ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିଥିବା ନୂଆ ‘ମର୍ସିଡିଜ୍ ମେବାଚ୍‌ ଏସ୍‌୬୫୦ ଗାର୍ଡ’ରେ ରହିଛି ଏହି ବିଶେଷତ୍ୱ – ଏକେ ୪୭ର ଗୁଳି ବି କରିପାରିବନି କ୍ଷତି

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସ୍ବତନ୍ତ୍ର ବିମାନ ପରେ ଆସିଛି ନୂଆ କାର୍‌। ଏଣିକି ସେ ‘ମର୍ସିଡିଜ୍ ମେବାଚ୍‌ ଏସ୍‌୬୫୦ ଗାର୍ଡ’ରେ ଯାତ୍ରା କରିବେ। ଏହି ଗାଡ଼ି ଅତ୍ୟନ୍ତ ସୁରକ୍ଷିତ ଓ ଆରାମଦାୟକ। ଏହାର ମୂଲ୍ୟ ଭାରତୀୟ ବଜାରରେ ୧୨କୋଟି ଟଙ୍କା ହୋଇଥିଲେ ମଧ୍ୟ ମୋଦୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ଗାଡ଼ିର ପ୍ରକୃତ ମୂଲ୍ୟ ଜଣା ନାହିଁ; ତେବେ ଏହା ପ୍ରାୟ ୧୫କୋଟି ବୋଲି ଆକଳନ କରାଯାଇଛି।

ଏହି ଗାଡ଼ି ‘ରେଞ୍ଜ୍‌ ରୋଭର୍‌ ଭଗ୍‌’ ଏବଂ ‘ଟୟଟା ଲ୍ୟାଣ୍ଡ କ୍ରୁଇଜର’ଠାରୁ ମଧ୍ୟ ଅଧିକ ଉନ୍ନତ। ୨୦୧୯ରେ ଆନ୍ତର୍ଜାତିକ ବଜାରରେ ଅବତରଣ କରିଥିଲା ମେବାଚ୍‌ ଏସ୍‌୬୫୦ ଗାର୍ଡ। ଭାରତକୁ ଏହା ୨୦୨୦ରେ ଆସିଥିଲା। ଏହି ଗାଡ଼ି ଭିଆର-୧୦ସ୍ତରୀୟ ସୁରକ୍ଷା ସହ ଯେ କୌଣସି ଆକ୍ରମଣର ପ୍ରତିରୋଧ କରିବାକୁ ସକ୍ଷମ। ଏହା ଅତ୍ୟାଧୁନିକ ଫେସେଲିଫଟେଡ୍ ମଡେଲ୍ ହୋଇଥିବାରୁ ବିସ୍ଫୋରଣ ପ୍ରତିରୋଧୀ। ଦୁଇ ମିଟର ଦୂରରୁ ଓ ୧୫କିଲୋ ପର୍ଯ୍ୟନ୍ତ ବିସ୍ଫୋରଣରୁ ଏହା ବ୍ୟବହାରକାରୀଙ୍କୁ ସୁରକ୍ଷା ଦେଇଥାଏ। ଏହା ୬ଲିଟର ​‌େ​‌ଦ୍ବୖତ ଟର୍ବୋ ଭି-୧୨ ଇଞ୍ଜିନ୍ ଓ ୫୨୩ ଅଶ୍ବଶକ୍ତି ବିଶିଷ୍ଟ। ଘଣ୍ଟାପ୍ରତି ଏହା ସର୍ବାଧିକ ୧୯୦କିମି ବେଗରେ ଦୌଡ଼ିପାରେ। ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସପିଜି)ର ଆବଶ୍ୟକତା ଆଧାରରେ ନୂଆ ଗାଡ଼ି ସ୍ଥିର କରାଯାଏ। ମୋଦୀଙ୍କୁ ଚଳିତ ମାସ ପ୍ରାରମ୍ଭରେ ହାଇଦରାବାଦ ହାଉସ୍‌ରେ ଏହି ଗାଡ଼ିରୁ ଓହ୍ଲାଇବା ଦେଖାଯାଇଥିଲା।

ଭାରତ ଗସ୍ତରେ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବା ପାଇଁ ସେ ଏହି ଗାଡ଼ିରେ ଯାଇଥିଲେ। ମୋଦୀ ଗୁଜରାତ ମୁଖ୍ୟମନ୍ତ୍ରୀ ଥିବାବେଳେ ମହିନ୍ଦ୍ରା ସ୍କର୍ପିଓ ଓ ବିଏମ୍‌ଡବ୍ଲ୍ୟୁ-୭ ଉଚ୍ଚ ସୁରକ୍ଷା ବ୍ୟବସ୍ଥା ସମ୍ପନ୍ନ ଗାଡ଼ି ବ୍ୟବହାର କରୁଥିଲେ। ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ଯଥାକ୍ରମେ ରେଞ୍ଜ ରୋଭର ଭଗ୍‌ ଓ ଟୟଟା ଲ୍ୟାଣ୍ଡ କ୍ରୁଇଜର ବ୍ୟବହାର କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବରରେ ମୋଦୀଙ୍କ ପାଇଁ ଆମେରିକାର ବୋଇଂ କମ୍ପାନୀ ଦ୍ବାରା ନିର୍ମିତ ସ୍ବତନ୍ତ୍ର ସୁରକ୍ଷା କବଚ ଓ ଆରାମ ଥିବା ବିମାନ ବୋଇଂ ୭୭୭ ‘ଏୟାର ଇଣ୍ଡିଆ ୱାନ୍‌’ କିଣାଯାଇଥିଲା; ଯାହାର ମୂଲ୍ୟ ୧୨୦୦ କୋଟି ଟଙ୍କା। ଏହା କ୍ଷେପଣାସ୍ତ୍ର ନିରୋଧୀ ବିମାନ। ଏହା ଆମେରିକା ରାଷ୍ଟ୍ରପତି ବ୍ୟବହାର କରୁଥିବା ବିମାନ ତୁଲ୍ୟ।

Comments are closed.