ଲୋକେ ପିଉଛନ୍ତି ଦୂଷିତ ପାଣି

ମୋହନା: ମୋହନା ବ୍ଳକ ଅନ୍ତର୍ଗତ ପି.ଗୋବିନ୍ଦପୁର ଗ୍ରାମ ଖ୍ରୀଷ୍ଟିଆନ ସାହି ବାସିନ୍ଦା ବର୍ଷ ବର୍ଷ ଧରି ଏକ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଦୂଷିତ କୂଅର ଜଳକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି। ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ଵାର ପାନୀୟ ଜଳର ଆଶୁ ସମାଧାନ ପାଇଁ ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ସୁଫଳ ମିଳୁନଥିବା କହିଛନ୍ତି। ଅନ୍ତତଃ ପକ୍ଷେ ଗ୍ରାମରେ ନଳକୂପଟିଏ ବସାଇବା ଅନୁରୋଧ କରିଛନ୍ତି। ପାନୀୟ ଜଳର ଅଭାବ ମେଣ୍ଟାଇବା ପାଇଁ ସାହିରେ ବସବାସ କରୁଥିବା ୩୫ ପରିବାରର ପ୍ରାୟ ୩୦୦ ଲୋକ ସାହି ପଛ ପଟେ ରହିଥିବା ଏକ ପୁରୁଣା ପରିତ୍ୟକ୍ତ କୂଅର ଦୂଷିତ ଜଳକୁ ପାନୀୟ ଓ ସ୍ନାନଶୌଚ଼ ଭାବରେ ବ୍ୟବହାର କରି ଆସୁଛନ୍ତି।

ଗ୍ରାମରେ ବସବାସ କରୁଥିବା ୩୫ଟି ପରିବାର ମଧ୍ୟରୁ କେବଳ ୩ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିବା ଗ୍ରାମବାସୀ କହିଛନ୍ତି। ଏଣୁ ପାନୀୟ ଜଳର ସୁବିଧା ଓ ଆବାସ ଯୋଗାଇଦେବା ପାଇଁ ସାହିର ସନ୍ତୋଷ କାର୍ଯୀ, କୈଳାସ କାର୍ଯୀ, ମଇଜ ନାୟକ ସବିନ ନାୟକ, ଦୀପ୍ତି କାର୍ଯୀ, ଦିଲିପ ପରିଛା, ଅଶୋକ କାର୍ଯୀ, ପୂର୍ଣ୍ଣ କାର୍ଯୀ ପ୍ରମୁଖ ସାହି ବାସିନ୍ଦା ଦାବି କରିଛନ୍ତି।

Comments
Loading...