ଆଜି କେରଳ ଛୁଇଁପାରେ ମୌସୁମି

ଭୁବନେଶ୍ୱର: କେରଳରେ ମୌସୁମି ବାୟୁ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ଗୁରୁବାର କେରଳରେ ମୌସୁମି ବାୟୁ ଛୁଇଁବାର ସମ୍ଭାବନା ରହିଛି। କେରଳର କେତେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତାକାଲି ରାଜ୍ୟର ତିନି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଭଳି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, କୋରାପୁଟ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ବିଜୁଳି ଘଡଘଡି ଅନୁଭୂତ ହୋଇପାରେ। ଏଣୁ ଉପରୋକ୍ତ ଜିଲାଗୁଡିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି, ଯେ ଜୁନ୍‍ ୧୧ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ ପରିସ୍ଥିତି ଅନୁକୂଳ ରହିବ। ଏନସିଇପିର ଜିଏଫଏସ୍‍ ମଡେଲ କହୁଛି ୫ତାରିଖ ପରେ ପଶ୍ଚିମା ପବନ ଉତ୍ତରକୁ ପ୍ରବାହିତ ହେବ। ୧୦ ବେଳକୁ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳଭାଗରେ ସୃଷ୍ଟି ହୋଇପାରେ। ତେବେ ୭ ତାରିଖ ବେଳକୁ ସମ୍ଭାବ୍ୟ ଲଘୁଚାପ ସୃଷ୍ଟିର ନିଶ୍ଚିତତା ଓ ରୂପରେଖ ଅଧିକ କୁହାଯାଇପାରିବ। ପ୍ରାଥମିକ ଆକଳନରୁ ଜଣାପଡୁଛି ୧୦ ଓ ୧୧ରୁ ବାଲେଶ୍ୱରରେ ବର୍ଷା ଆରମ୍ଭ ହୋଇ ସାରା ରାଜ୍ୟରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ କମ୍‌ ବର୍ଷା ହୋଇପାରେ।

Comments are closed.