କରୋନା କଟକଣା ମାନୁନାହାନ୍ତି ଲୋକେ

ମୋହନା: ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଦିନକୁ ଦିନ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କିଛି ଦୋକାନୀ ଓ ଗ୍ରାମର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ଦୋକାନରେ ବସି ବେପାର କରୁଛନ୍ତି। ସେମାନଙ୍କର ପରିବାର ଲୋକେ କରୋନାକୁ ମାନୁନାହାନ୍ତି କି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ କରୋନା ପରୀକ୍ଷା କରୁନାହାନ୍ତି। ଯାହାଫଳରେ ମୋହନା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗାଁ ଗହଳିରେ ମଧ୍ୟ କରୋନା ଆକ୍ରାନ୍ତ ରୋଗୀ ଖୁଲମଖୋଲା ସବୁ ଆଡେ ବୁଲୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।

ସେହିପରି ବହୁ ଦୋକାନୀ କରୋନା କଟକଣାର ନିୟମକୁ (ସମୟ ନିର୍ଘଣ୍ଟ) ନମାନି ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଖୋଲା ମେଲାରେ ଦୋକାନ ଖୋଲି ବେପାର କରୁଛନ୍ତି। ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କୁ ସଉଦା ବିକ୍ରୀ କରୁଛନ୍ତି। ରାତ୍ର ୮ଟା ପର୍ଯ୍ୟନ୍ତ ମୋହନା ବଜାର ଗହଳି ଚହଳି ଲାଗି ରହୁଛି । କାମ ନଥାଇ ଲୋକେ ବଜାରରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳୁଛି। ସତେ ଯେମିତି ମୋହନା ବ୍ଳକରୁ କରୋନା ମହାମାରୀ ଦୂରେଇ ଯାଇଛି। ରାଜ୍ୟ ସରକାରଙ୍କ ନୂଆଁ ଗାଇଡଲାଇନ ଅନୁଯାୟୀ ସକାଳ ୭ରୁ ମଧ୍ୟାହ୍ନ ଘଣ୍ଚେ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଅତ୍ୟାବଶ୍ୟକୀୟ ଦୋକାନ ଖୋଲାଯିବା ପାଇଁ ଅନୁମତି ରହିଛି। ହେଲେ ଦୋକାନୀମାନେ ଏହି ନିୟମକୁ ନମାନି ରାତ୍ର ୯ଟା ପର୍ଯ୍ୟନ୍ତ ଲୁଚାଛପାରେ ଦୋକାନ ଖୋଲି ବେପାର କରୁଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୃଦ୍ଧିଜୀବି ମହଲରେ ଦାବି ହେଉଛି।

Comments are closed.