ଆଝାରୁଦ୍ଦିନ ତେଲଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ

0

ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଏହାର ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବତନ କ୍ରିକେଟ ଖେଳାଳୀ ମହମ୍‍ଦ ଆଝାରୁଦ୍ଦିନଙ୍କୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଏଥିସହ ସନ୍ଦୀପ ଦୀକ୍ଷିତଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ନିଯୁକ୍ତ କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ନିଜ ରାଜ୍ୟ ତେଲେଙ୍ଗାନାରୁ ଲଢିବା ଲାଗି ଆଝାରୁଦ୍ଦିନ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପୂର୍ବରୁ ସେ ୨୦୦୯ରେ ଉତ୍ତରପ୍ରଦେଶର ମୁରଦାବାଦରୁ ନିର୍ବାଚନ ଲଢି ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସେ ରାଜସ୍ଥାନର ମାଧୋପୁରର ଲୋକସଭା ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। ଅନ୍ୟପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଳା ଦୀକ୍ଷିତଙ୍କ ପୁଅ ସନ୍ଦୀପ ମଧ୍ୟ ପୂର୍ବରୁ ସାଂସଦ ଥିଲେ। ତେଲେଙ୍ଗାନାରେ କଂଗ୍ରେସ ସଂଖ୍ୟାଲଘୁମାନଙ୍କ ଭୋଟ ନିଜ ସପକ୍ଷରେ କରିବା ଉଦ୍ଦେଶ୍ୟରେ ନୂତନ ରଣନୀତି ଆପଣାଇଛି। କାରଣ ରାଜ୍ୟରେ ଚନ୍ଦ୍ରଶେଖର ରାଓଙ୍କ ଦଳ ଟିଆର୍‍ଏସ୍‍ର ସ୍ଥିତି ମଜବୁତ ରହିଛି। କଂଗ୍ରେସ ଏହାର ନିର୍ବାଚନୀ ଇସ୍ତିହାରରେ ମଧ୍ୟ ସଂଖ୍ୟାଲଘୁଙ୍କ ପାଇଁ କେତେକ ପ୍ରତିଶ୍ରୁତି ଘୋଷଣା କରିଛି। ରାଜ୍ୟରେ ମୁସଲମାନଙ୍କ ସଂଖ୍ୟା ୧୨.୫% ହୋଇଥିବା ବେଳେ ଏହା ୪୨ ବିଧାନସଭା ଆସନରେ ଜୟ-ପରାଜୟ ନିର୍ଦ୍ଧାରଣ କରେ। ରାଜ୍ୟର ମୋଟ ୧୧୯ ଆସନରେ ଡିସେମ୍ବର ୭ରେ ମତଦାନ ଅନୁଷ୍ଠିତ ହେବ।

Leave A Reply