ବ୍ୟାପକ ମତଦାନ ପାଇଁ ଲୋକଙ୍କୁ ସଚେତନ କରାଇବାକୁ ବଲିଉଡ଼ ସେଲିବ୍ରିଟିଙ୍କୁ ଟ୍ୱିଟ୍‍ କଲେ ମୋଦୀ

0

ମୁମ୍ବଇ : ଆଗାମୀ ଲୋକସଭା ନିର୍ବାଚନରେ ଜନସାଧାରଣଙ୍କୁ ମତଦାନରେ ଅଂଶଗ୍ରହଣ କରିବା ପାଇଁ ସଚେତନ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ଼ ସେଲିବ୍ରିଟିଙ୍କୁ ଟ୍ୱିଟ୍‍ କରିଛନ୍ତି। ମୋଦୀ ଆଲିୟା ଭଟ୍ଟ, ଦୀପିକା ପାଦୁକୋନ୍‍ ଓ ଅନୁଷ୍କା ଶର୍ମାଙ୍କୁ ଟ୍ୟାଗ୍‍ କରି ଟ୍ୱିଟ୍‍ କରିଛନ୍ତି ଯେ, “ଆପଣ ଲୋକମାନଙ୍କୁ ଭୋଟ୍‍ ଦେବା ପାଇଁ କୁହନ୍ତୁ। ଆପଣମାନଙ୍କୁ ଲୋକେ ଆଦର୍ଶ ବୋଲି ଭାବନ୍ତି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଜନସାଧାରଣ ଆପଣଙ୍କ କଥା ନିଶ୍ଚୟ ଶୁଣିବେ”।

ସେହିପରି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ଦୀଦୀ ବୋଲି ସମ୍ବୋଧନ କରି ଟ୍ୟାଗ୍‍ କରିବା ସହ ସଙ୍ଗୀତକାର ଏଆର୍‍ ରହମାନଙ୍କୁ ମଧ୍ୟ ଟ୍ୟାଗ୍‍ କରି ମୋଦୀ ଟ୍ୱିଟ୍‍ କରିଛନ୍ତି ଯେ, “ଦୟାକରି ଆପଣମାନେ ମଧ୍ୟ କିଛି କୁହନ୍ତୁ। ମୋର ନିବେଦନ! ଆପଣଙ୍କ ଭଳି ତାରକା ଯଦି ଲୋକମାନଙ୍କୁ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବେ ତେବେ ସେମାନେ ନିଶ୍ଚିତ ଶୁଣିବେ। ମତଦାନ ହେଉଛି ଜନସାଧାରଣଙ୍କ ସ୍ୱରର ଏକ ମାଧ୍ୟମ”।

ଏହାବ୍ୟତୀତ ରଣବୀର ସିଂହ, ବରୁଣ ଧାୱନ ଓ ଭିକି କୌଶଲଙ୍କୁ ଟ୍ୟାଗ୍‍ କରି ମୋଦୀ ଲେଖିଛନ୍ତି, “ମୋର ଯୁବ ବନ୍ଧୁମାନେ, ଆପଣ ଯୁବପିଢୀମାନଙ୍କୁ ମତଦାନରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରନ୍ତୁ। ଏବେ ସେମାନଙ୍କୁ କୁହନ୍ତୁ, ଆମ ସମୟ ଆସି ଯାଇଛି ଓ ନିଜ ଜୋଶ୍‍ ବଢାଇ ଭୋଟିଂ ସେଣ୍ଟର୍‍ ଯାଇ ଭୋଟ୍‍ ନିଶ୍ଚୟ ଦିଅନ୍ତୁ”।

ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନ ଏପ୍ରିଲ୍‍ ମାସରୁ ଆରମ୍ଭ ହେବାକୁ ଥିବା ବେଳେ ୧୧ ଏପ୍ରିଲରେ ପ୍ରଥମ ମତଦାନ ହେବ ଓ ୨୩ ମେ’ରେ ଭୋଟ୍‍ ଗଣନା କରାଯିବ। ତେବେ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ କମିଶନ ତାରିଖ ଘୋଷଣା କଲା ପରେ ମୋଦୀ ବିପୁଳ ସଂଖ୍ୟାରେ ମତଦାନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ।

Leave A Reply