ମୋହନା ଥାନା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ମୋହନା:  ଗଜପତି ଜିଲା ମୋହନା ଥାନା ପକ୍ଷରୁ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ହିଲ୍‍ଟପ୍‍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ପୁଲିସ୍‍ କର୍ମଚାରୀମାନଙ୍କୁ ନେଇ ଏକ ବିରାଟ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି ହାଇସ୍କୁଲ ଛକ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ। ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସମସ୍ତେ ଏକତ୍ରିତ ହୋଇ ଏକ ସଭାର ଆୟେଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରା.ଉଦୟଗିରି ଏସ୍‍ଡ଼ିପିଓ ଅଶୋକ କୁମାର ମହାନ୍ତି, ମୁଖ୍ୟବକ୍ତା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ଓକିଲ ଦୁର୍ଯ୍ୟୋଧନ କରଡ଼ା, ମୁଧୁସୁଦନ ପାଢ଼ୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ।

ଅତିଥିମାନେ ନିଜ ଅଭିଭାଷଣରେ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ସଚେତନତା କରାଇବା। ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା, ସିଟ୍‍ ବେଲ୍ଟ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ଗାଡ଼ିର କାଗଜପତ୍ର ଠିକ୍‍ କରି ସର୍ବଦା ନିଜ ପାଖରେ ରଖିବା ଆଦି ନିୟମ ସମ୍ପର୍କରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀ, ଶିକ୍ଷାବିତ, ବୁଦ୍ଧିଜୀବି, ସାମ୍ବାଦିକବନ୍ଧୁ ଓ ଅଞ୍ଚଳବାସୀମାନଙ୍କୁ ସଚେତନତା କରିବା ସହିତ ନିୟମକୁ ନ ମାନିଲେ ସାମ୍ପ୍ରତିକ ପରିସ୍ଥିତିରେ କିଭଳି ଦୁର୍ଘଟଣା ଘଟି ଧନଜୀବନ ଚାଲିଯାଉଛି ସେ ସମ୍ପର୍କରେ କହିଥିଲେ। ସଚେତନତା ଶୋଭାଯାତ୍ରା ବେଳେ ଛାତ୍ରଛାତ୍ରୀ ଓ ପୁଲିସ କର୍ମଚାରୀ ହେଲମେଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଚକଲେଟ୍‍ ଦେଇ ସମ୍ବର୍ନ୍ଧନା କରିଥିବା ବେଳେ ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ ପରିଚାଳନା କରିଥିଲେ।

Comments
Loading...