ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲା ପରିବାର

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବୁଡାନେଲିଡି ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୂବକ ଜଣକ ହେଲେ ଝିଲିକି ଗାଁର ନନ୍ଦ ନାୟକ(୩୫)। ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ଗତକାଲି ସନ୍ଧ୍ୟାରୁ ନନ୍ଦ ଘରୁ ବାହାରି ବୁଡାନେଲିଡି ଗାଁ ନିକଟସ୍ଥ ଜଙ୍ଗଲକୁ ସଲପ ମଦ ଆଣିବାକୁ ଯାଇ ଆଉ ରାତିରେ ଘରକୁ ଫେରିନଥିଲେ। ସକାଳୁ ମୃତ ବ୍ୟକ୍ତିଙ୍କ ମାଆ ଜଙ୍ଗଲକୁ ଯାଇ ବହୁ ଖୋଜା ଖୋଜି କରିବା ସମୟରେ ସଲପ ବସା ନିକଟର ପହଞ୍ଚିଥିଲେ। ପହଞ୍ଚି ଦେଖିଲେ ତାଙ୍କ ପୁଅ ମୁଣ୍ଡ ତଳକୁ କରି ପଡିଛନ୍ତି। ତାପରେ ସେ ଗାଁକୁ ଯାଇ ବଡପୁଅ ରାଜୁ ନାୟକ ଓ ପରିବାର ଲୋକଙ୍କୁ ଖବରଦେବା ପରେ ଘଟଣାସ୍ଥଳରେ ସମସ୍ତେ ପହଞ୍ଚି ତାଜୁକ୍ ହୋଇଗଲେ। ସଙ୍ଗେସଙ୍ଗେ ପରିବାର ଲୋକେ ଅଡବା ଥାନାରେ ଏ ବିଷୟରେ ଅଭିଯୋଗ କରିଥିଲେ। ଅଡବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସମୟରେ ନନ୍ଦର ମୃତଦେହ ଠାରୁ ୫୦୦ ମିଟର ଦୂରରେ ସଲପ ଭର୍ତ୍ତି ହୋଇଥିବା ମଦ ଓ କିଛି ଖାଦ୍ୟ ସାମଗ୍ରୀ ଦୂରକୁ ପଡିଥିବା ଦେଖିଥିଲେ। ଅଡବା ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଆଲୋକ ରଞ୍ଜନ ଜଗଦଲା ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛୀ।

Comments are closed.