ମୋଦୀଙ୍କ ନୂଆ ରେକର୍ଡ଼: ସର୍ବାଧିକ କାଳ ପ୍ରଧାନମନ୍ତ୍ରୀ ହେବାରେ ପ୍ରଥମ ଅଣକଂଗ୍ରେସୀ ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଆଉ ଏକ ରେକର୍ଡ଼ । ପୂର୍ବତନ ପ୍ରଧାନମନ୍ତ୍ରୀ  ଅଟଳବିହାରୀ ବାଜପେୟୀଙ୍କ ରେକର୍ଡ଼ ଭାଙ୍ଗି ଦେଶରେ ସର୍ବାଧିକ କାଳ ଅଣ କଂଗ୍ରେସୀ ପ୍ରଧାନମନ୍ତ୍ରୀ ହେବାରେ ନରେନ୍ଦ୍ର ମୋଦୀ ରେକର୍ଡ଼ କରିଛନ୍ତି । ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ ବାଜପେୟୀ ୨୨୬୮ ଦିନ କାର୍ଯ୍ୟ କରିଥିଲେ । ମୋଦୀ ଏହାକୁ ଅତିକ୍ରମ କରିଛନ୍ତି । ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ ୨୨୬୯ ଦିନ (ଏପର୍ଯ୍ୟନ୍ତ) କାର୍ଯ୍ୟ କରି ବାଜପେୟୀଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ।

ପୂର୍ବରୁ ଏହି ରେକର୍ଡ଼ ଅଟଳବିହାରୀ ବାଜପେୟୀଙ୍କ ନାମରେ ଥିଲା । ସେ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ୨୨୬୮ ଦିନ ଶାସନ କରିଥିଲେ । ୧୯୯୮ ମାର୍ଚ ୧୯ ତାରିଖରେ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ସେ ୨୦୦୪ ମେ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ । ତାଙ୍କର ପ୍ରଥମ କାର୍ଯ୍ୟକାଳ ଅବଧି ୧୯୯୯ ଅକ୍ଟୋବର ୧୩ ତାରିଖରେ ଶେଷ ହୋଇଥିଲା ଓ ଦ୍ବିତୀୟ ପ୍ରଧାନମନ୍ତ୍ରିତ୍ଵ ସମୟ ୧୩ ଅକ୍ଟୋବର ୧୯୯୯ରୁ ୨୦୦୪ ମେ ୨୨ ତାରିଖ ପର୍ଯ୍ୟନ୍ତ ରହିଥିଲା ।


ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ପର୍ଯ୍ୟନ୍ତ ୨୨୬୯ ଦିନ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଲେଣି । ଅଣ କଂଗ୍ରେସୀ ନେତା ଭାବରେ ଏହି ଅବଧି ସର୍ବାଧିକ । ୨୦୧୪ରେ ବିଜେପି ବହୁମତ ହାସଲ କରିଥିଲା ଓ ୨୦୧୪ ମେ ୨୬ ତାରିଖରେ ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ସେହିପରି ୨୦୧୯ରେ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ।

ଦେଶ ସ୍ବାଧୀନ ହେବା ପରେ ୧୯୪୭ ମସିହାରୁ ଏ ପର୍ଯ୍ୟନ୍ତ ଦେଶ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖି ସାରିଛି । ଜବାହରଲାଲ ନେହେରୁ ସର୍ବାଧିକ ସମୟ ଅର୍ଥାତ୍ ୬୧୩୦ ଦିନ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ।

ତାଙ୍କ ପରେ ଇନ୍ଦିରା ଗାନ୍ଧୀ ଦେଶର ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ରହିଥିଲେ ଏବଂ ସେ ୫୮୨୯ ଦିନ କ୍ଷମତାରେ ଥିଲେ । ୧୯୬୬ ଜାନୁଆରୀ ୨୪ରୁ ମାର୍ଚ ୧୯୭୭ ପର୍ଯ୍ୟନ୍ତ କ୍ରମାଗତ ୧୧ ବର୍ଷ ୫୯ ଦିନ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ୧୯୮୦ ଜାନୁଆରୀ ୧୪ରୁ ୧୯୮୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ ୪ ବର୍ଷ ୨୯୧ ଦିନ ପ୍ରଧାନମନ୍ତ୍ରୀ ରହିଥିଲେ ।

ଇନ୍ଦିରାଙ୍କ ପରେ ଡ଼. ମନମୋହନ ସିଂହ ତୃତୀୟ ସର୍ବାଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଛନ୍ତି । ସେ ୟୁପିଏ ୧ ଓ ୟୁପିଏ ୨ରେ ୧୦ ବର୍ଷ ଅର୍ଥାତ୍ ୩୬୫୬ ଦିନ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ରେକର୍ଡ଼ କରିଛନ୍ତି ।  ସୂଚନାଯୋଗ୍ୟ ଯେ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ମନମୋହନ ସିଂହ ସମସ୍ତେ କଂଗ୍ରେସ ଦଳର ପ୍ରତିନିଧିତ୍ଵ କରିଛନ୍ତି ।

Comments are closed.