ମୋହନାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

0

ମୋହନା : ଗଜପତି ଜିଲ୍ଲା ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦିଗପହଣ୍ଡି ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସଂକୁଳ ପ୍ରମୁଖ ଇଶ୍ୱର ଚନ୍ଦ୍ର ଭୁୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡିଓ ବଂଶିଧର ଖୋସଲା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସଂକୁଳ ସଂଯୋଜକ ରବିନ୍ଦ୍ର ନାଥ ଦାସ ଜ୍ଞାନ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତାଭାବେ ବ୍ଳକ ଶିକ୍ଷାଧିକାରୀ ସୁଜନ ମଲ୍ଲିକ ଯୋଗଦେଇ ବିଜ୍ଞାନର ମହତ୍ୱ, ଲକ୍ଷ୍ୟ, ସଫଳତା ଓ ଏହାର ଉପକାରିତା ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏହି ମେଳାରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୧୨ଟି ଶିଶୁ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୮୩ଟି ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ପତ୍ରବାଚନ, ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରକଳ୍ପ, ପ୍ରୟୋଗ, ଗଣିତ ଚାର୍ଟ, ଗଣିତ ପ୍ରୟୋଗ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ଓ ବିଜ୍ଞାନ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ହୋଇଥିଲା। ଏଥିରେ ବିଭିନ୍ନ ସରକାରୀ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ସିଆରସିସି ଓ ଶିଶୁ ମନ୍ଦିରର ଗୁରୁଜୀ/ଗୁରୁମାମାନେ ବିଚାରକଭାବେ ଯୋଗ ଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସବୁ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ସଂଭାଗ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ ବୋଲି ସଂଯୋଜକ କହିଛନ୍ତି।

Leave A Reply