ଟିକା ପ୍ରମାଣପତ୍ର ଉପରେ ମୋଦୀଙ୍କ ଫଟୋ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଜବାବ ମାଗିଲା ନିର୍ବାଚନ କମିଶନ

କୋଭିଡ ଟିକା ନେବା ପରେ ଦିଆଯାଉଥିବା ପ୍ରମାଣ ପତ୍ର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ନେଇ ବିବାଦ ସୃଷ୍ଟି ହୋଇଛି। ଏବେ ଏହି ବିବାଦକୁ ନେଇ ନିର୍ବାଚନ ଆୟୋଗ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସ୍ତିତି ସ୍ପଷ୍ଟ କରିବାକୁ କହିଛନ୍ତି। ଏହି ପ୍ରସଙ୍ଗରେ ନିର୍ବାଚନ ଆଚରଣ ସଂହିତା ଲଙ୍ଘନ ହୋଇଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଅନ୍ୟ ପକ୍ଷରେ ପ୍ରକୃତରେ ଏଭଳି ପ୍ରମାଣପତ୍ର ବଣ୍ଟାଯାଇଛି କି ନାହିଁ ଏବଂ ଯଦି ବଣ୍ଟାଯାଇଛି, ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ବଳରେ ବଣ୍ଟାଯାଉଛି କି, ତାହା ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଚେଷ୍ଟା କରୁଥିବା କମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଭଳି ଅଭିଯୋଗ ଆସିଲେ ଆୟୋଗ ପ୍ରଥମେ ସମସ୍ତ ପକ୍ଷଙ୍କ ଠାରୁ ଜବାବ ଲୋଡିଥାନ୍ତି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବାଦ ସରବରାହ ସନ୍ଥ ପିଟିଆଇ ଅନୁଯାୟୀ, ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଟିଏମସିର ଅଭିଯୋଗର ସତ୍ୟତା ଯାଞ୍ଚ କରିବାକୁ ପଶ୍ଚିମବଙ୍ଗ ସିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସିଇଓଙ୍କ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି। ପଶ୍ଚିମବଙ୍ଗର ଟିଏମସି ସରକାର କୋ-ୱିନ୍ ପ୍ଲାଟଫର୍ମ ମାଧ୍ୟମରେ ସୃଷ୍ଟି ହୋଇଥିବା ଟୀକାକରଣ ପ୍ରମାଣପତ୍ର ଉପରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିବା ଅଭିଯୋଗ କରିବା ସହ ଏହା ନିର୍ବାଚନ ଆଚରଣ ସଂହିତା ଲଙ୍ଘନ କରୁଥିବା ଅଭିଯୋଗ କରିବା ପରେ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି।

ଫେବୃଆରୀ ୨୬ରେ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ମଡେଲ କଣ୍ଡକ୍ଟ କୋଡ୍ ଲାଗୁ ହୋଇଥିଲା। ତେବେ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଟୀକାକରଣ ଆରମ୍ଭ ହୋଇଥିବା ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ କହିଛନ୍ତି। ଇତିମଧ୍ୟରେ ନିର୍ବାଚନ ଆୟୋଗ ୭୨ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହିତ ହୋର୍ଡିଂ କିମ୍ବା ବିଜ୍ଞାପନ ହଟାଇବାକୁ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.