ଅପହଞ୍ଚ ଇଲାକାର ନଗ୍ନ ଚିତ୍ର, ପାଣି ପାଇଁ ଚାଲିବାକୁ ପଡୁଛି ଦେଢ କିଲୋମିଟର

ମୋହନା: ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ବିକାଶ ପହଞ୍ଚାଇବା ଲାଗି ରାଜ୍ୟ ସରକାର ପାଣି ଭଳି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ପାନୀୟ ଜଳ, ରାସ୍ତାଘାଟ, ଚିକିତ୍ସା, ଶିକ୍ଷା ଆଦି ମୌଳିକ ସୁବିଧା ଯୋଗାଇ ଦେବା ଲାଗି ବେଶ ମୋଟା ଅଙ୍କର ଅର୍ଥ ବ୍ୟୟ କରୁଛି ପ୍ରଶାସନ। ହେଲେ ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିବା ସତେ ଯେମିତି ସାତ ସପନ ପାଲଟି ଯାଇଛି। ପାନୀୟ ଜଳ, ଗମନାଗମନ ଭଳି ମୌଳିକ ସମସ୍ୟାରୁ ବଞ୍ଚିତ ଏଠାକାର ସ୍ଥାନୀୟ ଅଞ୍ଚଳବାସୀ। ପାନୀୟ ଜଳ ସଂକଟ ଦୂରୀକରଣ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଥିବା ବେଳେ ଅନୁନ୍ନତ ଅଞ୍ଚଳରେ ପାଣି ମୁନ୍ଦାଏ ପାଇଁ ଲୋକେ ହେଉଛନ୍ତି ଡହଳ ବିକଳ। ଗାଁକୁ ଗମନାଗମନ ପାଇଁ ଭଲ ରାସ୍ତା ନଥିବା ବେଳେ ପାଣି ପାଇଁ ଗ୍ରାମବାସୀଙ୍କୁ ଯିବାକୁ ପଡୁଛି ଦେଢ କିଲୋମିଟର ବାଟ। ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଢ଼େପାଗୁଡା ପଞ୍ଚାୟତ ଅଧିନ ତୁଳସୀ ନଗର ଗ୍ରାମରେ।ଏହି ଗ୍ରାମରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ପ୍ରଶାସନର ବିକାଶ। ଅନୁ୍ନ୍ନତ ପାହାଡି ଇଲାକା ମଧ୍ୟରେ ରହିଥିବା ଏହି ଗ୍ରାମରେ ଦୀର୍ଘ ବର୍ଷ ଧରି ୩୦ରୁ ଉର୍ଦ୍ଧ୍ୱ ଶବର ସମ୍ପ୍ରଦାୟର ଆଦିବାସୀ ପରିବାର ବସବାସ କରୁଛନ୍ତି। ନିଜ ଅଞ୍ଚଳରେ ବଗଡ ଓ ପୋଡୁଚାଷ କରିବା ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବାହାରେ ବିକ୍ରୀବଟା କରି ଜୀବିକାର୍ଜନ କରି ଆସୁଥିବା ବେଳେ ଗ୍ରାମରେ ବର୍ଷ ବର୍ଷ ଧରି ଲାଗିରହିଛି ପାନୀୟ ଜଳର ଉତ୍କଟ ସମସ୍ୟା। ଗାଁରେ ପିଇବା ପାଣି ପାଇଁ ନଳକୂପଟିଏ ନାହିଁ। ସରକାରୀ ଯୋଜନା କହିଲେ କେବଳ ଟଙ୍କିକିଆ ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା । ଏହା ଛଡା ଅନ୍ୟ ସରକାରୀ ଯୋଜନାର ସ୍ବାଦ ଚାଖିନାହାଁନ୍ତି ଗ୍ରାମବାସୀ।
ଗ୍ରାମରେ ନଳକୂପଟିଏ ଖନନ କରିବା ପାଇଁ ବହୁବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବହୁ ବିଭାଗୀୟ ଅଧିକାରୀଙ୍କୁ କାକୁତି ମିନତି କରି ଜଣାଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶୃତି ହିଁ ମିଳିବା ସାର ହୋଇ ରହିଯାଇଛି । ଗ୍ରାମରେ ଅବସ୍ଥିତ ଏକ ଝରଣାର ପାଣିକୁ ଆଣି ହାତଖୋଳା କୂଅରେ ଭର୍ତ୍ତି କରୁଛନ୍ତି। ହେଲେ ଖରାଦିନେ ତାହା ଶୁଖିଯାଉଛି। ଯାହା ଫଳରେ ଗାଁ ଠାରୁ ଦେଢ କିଲୋମିଟର ଦୂର ଜଙ୍ଗଲ ପର୍ବତ ଘେରା ରାସ୍ତାରେ ଚାଲି ଚାଲି ଯାଇ ଝରଣାରୁ ବହୁକଷ୍ଟରେ ପାଣି ଆଣିବାକୁ ପଡୁଛି। ମୁଖ୍ୟତଃ ତୁଳସୀ ନଗର ଗ୍ରାମରେ ଲାଗିରହିଥିବା ଜଳକଷ୍ଟ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଅଧିକାଂଶ ସମୟରେ ଦୂଷିତ ଜଳ ବ୍ୟବହାର କରି ବହୁ ଲୋକ ବିଭିନ୍ନ ରୋଗରେ ରୋଗାଗ୍ରସ୍ଥ ହୋଇ ଜୀବନ ହାରିବା ସାର ହେଉଛି । ପାଖ ଆଖରେ ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ଏବଂ ସଚେତନତା ଅଭାବରୁ ଲୋକେ ଚିକିତ୍ସା ପାଇଁ ବାଧ୍ୟ ହୋଇ ଚେରମୂଳୀ ଉପଚାର କରିବା ହିଁ ଗ୍ରାମବାସୀଙ୍କ ପ୍ରାଥମିକ ଚିକିତ୍ସା। ଗାଁ ଠାରୁ ନିଜ ପଞ୍ଚାୟତ ଢେପାଗୁଡା ଏବଂ ବ୍ଲକ ମୁଖ୍ୟାଳୟକୁ ଯୋଗାଯୋଗ କରିବା ପାଇଁ ଭଲ ରାସ୍ତାଟିଏ ନାହିଁ। ପଥୁରିଆ, ଖାଲଖମା ରାସ୍ତାରେ  ବାରମ୍ବାର ମରାମତି ନିଜ ଖର୍ଚରେ ଗ୍ରାମବାସୀ ତିଆରି କରୁଥିବା ବେଳେ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ଏଭଳି ପରିସ୍ଥିତିରେ ଜରୁରୀକାଳୀନ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ପହଞ୍ଚିବା କାଠିକର ପାଠ ସଦୃଶ୍ୟ। ଯାହାଫଳରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ରୋଗୀକୁ ଦୋଳାରେ ବୋହି ମେଡିକାଲ ପର୍ଯ୍ୟନ୍ତ ନେବାକୁ ପଡୁଛି। ନିଜ ଗ୍ରାମରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ତୁଳସୀ ନଗର ବାସିନ୍ଦା ବାରମ୍ବାର ପ୍ରଶାସନକୁ ଜଣାଇ ଆସୁଛନ୍ତି। କିନ୍ତୁ ଫଳ ଶୂନ। ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ଥିବା ଓ ଲିଖିତ ଦରଖାସ୍ତ ଦେଇଥିବା କହିଛନ୍ତି ଢେପାଗୁଡା ସରପଞ୍ଚ ସରସ୍ବତୀ ମଲ୍ଲିକ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଥିବା ଡ଼ିଣ୍ଡିମ ପିଟୁ ଥିବାବେଳେ ତୁଳସୀ ନଗର ଗ୍ରାମରେ ବିକାଶ ଅପହଞ୍ଚ ହୋଇ ପଡ଼ି ରହିଛି। ଏହି ଗ୍ରାମରେ ରହିଥିବା ବିବିଧ ସମସ୍ୟାର କେବେ ହେବ ସମାଧାନ , କେବେ ଭାଙ୍ଗିବ ପ୍ରଶାସନର ନିଦ ତାହା ସମୟ ହିଁ କହିବ।

Comments are closed.