ସାଧାରଣ ଓ ପଛୁଆ ବର୍ଗ ପିଲାଙ୍କ ପାଇଁ ବିଦ୍ୟାଳୟରେ ସ୍ଥାନ ନାହିଁ; ବିଦ୍ୟାର୍ଥୀ ଓ ଅଭିଭାବକ ହନ୍ତସନ୍ତ

ମୋହନା: ସ୍ଥାନୀୟ ପଞ୍ଚାୟତରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢିବା ପାଇଁ ସାଧାରଣ ବର୍ଗ ଓ ପଛୁଆ ବର୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ସ୍ଥାନ ନଥିବାରୁ ଓ ସେମାନେ ନାମଲେଖାରୁ ବଞ୍ଚିତ ହେଉଥିବା ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୋହନା ଗ୍ରାମପଞ୍ଚାୟତ ଅଧିନ ଖାରିଗୁଡା, କଣ୍ଟେଇକୋଳି, ବେତାରସିଙ୍ଗ, ମୋହନା, ରଙ୍ଗମାଟିଆଠାରେ ରହିଥିବା ବିଦ୍ୟାଳୟଗୁଡିକରୁ ପ୍ରତ୍ୟେକ ବର୍ଷ ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥାନ୍ତି। କିନ୍ତୁ ନୂତନ ଶିକ୍ଷାବର୍ଷ ଆସିଗଲେ ନବମ ଶ୍ରେଣୀରେ ପାଠପଢିବା ଶିକ୍ଷାର୍ଥୀ ଓ ଅଭିଭାବକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଏ । ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ(ଏସଏସଡି)ରେ କେବଳ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟରେ ୮୦ ସିଟ୍ ରହିଛି। ଏହା ସହିତ କସ୍ତୁରବା ଆବାସିକରେ ୧୦୦ରୁ ଊର୍ଦ୍ଧ୍ଵ ଛାତ୍ରୀ ଅଧ୍ୟୟନ କରନ୍ତି। ଏହା ବ୍ୟତୀତ ମୋହନା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠପଢା ପାଇଁ ଅବିଭାବକଙ୍କ ଆର୍ଥୀକ ଅଭାବ ଓ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟରେ ସୀମିତ ସିଟ୍ ଏବଂ ବାଳକମାନଙ୍କ ପାଇଁ ସ୍ଥାନ ନାହିଁ। ଏଣୁ ପ୍ରତ୍ୟେକ ବର୍ଷ ଶତାଧିକ ଛାତ୍ରଛାତ୍ରୀ ମୋହନାଠାରୁ ୪ ରୁ ୮ କିମି ଦୂରରେ ଅବସ୍ଥିତ ପିଣ୍ଡିକି, ଲିଲିଗଡ, ଲୁହାଗୁଡି, କରଚ଼ବାଡି ଆଦି ବିଦ୍ୟାଳୟକୁ ବାଧ୍ୟହୋଇ ପାଠ ପଢିବାକୁ ଯିବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଗଲେ ପିଲାର କେଉଁ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଯିବ ତାହାକୁ ନେଇ ଅବିଭାବକ ମହଲରେ ଚିନ୍ତା ବଢିଯାଏ। ସାଧାରଣ ବର୍ଗ, ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ସମସ୍ତଙ୍କୁ କଷ୍ଟଦାୟକ ହୁଏ । ଏଣୁ ମୋହନା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀଙ୍କୁ ପାଠପଢିବାର ଅନୁମତି ପ୍ରଦାନ କରିବା ପାଇଁ ବିଦ୍ୟାର୍ଥୀ, ଅଭିଭାବକ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ଅଞ୍ଚଳବାସୀ ମିଳିତଭାବେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ଯଥାଶୀଘ୍ର ଅଞ୍ଚଳବାସୀଙ୍କ ଏହି ଦାବି ପ୍ରତି ଜିଲ୍ଲା ପ୍ରଶାସନ ତ୍ଵରିତ ପଦକ୍ଷେପ ଗ୍ରହଣ ନକଲେ, ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ମୋହନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସ୍ଥାନୀୟ ସମିତି ସଭ୍ୟ ବାଳକୃଷ୍ଣ ମଳିକ, ଶିକ୍ଷାବିତ ମଧୁସୂଦନ ପାଢୀ, ମାର୍ଶାଲ ନାୟକ, ରମେଶ ଚନ୍ଦ୍ର ମହାପାତ୍ର, ସମାଜସେବୀ ଜିତେନ୍ଦ୍ର କୁମାର ବେହେରା, ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା କମିଟି ସଭାନେତ୍ରୀ ଗୀତାଜଂଳୀ ନାୟକ, ଉପ ସଭାପତି କାଳିଆ ସ୍ୱାଇଁ, ସଭ୍ୟ ବୁଲୁ ବେହେରାଙ୍କ ସମେତ ଶତାଧିକ ଅବିଭାବକଙ୍କ ଉପସ୍ଥିତିରେ ବାଳକ ବିଦ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ମୋହନା ପ୍ରେସ କ୍ଲବର ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

Comments are closed.