ଏବେ ଘାରିଛି ହାତୀ ସୁରକ୍ଷା ଚିନ୍ତା, ୩ ବନଖଣ୍ଡ ଅଧିକାରୀଙ୍କୁ ନେଇ ମନିଟରିଂ ଗ୍ରୁପ୍‌ ଗଠିତ

ହରଭଙ୍ଗା: ହାତୀ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ତ୍ବେ ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ଏକ ଚିନ୍ତାଜନକ ବିଷୟ। କେତେବେଳେ ଦାନ୍ତ ପାଇଁ ଶିକାରୀ ଗୁଳିରେ ହାତୀ ଟଳିପଡୁଥିବା ବେଳେ ଗତ କିଛିଦିନ ତଳେ କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟରେ ୬ରୁ ୭ଟି ହାତୀ ମଡ଼କ ଘଟଣା ଯୋଗୁଁ ବର୍ତ୍ତମାନ ରାଜ୍ୟରେ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ସତର୍କ କରାଯାଇଛି। ହାତୀଙ୍କ ଗତିବିଧି ଏବଂ ଚଳପ୍ରଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ କଡ଼ା ନିର୍ଦେଶ ଦିଆଯାଇଛି।

ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ରହିଥିବା ବୌଦ୍ଧ ଜିଲା ଅର୍ନ୍ତଗତ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ୩୦ରୁ ୪୦ଟି ହାତୀ ଥିବା ଜଣାପଡ଼ିଛି। ଏକ ହଜାର ବର୍ଗ କିଲୋମିଟରରୁ ଅଧିକ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ସୀମା ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜର ହାତୀଧରା ଏବଂ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ସୀମାକୁ ଲାଗିଛି। କର୍ଲାପାଟ ହାତୀ ମଡ଼କ ଘଟଣା ପରେ ବର୍ତ୍ତମାନ ହାତୀଙ୍କ ସୁରକ୍ଷା ପାଇଁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ବୌଦ୍ଧ ବନଖଣ୍ଡ ଏବଂ ନୟାଗଡ଼ ବନଖଣ୍ଡ ଭଳି ତିନି ବନଖଣ୍ଡ ଅଧିକାରୀଙ୍କୁ ସତର୍କ ରହିବା ପାଇଁ କଡ଼ା ନିର୍ଦେଶ ଦିଆଯାଇଛି। ତିନି ବନଖଣ୍ଡ ଅଧିକାରୀଙ୍କ ସମନ୍ୱୟରେ ଏକ ମନିଟରିଂ ଗ୍ରୁପ କରାଯାଇଛି। ମନିଟରିଂ ଗ୍ରୁପ୍‌ ମାଧ୍ୟମରେ ହାତୀଙ୍କ ଗତିବିଧି ଅନୁସାରେ ନିକଟସ୍ଥ ବିଭାଗୀୟ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯିବା ପାଇଁ କୁହାଯାଇଛି। ଏହା ସହିତ ହାତୀପଲ ରହୁଥିବା ସ୍ଥାନର ଫଟୋ ମଧ୍ୟ ଉତ୍ତୋଳନ କରାଯାଇ ପ୍ରତିଦିନ ମନିଟରିଂ ରିପୋର୍ଟ ଦେବାକୁ ପ୍ରତ୍ୟେକ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ଦିନକୁ ଦିନ ଜଙ୍ଗଲରେ ନିଆଁ ଦାଉ ହ୍ରାସ ଯୋଗୁଁ ମହାନଦୀ ବନ୍ୟପ୍ରାଣୀ ସମେତ ଏହାର ଆଖ ପାଖ ସଂରକ୍ଷିତ ଜଙ୍ଗଲରେ ହାତୀଙ୍କ ଚଳପ୍ରଚଳ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ହାତୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ହାତୀ କରିଡର୍‌ ନିର୍ମାଣ ପ୍ରତିବର୍ଷ ବୃଦ୍ଧି ପାଉଛି। ଦୀର୍ଘ ଦୁଇ ବର୍ଷ ହେଲା ମୋବାଇଲ ଆପ୍‌ରେ ଏମାନଙ୍କ ସୁରକ୍ଷା ପାଇଁ ନୂତନ ଟ୍ରାକିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ତ୍ତମାନ କର୍ଲାପାଟ ହାତୀ ମଡ଼କ ଘଟଣା ପରେ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦେଶ ଦିଆଯାଇଛି। ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରତିବର୍ଷ ବିଭାଗ ତରଫରୁ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁଗୁଡ଼ିକରେ ଗାଈ ଗୋରୁ, ମଇଁଷି ଭଳି ପଶୁ ଜନ୍ତୁମାନଙ୍କୁ ଗଳାଫୁଲା ଏବଂ ଫାଟୁଆ ଭଳି ଜୀବାଣୁ/ଭୂତାଣୁଜନିତ ରୋଗର ପ୍ରତିଷେଧକ ଟିକାକରଣ କରାଯାଇଥାଏ। ମାତ୍ର ଚଳିତବର୍ଷ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁଗୁଡ଼ିକରେ ଏସବୁ ଟିକାକରଣ କରାଯାଇ ନ ଥିବାରୁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। କର୍ଲାପାଟ ଘଟଣା ପରେ ବର୍ତ୍ତମାନ ଅଭୟାରଣ୍ୟ ମଧ୍ୟରେ ଥିବା ଗାଁଗୁଡ଼ିକରେ ବେକଫୁଲା (ସାହାଣା) ଟିକାକରଣ ପାଇଁ ପଶୁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ବର୍ଷ ଯୋଡ଼ା ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଇଲେକ୍ଟ୍ରି କରେଣ୍ଟ ସାହାଯ୍ୟରେ ଏକା ଦନ୍ତା ହାତୀ ହତ୍ୟା ଘଟଣାର କିଛି ଦିନ ନ ପୂରୁଣୁ ଗତ ୧୭ ଜୁନ ୨୦୨୦ରେ ବୌଦ୍ଧ ବନଖଣ୍ଡ ଅଧୀନ ମାଧପୁର ରେଞ୍ଜ୍‌ର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଶିକାରୀ ଗୁଳିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ସେହିପରି ଗତ ୨୦୧୮ରେ ମହାନଦୀ ଅଭୟାରଣ୍ୟ ମଧ୍ୟରେ ହାତୀ-ହାତୀ ଲଢ଼େଇରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ବେଳେ ୨୦୧୭ରେ ଆଡ଼େଣିଗଡ଼ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ମୃତ୍ୟୂ ଘଟିଥିଲା। କର୍ଲାପାଟ ହାତୀମଡ଼କ ପରେ ହାତୀ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି। ଏ ସମ୍ପକରେ ବୌଦ୍ଧ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ସେ କହିଲେ ହାତୀ ସୁରକ୍ଷା ଦିଗରେ ବିଭାଗ ସତର୍କ ରହିଛି। ପ୍ରତିଦିନ ମନିଟରିଂ କରାଯାଉଥିବା ସେ କହିଛନ୍ତି।

Comments are closed.