ପାହାଡ଼ି ରାସ୍ତା ପାଲଟିଛି ମରଣଯନ୍ତ୍ରା, ଦୋଳାରେ ବୁହା ହେଲେ ରୋଗୀ

ମୋହନା: ରାଜ୍ୟ ସରକାର ଗାଁ ଠାରୁ ସହରର ଦୂରତା କମାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଛନ୍ତି ରାସ୍ତା। ହେଲେ ପ୍ରଶାସନର ଆନ୍ତରିକତାର ଅଭାବ ପାଇଁ ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ। ଗଜପତି ଜିଲା ମୋହନା ବ୍ଲକର ସ୍ଥାନୀୟ ପଞ୍ଚାୟତ ଠାରୁ ମାତ୍ର ୪ କିମି ଦୂରତାରେ ଅବସ୍ଥିତ ହୁଏରି ଗ୍ରାମ। ମୁଖ୍ୟ ସଡ଼କରୁ ମାତ୍ର ଦୁଇ କିମି ରାସ୍ତା ଗ୍ରାମକୁ ନଥିବାରୁ ବିଭିନ୍ନ ସମୟରେ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଗ୍ରାମବାସୀଙ୍କର ଗୁହାରି କେହି ଶୁଣିବାକୁ ନାରାଜ। ପାହାଡ଼ି ରାସ୍ତା ପାଲଟିଛି ମରଣଯନ୍ତ୍ରା। ଯଦ୍ୱାରା ଗତବର୍ଷ ଡ଼ିସେମ୍ବର ମାସରେ ଝିପି ଝିପି ବର୍ଷାରେ ଗ୍ରାମର ଜଣେ ଗର୍ଭବତୀ ମହିଳା ଓ ନବଜାତ ଶିଶୁକୁ ଖଟିଆରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୋହି ଆଣିଥିଲେ ଗ୍ରାମର କିଛି ଲୋକ । ଏହି ଗ୍ରାମର ରାସ୍ତାର ଦୁରାବସ୍ଥାକୁ ନେଇ ବାରମ୍ବାର ଖବର ପ୍ରସାରଣ ସତ୍ତ୍ବେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ନ ପାଇବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୁଧବାର ଦିନ ଗ୍ରାମର ସେବତୀ ମଳିକ (୫୫) ଘରେ ଗୋଡ଼ ଖସି ପଡି ଯିବା ଫଳରେ ଅଣ୍ଟାରେ ଆଘାତ ଲାଗିବାରୁ ଗ୍ରାମବାସୀ ଦୋଳା କରି କାନ୍ଧରେ ବୋହି ପାହାଡିଆ ଦୁର୍ଗମ ରାସ୍ତାରେ ୨ କିମି ଆଣିବା ପରେ ଏକ ଅଟୋ ଭଡା କରି ସେଠାରୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଛନ୍ତି। ଗ୍ରାମର ରାସ୍ତାକୁ ନେଇ ଗ୍ରାମବାସୀ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଓ ମୌଖିକ ଅଭିଯୋଗ କରି ଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନି। ଯଦ୍ୱାରା ଗ୍ରାମବାସୀ ରାସ୍ତା ସମସ୍ୟା ଯୋଗୁଁ ବିଭିନ୍ନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ ଦାବି ହେଉଛି।

Comments are closed.