ଶାନ୍ତି କମିଟିକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ

ମୋହନା: ଶାନ୍ତି କମିଟିକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ଅଫିସ ସାମ୍ନାରେ ଧାରଣାରେ ବସିଲେ ବାହାଡ଼ାପଦା ମହିଳାମାନେ । ଦୀର୍ଘ ସମୟ ଧାରଣାରେ ବସିବା ପରେ ଶେଷରେ ଉତ୍ୟକ୍ତ ମହିଳାମାନେ ତହସିଲ କାର୍ଯ୍ୟାଳୟ ଭିତରକୁ ଧସେଇ ପସିଲେ । ଗଜପତି ଜିଲା ମୋହନା ଥାନା ଚରିଆବାଡ଼ରେ ଥିବା ସରକାରୀ ଜମିକୁ ନେଇ ଉଭୟ ବାହାଡ଼ାପଦା ଓ ବିଜିପୁର ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରେ ୨ଥର ଶାନ୍ତି କମିଟି ବୈଠକ ଚନ୍ଦ୍ରଗିରି ଫାଣ୍ଡିରେ ବସିଥିଲା। କିନ୍ତୁ ବୈଠକରେ କୌଣସି ନିଷ୍କର୍ଷ ନ ବାହାରିବାରୁ ବାହାଡ଼ାପଦା ଗାଁ ପକ୍ଷରୁ ଉପସ୍ଥିତ ଥିବା ୪ ଜଣଙ୍କୁ ପୁଲିସ ଜୋର ଜବରଦସ୍ତ ଦସ୍ତଖତ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମହିଳାମାନେ । ସମ୍ପୃକ୍ତ ୪ ଜଣ ବ୍ୟକ୍ତି ଶାନ୍ତି କମିଟି ବୈଠକରେ କାହିଁକି ଉପସ୍ଥିତ ରହି ଚୁକ୍ତିନାମା କାଗଜରେ ଦସ୍ତଖତ କଲେ ତାହାକୁ ବିରୋଧ କରି ୪ ଜଣଙ୍କୁ ଗାଁରେ ପୁରାଇ ଦେଉନାହାନ୍ତି । ଫଳରେ ଗତକାଲି ଠାରୁ ସେମାନେ ନିଖୋଜ ଅଛନ୍ତି । ଆମକୁ ଶାନ୍ତି କମିଟି ଦରକାର ନାହିଁ, ଆମ ଜମି ଆମକୁ ଦରକାର ବୋଲି ଜିଦରେ ଅଟଳ ଅଛନ୍ତି ବାହାଡ଼ାପଦା ମହିଳାମାନେ । ପୁଲିସ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝ କରିବା ପରେ ଘଟଣା ସ୍ଥଳରୁ ମହିଳାମାନେ ଚାଲି ଯାଇଥିଲେ । ଏନେଇ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ତହସିଲଦାର କିଶୋର ଚନ୍ଦ୍ର ଦାସ।

Comments are closed.