ମାଙ୍କଡଙ୍କ ପଥର ମାଡରେ ବୃଦ୍ଧଙ୍କର ମୃତ୍ୟୁ !

0

ବାଗପତ(ଉତ୍ତରପ୍ରଦେଶ) . –  ଉତ୍ତର ପ୍ରଦେଶର ବାଗପତ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି । ମାଙ୍କଡମାନଙ୍କ ପଥରମାଡରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଟାଇମସ୍‌ନାଓ’ରେ ବାହାରିଥିବା ଖବର ଅନୁଯାୟୀ ବାଗପତ ଜିଲାର ତିକିରି ଗ୍ରାମରେ ଏହି ଘଟଣା ଘଟିଛି ।

ଅକ୍ଟୋବର ୧୭ ତାରିଖରେ ଧର୍ମପାଳ ନାମକ ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କର ହୋମ ଯଜ୍ଞପାଇଁ ଏକ ବଗିଚାକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଇଥିଲେ  । ସେଠାରେ ଥିବା ମାଙ୍କଡ ଧର୍ମପାଳଙ୍କ ଉପରକୁ ପଥର ଓ ଇଟା ମାରିଥିଲେ । ଏହାପରେ ନିକଟରେ ଥିବା ଏକ ଇଟା ଗଦା ଉପରକୁ ଡେଇଁଥିଲେ । ଇଟାଗଦା ଧର୍ମପାଳଙ୍କ ଉପରେ ଭୁଶୁଡି ପଡିଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଧର୍ମପାଳଙ୍କ ମୃତ୍ୟୁପରେ ତାଙ୍କ ପରିବାର ଲୋକ ମାଙ୍କଡମାନଙ୍କ ନାମରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି । ମାଙ୍କଡ ଧର୍ମପାଳଙ୍କ ମୁଣ୍ଡ ଓ ଛାତିକୁ ପଥର ଓ ଇଟା ଫିଙ୍ଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସେମାନେ ମାଙ୍କଡମାନଙ୍କ ନାମରେ  ହତ୍ୟା ଅଭିଯୋଗ ଆଣିବା ସହ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ମାତ୍ର ପୁଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଛି ।

Leave A Reply