କର୍ମଚାରୀଙ୍କ କ୍ଷମତା ମୋହରେ ବୁଡି ଯାଉଛି ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ

0

ମୋହନା : ଗଜପତି ଜିଲ୍ଲା ମୋହନାରେ ରହିଛି ଏକମାତ୍ର ସ୍ୱତନ୍ତ୍ର ବିଦ୍ୟାଳୟ ମହରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ। ୧୯୯୩ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ବର୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୭୯ ଥିବା ବେଳେ ପୁରୁଣା କର୍ମଚାରୀ ସଂଖ୍ୟା ୧୭ ଓ ନୂତନଭାବେ କାର୍ଯ୍ୟରେ ଯୋଗ ଦେଇଥିବା କର୍ମଚାରୀ ସଂଖ୍ୟା ୭। କମିଟିର ବିନା ପରାମର୍ଶରେ ନୂତନଭାବେ ୭ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହିତ କମିଟିକୁ ନଜଣାଇ ସେମାନଙ୍କଠାରୁ ମୋଟା ଅଙ୍କର ପାଉଣା ନେଇଥିବା ଅଭିଯୋଗ ହୋଇଛି। ପୂର୍ବତନ ସମ୍ପାଦକ ଦଣ୍ଡାସି ସାହୁ ୨୦୦୩ ମସିହାରୁ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ରହି ଆସିଛନ୍ତି। ୧୫ ବର୍ଷ ମଧ୍ୟରେ ୩ ଥର କମିଟି ଗଠନ ହୋଇଥିବା ବେଳେ ସେ ନିଜେ ମନମୁତାବକ କମିଟି ନିଜେ ଗଠନ କରି ମନମୁଖୀଭାବେ ବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରି ପ୍ରଧାନ ଶିକ୍ଷକଙ୍କୁ ନପଚାରି ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। କର୍ମଚାରୀ ମାନେ ଦରମା ମାଗିଲେ ସେମାନଙ୍କୁ ନାଲି ଆଖି ଦେଖାଇ ଥାନାରେ ଓ ଜେଲରେ ପୁରାଇ ଦେବାର ଭୟ ଦେଖାଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଫଳରେ କର୍ମଚାରୀମାନେ ଦଣ୍ଡାସି ସାହୁଙ୍କ ଚଉକି ମୋହ ସାଙ୍ଗକୁ ନାଲି ଆଖିର ଭୟରେ ଭୟଭିତ ଥିବା ଅଭିଯୋଗ କରିଛନ୍ତି। 

ଭାରତ ସରକାରଙ୍କ ଦୀନ ଦୟାଲ ଉପାଧ୍ୟାୟ ଯୋଜନାରୁ ଆସୁଥିବା ଆର୍ଥିକ ସହାୟତା ରାଶିକୁ ବିଗତ ଦିନରେ ନିଜ ପାଖରେ ରଖି ବ୍ୟବସାୟରେ ଖଟାଇଥିବା ମଧ୍ୟ ଅଭିଯୋଗ କରାଯାଇଛି। କର୍ମଚାରୀମାନେ ଦୀର୍ଘମାସ ଧରି ଦରମା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପ୍ରକାଶ ଥାଉକି ବିଦ୍ୟାଳୟର ବାଇଲ ଅନୁସାରେ ଜଣେ ପରିଚାଳନା କମିଟି ସମ୍ପାଦକଙ୍କ କାର୍ଯ୍ୟକାଳ ୫ ରୁ ୧୦ ବର୍ଷ ରହିଥିବା ବେଳେ ଦଣ୍ଡାସି ସାହୁଙ୍କୁ ଦୀର୍ଘ ବର୍ଷ ଧରି ରହି ଆସିଛନ୍ତି। ଏହି ସମସ୍ତ ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଚଳିତ ମାସ ୫ ତାରିଖରେ ବିଦ୍ୟାଳୟ ପରିସରରେ ପରିଚାଳନା କମିଟିର ଉପସଭାପତି ପୁର୍ବତନ ସରପଞ୍ଚ ସୁଷମା ମଳିକଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରି ବିଦ୍ୟାଳୟର ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ପୂର୍ବତନ ସମ୍ପାଦକ ଦଣ୍ଡାସି ସାହୁଙ୍କୁ ଉକ୍ତ ବୈଠକରେ ଯୋଗ ଦେବା ନିମନ୍ତେ ପ୍ରଧାନ ଶିକ୍ଷକ ଜଣାଇଥିଲେ ମଧ୍ୟ ସେ ବୈଠକରେ ଅନୁପସ୍ଥିତ ରହିଥିଲେ। ଏହି ଦିନ ବିଦ୍ୟାଳୟର ଅସୁବିଧା ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରି ପୁରୁଣା କମିଟିକୁ ଭଙ୍ଗା ଯାଇ ସର୍ବସାଧାରଣଙ୍କ ସ୍ୱୀକୃତି କ୍ରମେ ନୂତନ କମିଟି ଗଠନ ହୋଇଥିଲା। ଏହି ଖବର ଶୁଣିବା ପରେ ସେ ଉତେଜିତ ହୋଇ ୬ ତାରିଖରେ ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତରେ କିରାଣୀ ତନୁଜ କୁମାର ପ୍ରଧାନଙ୍କ ବାରଣ ସତ୍ୱେ କାର୍ଯ୍ୟାଳୟ ଆଲମିରାରେ ରହିଥିବା ବିଦ୍ୟାଳୟର ପଞ୍ଜିକୃତ ନଥିପତ୍ର, ପିଡାବ୍ଲ୍ୟୁଡି ଆକ୍ଟ, ଜେଜେ ଆକ୍ଟ, ସ୍କୁଲ ପରମିସନ୍‍ ନଥିପତ୍ର, ସ୍କୁଲ ରେକୋନାଇଜସନ ନଥିପତ୍ର, ବିଦ୍ୟାଳୟ ପଟ୍ଟା, ଲ୍ୟାଣ୍ଡ ମ୍ୟାପ୍‍ ଆଦି ଦରକାର ନଥିପତ୍ର ନେଇ ଚାଲିଯାଇଥିଲେ। ପୁଣି ୭ ତାରିଖରେ ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପାତ୍ର, କିରାଣୀ ତନୁଜ କୁମାର ପ୍ରଧାନଙ୍କ ଉପସ୍ଥିତରେ ଜୋରଜବରଦସ୍ତ ୩ଟି ବ୍ୟାଙ୍କ ଜମା ଖାତା, ୩ଟି ଚେକ ବୁକ୍‍ ଆଦି ଦରକାରୀ ନଥିପତ୍ର ନେଇଥିଲେ। ଏସମସ୍ତ ବିଷୟରେ ମୋହନା ବିଡିଓ, ଥାନାଧିକାରୀ ଓ ବିଏସଏସଓଙ୍କୁ ମୌଖିକଭାବେ କର୍ମଚାରୀମାନେ ଜଣାଇବା ପରେ ବିଡିଓ ଚଳିତ ମାସ ୨୪ ତାରିଖରେ ବିିଦ୍ୟାଳୟ ପରିସରରେ ନୂତନ ଓ ପୁରାତନ କମିଟି କର୍ମକର୍ତାକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ପାଇଁ ସ୍ୱୀକୃତି ଦେଇଥିଲେ। 

ଏ ସମ୍ପର୍କରେ ମଧ୍ୟ ପୂର୍ବତନ କମିଟି ଓ ନୂତନ କମିଟିଙ୍କୁ ପ୍ରଧାନ ଶିକ୍ଷକ ଓ କର୍ମଚାରୀ ଜଣାଇଥିଲେ କିନ୍ତୁ ଏହି ଖବର ଜାଣିବା ପରେ ତରବରିଆଭାବେ ଚଳିତମାସ ୨୨ ତାରିଖରେ ସାହୁ କିଛି କର୍ମଚାରୀଙ୍କୁ ଭୟଭିତ କରାଇ ମିଟିଙ୍ଗ କରିବାକୁ କହିଥିଲେ। ଏ ନେଇ ସେ ପୁରୁଣା କମିଟି ସଦସ୍ୟ ଜୟପ୍ରକାଶ ପାଇକଙ୍କୁ ସାଥିରେ ନେଇ ବୈଠକ କରି କିଛି କର୍ମଚାରୀଙ୍କ ବିରୁଧରେ ଜବରଦସ୍ତ ସ୍ୱାକ୍ଷର କରିଥିବାର ଜଣାପଡିଛି। ଉକ୍ତ ଦିନ ସାହୁ କିଛି କର୍ମଚାରୀଙ୍କୁ ବିଡିଓ ଓ ଥାନାଧିକାରୀ ୨୪ ତାରିଖ ଦିନ ବୈଠକରେ ଯୋଗ ଦେବେ ନାହିଁ ବୋଲି କହିଥିବା ସହିତ ବିଭ୍ରାନ୍ତ ସୃଷ୍ଟି କରିଥିଲେ। ପୁର୍ବ ପ୍ରସ୍ତୁତି ପ୍ରକାରେ ବିଡିଓ ୨୪ରେ କମିଟି ସଦସ୍ୟ/ସଦସ୍ୟା, କର୍ମଚାରୀ ଓ ବିଡିଓ ପହଞ୍ଚିଥିବା ବେଳେ ବିଦ୍ୟାଳୟର ସମସ୍ତ କଠୋରୀରେ ଚାବି ପଡିଥିଲା ଚାବି ପୁର୍ବତନ ପରିଚାଳନା କମିଟି ସମ୍ପାଦକ ଦଣ୍ଡାସି ସାହୁଙ୍କ ନିକଟରେ ରହିଥିବା କିରାଣି ତନୁଜ କୁମାର ପ୍ରଧାନ କହିଥିଲେ। ବିଡିଓ ବିରକ୍ତ ହୋଇ ସମସ୍ତ କର୍ମକର୍ତାଙ୍କୁ ବ୍ଳକ କାର୍ଯ୍ୟାଳୟ ସମିତି ସଭାଗୃହରେ ବୈଠକ କରିବା ପାଇଁ କହିଥିଲେ। ବୈଠକରେ କର୍ମଚାରୀ ଓ କମିଟି ବୃନ୍ଦ ସମସ୍ତ ଅଭିଯୋଗ କହିବା ପରେ ବିଡିଓ ଓ ଥାନାଧିକାରୀ ନିଦ୍ଧିଷ୍ଟ ତାରିଖ ଧାର୍ଯ୍ୟକରି ପୁଣି ବୈଠକ ଡକାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ସ୍ୱତନ୍ତ୍ର ବିଦ୍ୟାଳୟରେ କମିଟି ଓ କର୍ମଚାରୀ ମାନଙ୍କ ଅସନ୍ତୋଷ ଲାଗି ରହିଥିବାରୁ ଏହି ଅନୁଷ୍ଠାନ ପ୍ରତି ବିପଦ ଦେଖାଦେଇଛି। ଏଣୁ ଏଥିରେ ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧାନ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି କରାଯାଉଛି।

Leave A Reply