ବାଟବଣା ଉଜ୍ଜଳା ଯୋଜନା, ଏବେ କାଠ ଭରସାରେ ଜଳୁଛି ଚୁଲି

ମୋହନା: କେନ୍ଦ୍ର ସରକାର ମହିଳାଙ୍କ ପାଇଁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଯେପରିକି ସୁକନ୍ୟା ଯୋଜନା ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଓ ସୌଭାଗ୍ୟ ଭଳି ଅନେକ ଯୋଜନା। ମହିଳାମାନେ କାହାରି ଉପରେ ନିର୍ଭର ନକରି ନିଜେ ରୋଜଗାରକ୍ଷମ ହୋଇପାରିବେ। ଜଙ୍ଗଲକୁ ନଷ୍ଟ ନକରିବା, କାଠ ଧୂଆଁରୁ ମୁକ୍ତି ପାଇଁ, ରୋଷେଇରେ କାଠ ଓ ଗୋବର ଘସି ବ୍ୟବହାର ନକରିବା ପାଇଁ ଆରମ୍ଭ କଲେ ମାଗଣା ଉଜ୍ଜଳା ଯୋଜନା। ଲକ୍ଷ ଲକ୍ଷ ଗରିବ ପରିବାରଙ୍କୁ ମାଗଣାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଣ୍ଟନ କରାଗଲା ଗ୍ୟାସ। ହେଲେ ଦିନକୁ ଦିନ ଗ୍ୟାସର ଅହେତୁକ ଦରବୃଦ୍ଧି ଘଟିବାରୁ ଗରିବ ମଜୁରିଆ, ଖଟିଖିଆଙ୍କ ପାଖରେ ଅର୍ଥର ଅଭାବ ଥିବାରୁ ଗ୍ୟାସ କିଣିବା ସମ୍ଭବପର ହୋଇ ପାରୁନି। ଯାହାଫଳରେ ଗ୍ରାମାଞ୍ଚଳ ଲୋକେ ପୁଣି ଚିରାଚରିତ କାଠ ଚୁଲିକୁ ଆବୋରିଲେଣି।

ସ୍ଥାନୀୟ ପଞ୍ଚାୟତର ବହୁ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ମୋହନା ବ୍ଳକର ହୁଏରି ଗ୍ରାମ। ସେଠାକାର ଲୋକେ ଗ୍ୟାସ କଣ ଜାଣି ନାହାଁନ୍ତି। କୌଣସି ଗ୍ୟାସ ସଂସ୍ଥାର ବିତରକ ସେହି ଗ୍ରାମରେ ପହଞ୍ଚି ନାହାନ୍ତି କି ଲୋକଙ୍କୁ ସଚେତନ ମଧ୍ୟ କରିନଥିବା ଲୋକେ କହିଛନ୍ତି। ସେହିପରି କୁମ୍ଭୀମେରା ଗ୍ରାମରେ ପ୍ରାୟ ୨୦ରୁ ଉର୍ଦ୍ଧ୍ଵ ଲୋକେ ଠକାମିର ଶିକାର ହୋଇଛନ୍ତି। ଟଙ୍କା ଦେଇ ଗ୍ୟାସ ମଧ୍ୟ ପାଇନାହାନ୍ତି। ଏଭଳି କି ମୋହନାରେ ଜାଲ ଗ୍ୟାସ ସିଲ ମଧ୍ୟ ବ୍ୟବହାର ହେଉଥିବା ଶୁଣିବାକୁ ମିଳୁଛି। ଦୁର୍ଗାମାଞ୍ଚଳରେ ଏବେ ମଧ୍ୟ କାଠ ଚୁଲି ଉପରେ ନିର୍ଭୟ କରୁଛନ୍ତି ମହିଳା।

Comments are closed.