ପ୍ରଶାସନର କଟକଣା ପରେ ମଧ୍ୟ କମୁନି ପଲିଥିନି ବ୍ୟବହାର

0

ମୋହନା : ଗଜପତି ଜିଲା ମୋହନା ସହରରେ ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ନଷ୍ଟ ହେବାରେ ଲାଗିଛି। ଏନେଇ ପ୍ରଶାସନ ପକ୍ଷରୁ ସଚେତନତା ଓ ଚଢଉ କରାଯାଉ ନାହିଁ କି ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉନି। ମୋହନା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ବ୍ୟବସାୟୀ ପ୍ଲାଷ୍ଟିକ ଗ୍ଳାସ, ପ୍ଲେଟ ଓ ପଲିଥିନ ବହୁ ମାତ୍ରାରେ ବ୍ୟବହାର କରୁଛନ୍ତି। ପଲିଥିନର ବ୍ୟବହାର ଏଠାରେ ବେଶି ମାତ୍ରାରେ ଦେଖିବାକୁ ମିଳୁଛି। ଦୋକାନୀମାନେ ପଲିଥିନ ଲୁଚାଇ ରଖି ଏହାକୁ ଚଢା ଦରରେ ବିକ୍ରି କରୁଛନ୍ତି। ଚାରିଆଡେ ଅଳିଆ ଆବର୍ଜନାରେ ପ୍ଲାଷ୍ଟିକ ଗ୍ଳାସ, ପ୍ଲେଟ, କପ ଓ ପଲିଥିନ ମାସ ମାସ ଧରି ଜମା ହୋଇ ପଡି ରହୁଛି। ଏ ବିଷୟରେ ଯେତେ ସଚେତନ କରିଲେ ମଧ୍ୟ ନା ବ୍ୟବସାୟୀ ନା ଜନସାଧାରଣ କେହି ମଧ୍ୟ ସଚେତନ ହେଉନାହାନ୍ତି। ପ୍ରଶାସନ ପକ୍ଷରୁ ଚଢଉ ଜୋରଦାର କରାଯିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି। ମୋହନା ସମେତ ଏହାର ଆଖପାଖ ଗ୍ରାମ ଗୁଡିକରେ ଅବାଧରେ ବିନା କଟକଣାରେ ଖୋଲାଖୋଲି ଭାବେ ପଲିଥିନ ବିକ୍ରି ଚାଲିଛି। ସହରରେ ମାଛ, ମାଂସ, ପରିବା ଓ ରାସନ ସାମଗ୍ରୀ ଆଦି ଦୋକାନ ଠାରୁ ଆରମ୍ଭ କରି ମଦ ଦୋକାନ ପର୍ଯ୍ୟନ୍ତ ସବୁଆଡେ ପଲିଥିନର ବହୁଳ ବ୍ୟବହାର ହେଉଛି। ମୋହନା ମୁଖ୍ୟ ସଡକ ସମେତ ସାହି, ଗଳିକନ୍ଦି, ବିଦ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, ହୋଟେଲ ଓ ଖେଳ ପଡିଆ ଆଦି ସ୍ଥାନରେ କୁଢ କୁଢ ପଲିଥିନ ପଡିଥିବା ଦେଖିବାକୁ ମିଳୁଛି। ସହରରେ ବୁଲୁଥିବା ଗାଇ ଗୋରୁ ଏହି ପଲିଥିନକୁ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଅବାଧରେ ଏହି କାରବାର ଓ ବ୍ୟବହାର ବଢିବାରେ ଲାଗିଛି। ସରକାରୀ ସ୍ତରରେ ୪୦ ମାଇକ୍ରୋନ ପଲିଥିନ ବିକ୍ରି ପାଇଁ ଅନୁମତି ଥିଲେ ମଧ୍ୟ ଏହାକୁ କେହି ମାନୁ ନାହାନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୋଷୀ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave A Reply