ଖାରିଗୁମା : ପାନୀୟ ଜଳ ଓ ରାସ୍ତା ନିର୍ମାଣ ନହେଲେ ଭୋଟ ବର୍ଜନ ଓ ବ୍ଳକ ଘେରାଉ

ମୋହନା: ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତର ଜନସାଧାରଣ ବ୍ଳକକୁ ଯାତାୟତ କରିବା ପାଇଁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ଏହି ପରିପେକ୍ଷୀରେ ମୋହନା ବ୍ଳକ ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ଅଧିନ ଖାରିଗୁମା ଗ୍ରାମର ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ଲୋକ ଦୀର୍ଘଦିନ ଧରି ରାସ୍ତା ଓ ପାନୀୟ ଜଳର କଷ୍ଟ ଅନୁଭବ କରି ଆସୁଛନ୍ତି। ଏ ସମ୍ପର୍କରେ ପୂର୍ବତନ ଜିଲାପାଳ, ବିଡିଓ, ଗ୍ରାମ୍ୟ ଉନ୍ନୟନ ବିଭାଗ , ଜିପିଇଓଙ୍କୁ ଲିଖିତ ଓ ମୌଖିକ ଭାବେ ଦାବି ଜଣାଇ ଆସୁଛନ୍ତି। ପ୍ରଶାସନ ସେମାନଙ୍କୁ କିଛିଦିନ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ବିଭିନ୍ନ ସମୟରେ ପ୍ରତିଶୃତି ମଧ୍ୟ ଦେଇଛନ୍ତି। କିନ୍ତୁ ଫଳ ଶୂନ।

 

ଖାରିଗୁମା ଗ୍ରାମକୁ ଯାଇଥିବା ରାସ୍ତା ଉପରେ ତିନୋଟି ପଞ୍ଚାୟତ ବାଘମାରି, ବଡସିଦ୍ଧବା ଓ ଯୁବ ପଞ୍ଚାୟତର ୨୦ରୁ ୨୫ ଗ୍ରାମର ଶହଶହ ଲୋକେ ରାତି ପାହିଲେ ବିଭିନ୍ନ କାମରେ ସରକାରୀ, ବେସରକାରୀ ଓ ବେପାର ବଣିଜ ପାଇଁ ଯିବା ଆସିବା କରିଥାନ୍ତି। କିନ୍ତୁ ଖାରିଗୁମା ଗ୍ରାମଠାରୁ ମୋହନାକୁ ସଂଯୋଗ କରୁଥିବା ରାସ୍ତାର ଖାରିଗୁମା ଠାରୁ ହୁଣ୍ଡିପଦର ୨ କିମି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରୋଗୀ ଓ ପ୍ରସୂତିଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା କଷ୍ଟକର ହୋଇପଡ଼ୁଛି। ସେଭଳି ଗ୍ରାମରେ ରହିଥିବା ୪ଟି ସାହିରେ ମାତ୍ର ୪ଟି ନଳକୂପ ରହିଛି। ଯାହାକି ଖରାଦିନେ ଜଳସ୍ତର କମିବା ଫଳରେ ପାନୀୟ ଜଳ ଠିକ ଭାବେ ପାଇବା ସମ୍ଭବପର ହୋଇପାରୁନି। ନଳକୂପରୁ କଳଙ୍କି ଓ ଦୂଷିତ ଜଳ ବାହାରୁଛି। ସେହି ଜଳ ପିଇ ଲୋକେ ବିଭିନ୍ନ ସମୟରେ ପେଟ ଜନିତ ରୋଗରେ ଆକ୍ରାନ୍ତ ମଧ୍ୟ ହେଉଛନ୍ତି। ଏଣୁ ପାନୀୟ ଜଳ ଓ ରାସ୍ତା ସମସ୍ୟାର ସମାଧାନ ଯଦି ୧୦ ଦିନ ମଧ୍ୟରେ ପୂରଣ କରାନଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ ଓ ବ୍ଲକ ଘେରାଉ କରିବେ ବୋଲି ଗ୍ରାମବାସୀ ଏକ ଲିଖିତ ଅଭିଯୋଗ ବିଡିଓ ତପସ୍ବିନୀ ହାସଁଦାଙ୍କୁ ଦେଇଛନ୍ତି।

Comments are closed.