ଅର୍ଥ ସାଜିଛି ବାଧକ : କ୍ୟାନ୍‌ସର ରୋଗରେ ପୀଡିତ ରଘୁ ମଳିକ, କାମରେ ଲାଗୁନି ବିଜୁ କୃଷକ କଲ୍ୟାଣ ଯୋଜନା ବୀମା କାର୍ଡ

ମୋହନା : ଦିନ ମଜୁରୀଆ ରଘୁ ମଳିକ । କୋଶେ ଗଲେ ପୋଷେ ଆଣି ଚଳୁଥିଲା ସୁଖ ଦୁଃଖର ସଂସାର । ହେଲେ କ୍ୟାନ୍ସର ରୋଗ ଛଡାଇ ନେଲା ସବୁ ସୁଖ । ଆଣି ଦେଲା ଦୁଃଖର ପାହାଡ଼ । ଏବେ ଅସହାୟ ଅବସ୍ଥାରେ ବିଛଣାରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମୋହନା ବ୍ଳକ୍ ଚନ୍ଦ୍ରଗିରି ପଞ୍ଚାୟତ ଅନ୍ତର୍ଗତ କଣ୍ଟାସାରୁ ଗ୍ରାମର ରଘୁ ମଳିକ (୪୫) । ତାଙ୍କ ପାଖରେ ଥିବା ବିଜୁ କୃଷକ କଲ୍ୟାଣ ଯୋଜନା ବୀମା କାର୍ଡ଼ଟି ଚିକିତ୍ସା କ୍ଷେତ୍ରରେ କାମରେ ଆସୁନି । ରଘୁଙ୍କ ମନରେ ଭଲ ହୋଇଯିବି ବୋଲି  ଅଦମ୍ୟ ସାହସ ରହିଥିଲେ ମଧ୍ୟ ପାଚେରୀ ହୋଇ ଠିଆ ହୋଇଛି ଅର୍ଥ । ରଘୁ ମଳିକ କୁଲି ମଜୁରୀ ଖଟି ସ୍ତ୍ରୀ ଓ ଏକମାତ୍ର ଅଲିଅଳି ଝିଅ ପ୍ରିତୀ ମଳିକ ସହ ନିଜର କୁଡିଆ ଘରେ ସୁଖେ ଦୁଃଖେ ଚଳିଯାଉଥିଲେ । ହେଲେ ହଠାତ୍ ଏକ ବର୍ଷ ତଳେ ତାଙ୍କ ଦାନ୍ତରେ ଯନ୍ତ୍ରଣା ଅନୁଭବ ହେବା ସହ ଗାଲରେ ଗୋଟିଏ ଘା ମଧ୍ୟ ବାହାରିଲା। ଛୋଟ ମୋଟ ଘା ‘ଭାବି ଚନ୍ଦ୍ରଗିରି ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ କିନ୍ତୁ ଡାକ୍ତର ତାଙ୍କୁ କଟକ ଯାଇ ଚିକିତ୍ସା ହେବା ପାଇଁ ପରାମର୍ଶ ଦେଇଥିଲେ । ପରେ ଧାର ଉଧାର କରି କଟକରେ ଚିକିତ୍ସିତ ହୋଇଥଲେ । କିନ୍ତୁ ସେଠାରେ ତାଙ୍କ ପାଖରେ ଥିବା ବିଜୁ କୃଷକ କଲ୍ୟାଣ ଯୋଜନା ବୀମା କାର୍ଡଟି କୌଣସି କାମରେ ଲାଗିନଥିଲା । ପରେ ଆର୍ଥିକ ଅଭାବ ଯୋଗୁଁ ନିଜ ଘର କଣ୍ଟାସାରୁ ଗ୍ରାମକୁ ଆସି କିଛି ଅର୍ଥ ଯୋଗାଡ କରି ପୁଣି ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସିତ ହେବା ପାଇଁ ଯାଇଥିଲେ। ହେଲେ ସେଠାରେ ମଧ୍ୟ ତାଙ୍କ ବୀମା କାର୍ଡ କୌଣସି କାମରେ ଲାଗିନଥିଲା। ତେଣୁ ରଘୁ ଆଉ ବଞ୍ଚିବାର ଆଶା ଛାଡି ଦେଇ ସେ ଆଜି ଅସହାୟ ଅବସ୍ଥାରେ ବିଛଣାରେ ପଡିରହି ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି। ଜିଲ୍ଲାପ।ଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ସଂପର୍କରେ ସାକ୍ଷାତ କରି ଲିଖିତ ଚିଠି ମଧ୍ୟ ଦେଇଛନ୍ତି। କିନ୍ତୁ ସରକାରୀ ସାହାଯ୍ୟରୁ ବଂଚିତ ରଘୁଙ୍କ ପରିବାର, ସଂପର୍କୀୟ ଓ ଗ୍ରାମବାସୀମାନେ ତାଙ୍କୁ କିଛି ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହି ସମସ୍ୟା ସଂପର୍କରେ ଗଜପତି ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରୁ ରଘୁ ମଳିକଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Comments
Loading...