ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଭେଟିଲେ ସ୍ୱାସ୍ଥ୍ୟକର୍ମୀ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକରେ ରହିଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ୩୯ଟି ପଂଚାୟତବାସୀ ନିର୍ଭର କରନ୍ତି। କର୍ମଚାରୀମାନେ ରୋଗୀଙ୍କୁ ରାତି ଦିନ ସେବା ଯୋଗାଇଥାନ୍ତି। ହେଲେ କର୍ମଚାରୀମାନଙ୍କ ପାଇଁ ଦୀର୍ଘ ବର୍ଷ ପୁରିଥିଲେ ମଧ୍ୟ ନିର୍ମାଣ ହୋଇପାରିନି ରହିବା ପାଇଁ ଭଲ ଘର ଖଣ୍ଡିଏ। ବହୁ ପୁରାତନ ଘରେ କର୍ମଚାରୀମାନେ ଦହନୀୟ ଭାବେ ରହିବା ପାଇଁ ବାଧ୍ୟ ହେଉଛନ୍ତି। ବହୁ ପୁରୁଣା କୋଠାରେ ପରିବାର ସହ ଜୀବନ କାଟୁଛନ୍ତି କର୍ମଚାରୀ। ବର୍ଷା ଦିନେ ଟିଣ, ଆଜବେଷ୍ଟସ ଛାତ ଉପରୁ ପାଣି ଗଳୁଥିବା ବେଳେ କବାଟ ଗୁଡିକ ଭାଙ୍ଗି ଗଲାଣି। ବିଭିନ୍ନ ସମୟରେ ରୋଷୋଇ ଘରେ ସାପ ବାହାରୁଥିବା ଦେଖିବାକୁ ମିଳୁଛି। କର୍ମଚାରୀମାନଙ୍କ ପରିବାର ବର୍ଗ ଭୟରେ ରହୁଛନ୍ତି। କର୍ମଚାରୀମାନଙ୍କ ପାଇଁ ପାଣି ପାଇବା ଯେମିତି ସାତସପନ ପାଲଟି ଯାଇଛି। ପାଣିର ସମସ୍ୟା ଦିନକୁ ଦିନ ସ୍ଵାସ୍ଥ୍ୟ କେନ୍ଦ୍ର ଓ କର୍ମଚାରୀମାନଙ୍କ ପାଇଁ ଜଟିଳ ସମସ୍ୟା ଭାବେ ଛିଡା ହୋଇଛି।

ଏ ସମ୍ପର୍କରେ କର୍ମଚାରୀ ବହୁବାର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ସାଂସଦ, ବିଧାୟକ, ଜିଲ୍ଲାପରିଷଦ ଅଧକ୍ଷାଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁପାରୁନି। କିଛି ଦିନ ତଳେ ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସି କର୍ମଚାରୀ ମାନଙ୍କ ବାସଗୃହ ବୁଲି ଦେଖିଥିଲେ। ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ମନୋଭାବ ପାଇଁ ନିର୍ମାଣ ହୋଇ ପାରୁନି ନୂତନ ବାସଗୃହ। ଯାହାଫଳରେ କାର୍ଯ୍ୟରତ ଥିବା ସ୍ୱାସ୍ଥ୍ୟ କର୍ମଚାରୀମାନେ ବିଭିନ୍ନ ସମସ୍ୟା ନେଇ ଏକତ୍ରିତ ହୋଇ ମୋହନା ବିଡିଓଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। କର୍ମଚାରୀମାନଙ୍କ ଅଭିଯୋଗ ଶୁଣିବା ପରେ ବିଡିଓ ସାର୍ଥକ ସୌରଭ ମହାପାତ୍ର କହିଛନ୍ତି ତୁରନ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବ୍ଲକ ପକ୍ଷରୁ କୋଠାଗୁଡ଼ିକୁ ମରାମତି କରାଯିବ।

Comments are closed.