ମୋହନା ବ୍ଲକକୁ ଏକ ରାଜସ୍ୱ ଉପଖଣ୍ଡ ମାନ୍ୟତା ଏବଂସହରକୁ ଏନଏସିର ମାନ୍ୟତା ନିମନ୍ତେ ଡିଜିଟାଲ ଆନ୍ଦୋଳନ

ମୋହନା:  ଓଡ଼ିଶାର ଦ୍ବିତୀୟ ବୃହତ୍ତମ ବ୍ଳକ ମୋହନା ବ୍ଲକକୁ ଏକ ରାଜସ୍ୱ ଉପଖଣ୍ଡ ମାନ୍ୟତା ଏବଂ ମୋହନା ସହରକୁ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି )ର ମାନ୍ୟତା ନିମନ୍ତେ ଡିଜିଟାଲ ଆନ୍ଦୋଳନ । ଗଜପତି ଜିଲ୍ଲା ମୋହନା ବ୍ଲକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ (୩୯ଟି ପଞ୍ଚାୟତ)କୁ ନେଇ ଗଠିତ । ମୋହନାକୁ ଏକ ରାଜସ୍ୱ ଉପଖଣ୍ଡର ମାନ୍ୟତା ଉଦ୍ଦେଶ୍ୟରେ ଏବଂ ମୋହନା ସହରକୁ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ମାନ୍ୟତା ନିମନ୍ତେ ଏକ ମେଗା ଡିଜିଟାଲ ଆନ୍ଦୋଳନ ମୋହନା ବ୍ଲକରେ ଆରମ୍ଭ ହୋଇଯାଇଛି।
ଯାହାର ଆବାହକ ରହିଛନ୍ତି ଗଜପତି ଜିଲ୍ଲା ମୋହନାର ଏକ ଯୁବ ସମାଜସେବୀ ସୁଜ୍ଞାନ ସାଗର । ସେ ଡିଜିଟାଲ ଆନ୍ଦୋଳନର ମଙ୍ଗ ଧରି ବ୍ଲକରେ ବସବାସ କରୁଥିବା ୩୯ ଗୋଟି ପଂଚାୟତର ସମସ୍ତ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଏବଂ ଦଳ ନିର୍ବିଶେଷରେ ସମସ୍ତ ବର୍ଗର ବିଶିଷ୍ଟ ସମାଜସେବୀ, ବୁଦ୍ଧିଜୀବୀ, ରାଜନେତା, ଶିକ୍ଷାବିତ, ସାଧାରଣ ଜନତା ଇତ୍ୟାଦିଙ୍କ ସହ ଆଲୋଚନା କରି ସେମାନଙ୍କର ସ୍ୱର ପଡ଼କାଷ୍ଟ ମାଧ୍ୟମରେ ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ସାହାର୍ୟ୍ୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି । ଅଳ୍ପଦିନ ମଧ୍ୟରେ ଅନେକ ବୁଦ୍ଧିଜିବୀ, ସମାଜସେବୀ,ସାଧାରଣ ଜନତା , ରାଜନୈତିକ ବ୍ୟକ୍ତି ବିଶେଷ, ଜନପ୍ରତିନିଧି (୫୦ରୁ ଅଧିକ)ଙ୍କ ମତାମତ ନେଇ ସାରିଲେଣି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଟ ସମାଜସେବୀ ମଧୁସୂଦନ ପାଢ଼ୀ, ବିଶିଷ୍ଟ ରାଜନେତ୍ରୀ ପ୍ରମିଳା ପଣ୍ଡା, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା , ବରିଷ୍ଠ ଓକିଲ ରବୀନ୍ଦ୍ର କୁମାର ନାୟକ, ସମାଜସେବୀ ନିର୍ମଲ କୁମାର ପାଲ, ବରିଷ୍ଠ ସାମ୍ବାଦିକ ପଞ୍ଚାନନ ଦାଶ, ଏମକେସିଜି ଯୁବକ ସଙ୍ଘ ସଭାପତି ଅଜିତ ପାତ୍ର ଏବଂ ସମ୍ପାଦକ ଜିତେନ୍ଦ୍ର ବେହେରା, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ୟ୍ୟ ଆରତୀ ପାଢ଼ୀ, ଅଡ଼ବା ଜୋନ ଜିଲ୍ଲା ପରିଷଦ ସଦସ୍ୟ ବାଳକୃଷ୍ଣ ମଲ୍ଲିକ, ଶିକ୍ଷାବିତ ଅନୀଲ କୁମାର ତ୍ରିପାଠୀ, ଭଗବାନ ବିଷୋୟୀ ଇତ୍ୟାଦି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ନିଜର ମତାମତ ଏହା ଉପରେ ରଖି ସାରିଲେଣି। ଉଭୟ ଜନହିତକର କାର୍ୟ୍ୟାଳୟ ମୋହନାଠାରେ କିଭଳି ଭାବେ ଗଢି ଉଠିବ, ସେଥିପାଇଁ କେଉଁମାନଙ୍କର ସାହାଯ୍ୟ ଆବଶ୍ୟକ, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ , ଉଦ୍ଦେଶ୍ୟ, ଲକ୍ଷ୍ୟ କଣ, ଆଗକୁ କଣ କରିବାକୁ ହେବ ସେ ସମ୍ପର୍କରେ ମଧ୍ୟ ସମସ୍ତେ ନିଜସ୍ୱ ମତାମତ ରଖି ସାରିଲେଣି। ଆଗକୁ ଏହି ଆନ୍ଦୋଳନକୁ ଡିଜିଟାଲ ଆନ୍ଦୋଳନ ସାଥେ ସାଥେ ଫିଜିକାଲ ଆନ୍ଦୋଳନ କରି ଏହାକୁ କିଭଳି ଭାବେ ଏକ ଗଣ ଆନ୍ଦୋଳନର ପରିଣତ କରାଯିବ ତାହାର ମଧ୍ୟ ରୂପରେଖ ପ୍ରସ୍ତୁତ ହୋଇଥିବା ଏବଂ ଏହାକୁ ବାସ୍ତବ ରୂପ ଦେବା ପାଇଁ ଏହି ଆନ୍ଦୋଳନର ମୁଖ୍ୟ ପ୍ରାରମ୍ଭକାରୀ ଶ୍ରୀ ସାଗର ମତବ୍ୟକ୍ତ କରିଛନ୍ତି।
ମୋହନା ବ୍ଳକର ସୀମାନ୍ତବର୍ତ୍ତୀ ପଞ୍ଚାୟତ ଠାରୁ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟ ପାରଳାଖେମୁଣ୍ଡିକୁ ଦୂରତା ପ୍ରାୟ ୨୦୦ କିଲୋମିଟର । ବସରେ ଯିବାକୁ ଲାଗେ ୬ରୁ ୭ ଘଣ୍ଟା । କୌଣସି ଜରୁରୀ କାର୍ୟ୍ୟରେ ଯିବାକୁ ହେଲେ ସମୟ ସହିତ ଅଯଥା ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼େ । ଗୋଟିଏ ଦିନରେ ଯାଇ ପୁଣି ଫେରିବା କାଠିକର ପାଠ। ଏଣୁ ସମସ୍ତ ଦୃଷ୍ଟି କୋଣରୁ ମୋହନାକୁ ରାଜସ୍ଵ ଉପଖଣ୍ଡର ମାନ୍ୟତା ଓ ଏନଏସିର ମାନ୍ୟତା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଜରୁରୀ ଆବଶ୍ୟକତା ହେବା ଦରକାର ବୋଲି ବୃଦ୍ଧିଜୀବିମାନେ ମତବ୍ୟକ୍ତ କରିଛନ୍ତି।

 

Comments are closed.