ଆଶା କର୍ମୀ ସଂଘର ସମାବେଶ, ବେତନ ବ୍ୟବସ୍ଥା ନହେଲେ ଜୋରଦାର ଆନ୍ଦୋଳନ

ମୋହନା: ଗଜପତି ଜିଲ୍ଲା ମୋହନା ବିଜୁ କଲ୍ୟାଣ ମଣ୍ଡପଠାରେ ଆଶା କର୍ମୀ ସଂଘର ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏଆରଟିୟୁସି ଦ୍ଵାରା ଆୟୋଜିତ ସଭାରେ ଜିଲ୍ଲା ସଂଯୋଜକ ଯତୀନ୍ଦ୍ରନାଥ ସଭାପତି ଓ ଆଶାକର୍ମୀ ସଂଘର ମୋହନା ବ୍ଲକ ସଭାନେତ୍ରୀ ନିରୁପମା ନାୟକଙ୍କ ଅଧ୍ୟକ୍ଷତାରେ ଏହି ସମାବେଶ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏ ଆଇଟିୟୁସି ରାଜ୍ୟ ସଭାପତି ବିଜୟ ଜେନା ଯୋଗଦେଇ ଆଶା କର୍ମୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ। ୨୦୦୫ରୁ ଆଶାକର୍ମୀ ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରି ଆସୁଛନ୍ତି। ଗର୍ଭବତୀ ମା ମାନଙ୍କ ଦାୟିତ୍ଵ ନେବା ସହ ସୁରକ୍ଷିତ ପ୍ରସବ ପାଇଁ ଧ୍ୟାନ ଦେଇଥାନ୍ତି।

ସେଥିପାଇଁ ଗତ କିଛି ବର୍ଷ ହେଲା ରାଜ୍ୟରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି। କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଆଶା କର୍ମୀ ମାନେ ଘର ଘର ବୁଲି ଲୋକଙ୍କ ସେବା କରି ଆସୁଥିଲେ। ଆଶାକର୍ମୀମାନେ ସରକାରକୁ ସବୁ ଯୋଜନା ସଫଳ କରିବାରେ ପ୍ରମୁଖ ଭୂମିକା ନେଉଥିଲେ ମଧ୍ୟ ସେମାନଙ୍କ ପ୍ରତି ଦୃଷ୍ଟି ଦେଉ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ନିଖିଲ ଓଡ଼ିଶା ଆଶାକର୍ମୀ ମହାସଂଘର ରାଜ୍ୟ ସଂପାଦିକା ନମିତା ସାହୁ ଯୋଗଦେଇ ମୋହନା ମେଡ଼ିକାଲ କର୍ତ୍ତୃପକ୍ଷ ଆଶା କର୍ମୀ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି। ଆଶାକର୍ମୀ ମାନଙ୍କୁ ପ୍ରତି ମାସ ୧୦ ତାରିଖ ସୁଦ୍ଧା ସେମାନଙ୍କ ପାରିଶ୍ରମିକ ପ୍ରଦାନ ପାଇଁ ନିୟମ ଥିଲେ ମଧ୍ୟ ମୋହନା ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସେହିଭଳି ଆଶା କର୍ମୀ ମାନଙ୍କ ପାଇଁ ମେଡିକାଲରେ ବିଶ୍ରାମ କକ୍ଷ ନାହିଁ। ଏଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ସହ ସେମାନଙ୍କ ପାଇଁ ବେତନ ବ୍ୟବସ୍ଥା କରାଯାଉ ବୋଲି ସରକାରଙ୍କ ଠାରେ ଦାବି କରିଛନ୍ତି। ଯଦି ପ୍ରଶାସନ ତଥା ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଆଶା କର୍ମୀ ସଂଘ। ଏହି ସମାବେଶ ରେ ବ୍ଲକ ସଂଯୋଜକ ସୁନେଲି ବଳିଆର ସିଂ, ସମ୍ପାଦିକା ପ୍ରମିଳା ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.