କାମ ସରିନି ହେଲେ ଉଦଘାଟନ ହେଲା ସ୍ମାର୍ଟ କ୍ଳାସ

ମୋହନା: ଗଜପତି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫ଟି ଅଧିନରେ ୫ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଭିଡିଓ କନଫରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। କିନ୍ତୁ ଶିକୁଳିପଦର ବିଦ୍ୟାଳୟରେ ଏହି ଉଦଘାଟନ ସମାରୋହରେ କନିଷ୍ଠ ଯନ୍ତ୍ରୀ ହରିକୃଷ୍ଣ ସାହୁଙ୍କୁ ଛାଡି ଦେଲେ ଅନ୍ୟ କୌଣସି ଅଧିକାରୀଙ୍କ ଦେଖା ଦର୍ଶନ ନ ଥିଲା। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଉଦଘାଟନ ସ୍ଥଳକୁ ଡକା ଯାଇନଥିଲା। ଯାହାଫଳରେ ପ୍ରତିନିଧିଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା।

ଅପରପକ୍ଷେ ଛେଳିଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଲାଇବ୍ରେରୀ ଗୃହ, ପାର୍କ, ବଗିଚା, ରାସ୍ତାକାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ତରବରିଆ ଭାବେ ସ୍ମାର୍ଟ କ୍ଳାସର ଉଦଘାଟନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ୫ଟା ୩୦ରେ କାର୍ଯ୍ୟକ୍ରମକୁ ଉଦଘାଟନ କରୁଥିବା ବେଳେ ବିଦ୍ୟାଳୟରେ ଲାଇବ୍ରେରୀ ଗୃହ ଓ ରାସ୍ତାକାମ ଚାଲୁରହିଥିଲା। କାମ କରୁଥିବା ମଜୁରିଆଙ୍କୁ ପଚାରିବାରୁ ସେ କହିଛନ୍ତି ରାତି ଦିନ ଏକ କରି କାମ ଚାଲିଥିବା ବେଳେ ସ୍ୱଳ୍ପ ସମୟ ପାଇବା ଯୋଗୁଁ କାମ ସରିନାହିଁ, କିନ୍ତୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଉଦଘାଟନ କରାଯାଇଛି। ଏ ସମ୍ପର୍କରେ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ବିରଜା ପ୍ରସାଦ ପଣ୍ଡା କହିଛନ୍ତି ଲାଇବ୍ରେରୀ ଗୃହ କାମ ନ ସରିବାରୁ ତାକୁ ଅନ୍ୟସ୍ଥାନରେ ଅସ୍ଥାୟୀ ଭାବେ କରାଯାଇଛି। କାମ ସରିବା ପରେ ସ୍ଥାୟୀ ଗୃହ କାର୍ଯ୍ୟକ୍ଷମ ହେବ। ଅନ୍ୟପଟେ ଶୌଚାଳୟ ଗୃହରେ ଉଦଘାଟନ ହେବା ପୂର୍ବରୁ କାନ୍ଥରେ ଫାଟ ଦେଖାଦେଇଛି। ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ପୁରୁଣା କାନ୍ଥରେ ରଙ୍ଗ ଦେଲେ ଏଭଳି ଦେଖାଯିବ। ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ଥିବାରୁ ତରବରିଆ ଭାବେ କାମ କରିବାରୁ ଏଭଳି ହୋଇଛି। ଏ ବିଷୟରେ ରା.ଉଦୟଗିରି ବିଡ଼ିଓ ପ୍ରଦୀପ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ୮୦ ପ୍ରତିଶତ କାମ ସରିଯାଇଛି ମାତ୍ର ବଗିଚା କାମ ବାକି ରହିଛି କାରଣ କୃଷି ବିଭାଗ ଏହି କାମକୁ ସମ୍ପୂର୍ଣ୍ଣ କରି ନାହାନ୍ତି। କାମ ନସରୁଣୁ ତରବରିଆ ଭାବେ ସ୍ମାର୍ଟ କ୍ଳାସ ଗୃହ ଉଦଘାଟନ ହୋଇଥିବାରୁ ଏହାକୁ ଛେଳିଗଡବାସୀ ନାପସନ୍ଦ କରିଛନ୍ତି।

Comments are closed.