ମାନବିକତା ବଞ୍ଚିଛି, ପାଇଥିବା ଟଙ୍କା ଫେରାଇ ଦେଲେ ଶିକ୍ଷକ

ରେଙ୍ଗାଲି: ବସ୍ତୁବାଦୀ ଆଡକୁ ଧାଉଁଥିବା ସମାଜରେ ମାନିବିକ ମୂଲ୍ୟବୋଧ ହଜିବାକୁ ଯାଉଥିବା ବେଳେ ଆଜି ରାସ୍ତା ଉପରେ ପଡିଥିବା ଟଙ୍କାକୁ ଜଣେ ଶିକ୍ଷକ ପାଇଲା ପରେ ଯାହାର ଟଙ୍କା ହଜିଥିଲା ତାଙ୍କୁ ଫେରାଇ ଦେଇଛନ୍ତି। ରେଙ୍ଗାଲି ବ୍ଳକର ଲଇଡା ଗ୍ରାମରେ ଆଜି ସନ୍ଧ୍ୟାରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଗ୍ରାମରେ ରହୁଥିବା ଯୁଗଳକିଶୋର ମିଶ୍ର ନାମକ ଜନୈକ ଶିକ୍ଷକ ସାନ୍ଧ୍ୟ ଭ୍ରମଣରେ ଯାଇଥିବା ବେଳେ ରାସ୍ତା ଉପରେ ଏକ ବ୍ୟାଗ୍ ପଡିଥିବାର ଦେଖିଥିଲେ। ବ୍ୟାଗରେ କଦଳି ଏବଂ କିଛି ଟଙ୍କା ଥିଲା। ଶ୍ରୀ ମିଶ୍ର ବ୍ୟାଗକୁ ରାସ୍ତା କଡରେ ରଖି ଦେଇ ଆଖପାଖରେ ବୁଲାଚଳା କଲେ। କିଛି ସମୟ ପରେ ଟଙ୍କା ଏବଂ କଦଳି ବ୍ୟାଗ ହଜେଇ ଥିବା ଦୁଇଜଣ ଯୁବକ ବ୍ୟାଗ ଖୋଜିବାକୁ ଆସି ରାସ୍ତାରେ ଘୁରି ବୁଲୁଥିବା ବେଳେ ଶିକ୍ଷକ ଯୁଗଳ କିଶୋର ମିଶ୍ରଙ୍କୁ ଭେଟି ଟଙ୍କା ବ୍ୟାଗ୍ ହଜି ଥିବା କଥା କହିଥିଲେ। ଶ୍ରୀ ମିଶ୍ର କାଳ ବିଳମ୍ବ ନକରି ରାସ୍ତା ପାର୍ଶ୍ବରେ ଥିବା ବ୍ୟାଗକୁ ଉକ୍ତ ଯୁବକମାନଙ୍କୁ ହସ୍ତାନ୍ତର କରିଥିଲେ। ଯୁବକ ମାନେ ବ୍ୟାଗ ଖୋଲି ଭିତରେ ଥିବା ୧୫ହଜାର ଟଙ୍କା ଏବଂ କଦଳି ଠିକ୍ ଠାକ୍ ଥିବାର ଦେଖି ଶିକ୍ଷକ ଶ୍ରୀ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଶିକ୍ଷକ ଯୁଗଳକିଶୋର ମିଶ୍ରଙ୍କ ଏଭଳି ମାନବିକତାପୂର୍ଣ୍ଣ କାର୍ୟ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ଲୁଟତରାଜ, ରାହାଜାନୀ, ପକେଟମାର୍ ଆଦି ଅସାମାଜିକ ତତ୍ତ୍ୱଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ପାଇଥିବା ଟଙ୍କା ଫେରାଇ ଅନ୍ୟମାନଙ୍କ ପାଇଁ ଶ୍ରୀ ମିଶ୍ର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କୁହାଯାଉଛି।

Comments are closed.