୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଆନ୍ତଃରାଜ୍ୟ ମାଫିଆ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ପୁଲିସକୁ ମିଳିଛି ପୁଣି ସଫଳତା। କିଛି ମାସ ଭିତରେ ସ୍ଥାନୀୟ ବ୍ଳକରୁ କୋଟି କୋଟି ଟଙ୍କାର ଗଞ୍ଜେଇ , ଗାଡ଼ି ଜବତ ହେବା ସହ ୩୦ରୁ ଉର୍ଦ୍ଧ୍ଵ ରାଜ୍ୟ ଓ ଆନ୍ତଃରାଜ୍ୟ ମାଫିଆଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ତଥାପି ଗଞ୍ଜେଇର ସ୍ଵାଦ ଛାଡ଼ି ପାରୁନାହାନ୍ତି ମାଫିଆମାନେ। ରାତାରାତି ଲକ୍ଷାଧିପତି ହେବାର ସ୍ୱପ୍ନ ଦେଖି ଗଞ୍ଜେଇର ଭୂସର୍ଗ ମୋହନା ବ୍ଳକକୁ ଛାଡ଼ି ପାରୁନାହାନ୍ତି। ମଙ୍ଗଳବାର ଦିବା ୧୧ଟା ବେଳେ ଏସ‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ୍ କୁମାର ନାୟକଙ୍କ ନେତୃତ୍ଵରେ ମୋହନା ନିକଟସ୍ଥ ଜାତୀୟ ରାଜପଥ ୩୨୬ ରାଇସିଂ ଛକ ଠାରେ ଅଡବା ପଟୁ ଆସୁଥିବା ଏକ ଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଟ୍ରକ୍ ଭିତରୁ ୨୨ ଟି ଜରି ବସ୍ତାରେ ୫୭୮ କିଲୋ ଗଞ୍ଜେଇ ଜବତ କରାଯିବା ସହ ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ବିହାର ରାଜ୍ୟ ଔରାଙ୍ଗବାଦ ଜିଲ୍ଲାର ବିରେନ୍ଦ୍ର ଯାଦବ ଏବଂ ରୂପେଶ କୁମାର ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Comments are closed.