ମୋଦୀଙ୍କ ନୂଆ ମନ୍ତ୍ରୀ : ୯୦% ବିତ୍ତଶାଳୀ, ୪୨% ଦାଗୀ, ୪୭ ଉଚ୍ଚ ଶିକ୍ଷିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପୂର୍ବକ ୩୬ ନୂଆ ମନ୍ତ୍ରୀଙ୍କୁ ସରକାରରେ ସାମିଲ କରିଛନ୍ତି। ଏହି ନୂଆ ମନ୍ତ୍ରୀ ସାମିଲ ହେବା ପରେ ମନ୍ତ୍ରିମଣ୍ଡଳର ଅନେକ ପରିସଂଖ୍ୟାନ ବଦଳି ଯାଇଛି। ନୂଆ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ମଧ୍ୟରୁ ୯୦ପ୍ରତିଶତ କୋଟିପତି ଥିବାବେଳେ ୪୨ପ୍ରତିଶତଙ୍କ ନାଁରେ ଅାପରାଧିକ ମାମଲା ରହିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ବା ଏଡିଆର ତଥ୍ୟ ଅନୁସାରେ ମନ୍ତ୍ରିମଣ୍ଡଳର ୭୮ ସଦସ୍ୟଙ୍କ ମଧ୍ୟରୁ ୩୩ଜଣ; ଅର୍ଥାତ୍‌ ୪୨ ପ୍ରତିଶତ ନିଜ ନାଁରେ ଥିବା ଅାପରାଧିକ ମାମଲା ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବାବେଳେ ୨୪ଜଣ ବା ୩୧ ପ୍ରତିଶତଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଆଦି ଗୁରୁତର ଅଭିଯୋଗ ରହିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ନିଶିଥ ପ୍ରମାଣିକଙ୍କ ସହ ଜନ ବାର୍ଲା, ପଙ୍କଜ ଚୌଧୁରୀ ଓ ବି. ମୁରଲିଧରନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଛି। ଦାଗୀ ମନ୍ତ୍ରୀଙ୍କ ସଂଖ୍ୟା ପୂର୍ବାପେକ୍ଷା ୩ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବ ମନ୍ତ୍ରିମଣ୍ଡଳରେ ୩୯ପ୍ରତିଶତ ବା ୫୬ ମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିଲା।

ସବୁଠୁ ଧନୀ ମନ୍ତ୍ରୀ ସିନ୍ଧିଆ

ଅପରପକ୍ଷରେ ମନ୍ତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ନିକଟରେ ୫୦ କୋଟିରୁ ଅଧିକ ସମ୍ପତ୍ତି ଅଛି। ଆଠଜଣ ମନ୍ତ୍ରୀ ଏଭଳି ଅଛନ୍ତି; ଯେଉଁମାନଙ୍କ ପାଖରେ ଏକ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ନାହିଁ। ସବୁଠାରୁ ଧନୀ ହେଉଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ପାଖରେ ରହିଛି ୩୭୯ କୋଟି ଟଙ୍କାର ସମ୍ପତ୍ତି। ଉତ୍ତାଧିକାରୀ ସୂତ୍ରରେ ଜ୍ୟୋତିରାଦିତ୍ୟଙ୍କୁ ଏହି ସମ୍ପତ୍ତି ମିଳିଛି। ୟୁପିଏ ଶାସନ ସମୟରେ ବି ସେ ସବୁଠାରୁ ଧନୀ ମନ୍ତ୍ରୀ ଥିଲେ। ଦ୍ୱିତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୂଷ ଗୋଏଲ। ତାଙ୍କ ପାଖରେ ୯୫ କୋଟି ଟଙ୍କାର ସମ୍ପତ୍ତି ଅଛି। ପୀୟୂଷଙ୍କ ପାଖରେ ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଓ ବୟନ ମନ୍ତ୍ରଣାଳୟ ରହିଛି। ତୃତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ। ତାଙ୍କ ସମ୍ପତ୍ତି ହେଉଛି ୮୭ କୋଟି ୭୭ ଲକ୍ଷ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ। ତାଙ୍କୁ ମିଳିଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ। ଏହି ୪ ଧନୀ ମନ୍ତ୍ରୀଙ୍କୁ ମିଶାଇ ମୋଟ ୭୦ ଜଣ ବା ୯୦ ପ୍ରତିଶତ ହେଉଛନ୍ତି କୋଟିପତି। ସମସ୍ତ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୧୬.୨୪ କୋଟି। ସେହିପରି ୧କୋଟିରୁ କମ୍‌ ସମ୍ପତ୍ତି ଥିବା ୮ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ପ୍ରମିଳା ଭୌମିକ, ଜନ ବାର୍ଲା, କୈଳାସ ଚୌଧରୀ, ବିଶ୍ୱେଶ୍ୱର ଟୁଡୁ, ବି ମୁରଲିଧରନ, ରାମେଶ୍ୱର ତେଲୀ, ଶାନ୍ତନୁ ଠାକୁର ଓ ନିଶୀଥ ପ୍ରମାଣିକ। ଟୁଡୁଙ୍କ ନିକଟରେ ମାତ୍ର ୨୪ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ମୋଦୀଙ୍କ ସରକାରରେ ସବୁଠାରୁ ଗରିବ ମନ୍ତ୍ରୀ ହେଉଛନ୍ତି ତ୍ରିପୁରାର ପ୍ରତିମା ଭୌମିକ। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି ୧୦ ଲକ୍ଷ। ସେ ପ୍ରଥମ ଥର ଲାଗି ମନ୍ତ୍ରୀ ପଦ ପାଇଛନ୍ତି। ୫୨ ବର୍ଷୀୟା ପ୍ରତିଭା ଭୌମିକ କୃଷକରୁ ମନ୍ତ୍ରୀ ହୋଇଛନ୍ତି। ବାୟୋ-ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କୁ ସାମାଜିକନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।
ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୭୮ଜଣଙ୍କ ମଧ୍ୟରୁ ୨୧ଜଣ ହେଉଛନ୍ତି ସ୍ନାତକୋତ୍ତର ଶିକ୍ଷାଧାରୀ। ସେହିପରି ୯ ଜଣ ଡକ୍ଟରେଟ୍‌ ଡିଗ୍ରୀ ହାସଲ କରିଥିବାବେଳେ ୧୭ଜଣ ସାଧାରଣ ସ୍ନାତକ ଓ ସମାନ ସଂଖ୍ୟକ ଡାକ୍ତର, ଯନ୍ତ୍ରୀ ବା ଏମ୍‌ବିଏ ଭଳି ପେସାଦାର ସ୍ନାତକ। ଦୁଇ ଜଣ ମନ୍ତ୍ରୀ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ତିନିଜଣ ଦଶମ ଓ ୭ଜଣ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଛନ୍ତି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ବବିଦ୍ୟାଳୟରୁ ନୃତତ୍ତ୍ବ (ଆ‌େନ୍ଥ୍ରାପଲୋଜି)ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି। ମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ଭୂଗୋଳରେ ପିଏଚ୍‌ଡି କରିଛନ୍ତି। ସେ ମଣିପୁର ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପକ ଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦେଶରୁ ଏମ୍‌ବିଏ ପଢ଼ିଛନ୍ତି। ଅଶ୍ବିନୀ ବୈଷ୍ଣବ ଆଇଆଇଟି ସହିତ ବିଦେଶରୁ ଶିକ୍ଷା ଲାଭ କରିଥିବାବେଳେ ପୂର୍ବତନ ଆଇଏଏସ୍‌ ଅଧିକାରୀ। ଆରସିପି ସିଂହ ମଧ୍ୟ ପୂର୍ବତନ ଆଇଏଏସ୍‌। ଅନୁରାଗ ଠାକୁର ସାଧାରଣ ସ୍ନାତକ ଶିକ୍ଷାଲାଭ କରିଛନ୍ତି। ବୀରେନ୍ଦ୍ର କୁମାର ଶିଶୁ ଶ୍ରମିକ ବିଷୟରେ ପିଏଚ୍‌ଡି ହାସଲ କରିଛନ୍ତି। ପଶୁପତି କୁମାର ପାରସ ବି.ଏଡ୍‌ ତାଲିମ ଗ୍ରହଣ କରିଛନ୍ତି। ରାଜୀବ ଚନ୍ଦ୍ରଶେଖର ଇଞ୍ଜିନିୟରଂି ଓ ଏମ୍‌ବିଏରେ ବିଦେଶୀ ଶିକ୍ଷାପ୍ରାପ୍ତ।

Comments are closed.