କମଳ ବେପାରୀଙ୍କ ଘରୁ ୧ ଲକ୍ଷ ୧୦ ହଜାର ଟଙ୍କା ଚୋରୀ

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ତାରିଣୀନଗରରେ ଏକ ଭଡାଘରେ ରହୁଥିବା କମଳ ବେପାରୀଙ୍କ ଘରୁ ସୋମବାର ଦୁର୍ବୃତ୍ତମନେ ତାଲାଭାଙ୍ଗି ୧ ଲକ୍ଷ ୧୦ ହଜାର ଟଙ୍କା ଚୋରୀ କରିନେଇଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବେପାରୀ ରାଜା ରାମ ଓ ତାଙ୍କ କିଛି ସହଯୋଗୀଙ୍କ ସହ ମୋହନାର ତାରିଣୀନଗରରେ ଭଡାଘର ନେଇ ରହୁଥିଲେ। ସେଠାରେ ସେମାନେ ଗାଁ ଗାଁ କୁ ବୁଲି କମଳ ବେପାର କରନ୍ତି। ଗତ ୧୮ ତାରିଖରେ ନିତ୍ୟକର୍ମସାରି ସେମାନେ ସକାଳୁ ବେପାରକୁ ଚାଲିଯାଇଥିଲେ। ତାଙ୍କ ମଧ୍ୟରୁ ଜଣେ ସହଯୋଗୀ ବେପାରରୁ ସାରି ଘରେ ପହଞ୍ଚିବା ସମୟରେ ଘରର ତାଲାଭଙ୍ଗାଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ନିଜ ସହଯୋଗୀଙ୍କୁ ଫୋନ ମାଧ୍ୟମରେ ଏହି ଖବର ଜଣାଇବା ପରେ ରାଜା ରାମ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଜା ରାମ କମଳ ତଳେ ୧ ଲକ୍ଷ ୧୦ ହଜାର ଟଙ୍କା ରଖିଥିଲେ। ଖୋଜାଖୋଜି କରି ଉକ୍ତ ଟଙ୍କାକୁ ନ ପାଇବାରୁ ଚୋରୀ ହୋଇଥିବା ଜାଣିପାରି ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ମୋହନା ଥାନା କେସ ନଂ ୧୨/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।

Comments are closed.