ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ମୋହନା: ଗଜପତି ଜିଲ୍ଲା ରା. ଉଦୟଗିରି ଥାନା ଅନ୍ତର୍ଗତ କଇଠଢେପ ଗାଁ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି ପୁଲିସ । ମୃତ ଯୁବକ ଜଣକ ହେଲେ ମାଛଘରା ଗାଁର କାବଲା ବଳିଆରସିଂ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ପୁଲିସ ମୃତ ଯୁବକଙ୍କ ସାନ ଭାଇ ଓ ଜଣେ ସହଯୋଗୀକୁ ଅଟକ ରଖି ପଚରା ଉଚରା କରୁଛି । ଅପରପକ୍ଷେ ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତ ୧୭ ତାରିଖରେ ମୃତ କବୁଲା ଓ ତାଙ୍କ ସାନଭାଇ ଦୁହେଁ କାନକଟା ଗାଁରେ ଏକ ଭୋଜିରେ ଯୋଗଦେବା ପରେ ସେଠାରୁ କଇଠଢେପ ଗାଁକୁ ମଦ ପିଇବାକୁ ଯାଇଥିଲେ। ବୁଧବାର କାବୁଲାଙ୍କ ମୃତଦେହ କଇଠଢେପ ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତା ପାର୍ଶ୍ୱରେ ପଡ଼ିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତ କାବୁଲାର ବଡ଼ ଭାଇଙ୍କୁ କଇଠଢେପ ଗାଁର କିଛି ଲୋକେ ମିଶି ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ସାନ ଭାଇ ସମେତ ସଙ୍ଗାତକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମୃତଦେହର ବିଭିନ୍ନ ସ୍ଥାନରେ ପୋଡ଼ା କ୍ଷତ ଚିହ୍ନ ଥିବା ବେଳେ କେଉଁ କାରଣରୁ ହତ୍ୟା କରାଯାଇଛି ତଦନ୍ତ ପରେ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି।

Comments are closed.