ୍ରେସର ବୈଠକ ବିଧାନସଭାରେ ବିଧାୟକ ଦଳ ନେତାଙ୍କ ପ୍ରକୋଷ୍ଠରେ ପୂର୍ବାହ୍ନ ୧୦ଟାରେ ହେବା କାର୍ଯ୍ୟକ୍ରମ ରହିଛି। ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ଚଳିତ ଅଧିବେଶନରେ ମୁଖ୍ୟ ବିରୋଧୀଦଳ ଭାବେ ଆମର ରଣନୀତି କ’ଣ ରହିବ ସେନେଇ ବିସ୍ତୃତ ଆଲୋଚନା ହେବ। ସରକାର ଯଦି ବିରୋଧୀଙ୍କୁ ସମ୍ମାନ ଦେଇ ରାଜ୍ୟର ହିତକୁ ଦୃଷ୍ଟିରେ ରଖି ଆମେ ଯେଉଁ ସବୁ ଆଲୋଚନା କରିବାକୁ ଚାହିଁବୁ ତାକୁ କରାଇବାରେ ସହଯୋଗ କରିବେ ତେବେ ଗୃହ ସୁରୁଖୁରୁରେ ଚାଲିବ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିଠାରୁ ଆରମ୍ଭ କରି ଖଣି ଦୁର୍ନୀତି, ଚାଷୀ ପ୍ରସଙ୍ଗ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ, ବେକାରୀ ସମସ୍ୟା ନେଇ ଗୃହରେ ଆଲୋଚନା କରାଯିବାକୁ ରହିଥିବା ସେ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଚଳିତ ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଆମେ ପ୍ରସ୍ତୁତ। ହେଲେ ସରକାର ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିରୋଧୀଙ୍କ ପ୍ରସଙ୍ଗକୁ ଶୁଣିଲେ ହେଲା। ବିଧାନସଭାର କାର୍ଯ୍ୟବିଧି ଓ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ବାଚସ୍ପତି ଗୃହ ଚଳାଇଲେ ଆମେ ସହଯୋଗ କରିବୁ।

Comments are closed.