ମୋଦୀଙ୍କ ଉତ୍ତର ପ୍ରଦେଶ ଗସ୍ତ ; ୨ ମାସରେ ୧୦ଥର

ଲକ୍ଷାଧିକ କୋଟିର ପ୍ରଳକ୍ପ, ସ୍ଲୋଗାନ୍‌ ‘ଫରକ୍‌ ସାଫ୍‌ ହୈ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ମାସ ମଧ୍ୟରେ ୧୦ଥର ଉତ୍ତର ପ୍ରଦେଶ ଗସ୍ତ କଲେଣି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଲକ୍ଷାଧିକ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଉଦ୍‌ଘାଟନ କରିଛନ୍ତି। ଏହି ରାଜ୍ୟରେ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ନିର୍ବାଚନ ହେବାର ସମ୍ଭାବନା ରହିଛି। ଏଥିପାଇଁ ଜାନୁଆରୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇପାରେ। ଏହା ପୂର୍ବରୁ ମୋଦୀଙ୍କ ସମସ୍ତ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାର ଯୋଜନା ରଖାଯାଇଛି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ମୋଦୀଙ୍କ ସ୍ଲୋଗାନ୍‌ ଥିଲା ‘ଫରକ୍‌ ସାଫ୍‌ ହୈ’ ବା ଶାସନରେ ପାର୍ଥକ୍ୟ ବିଲ୍‌କୁଲ୍‌ ଦୃଶ୍ୟମାନ। ମୋଦୀଙ୍କ ଉଦ୍‌ଘାଟନ ଓ ଶୁଭଦାନ କାର୍ଯ୍ୟକ୍ରମ ନଭେମ୍ବର ୧୬ରୁ ଆରମ୍ଭ ହୋଇଥିଲା। ଏହି ଦିନ ସେ ୨୨ହଜାର ୫୦୦ କୋଟି ଟଙ୍କାର ୩୪୧ କିମି ଦୀର୍ଘ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ସଡ଼କ ଉଦ୍‌ଘାଟନ କରିଥିଲେ। ପରେ ନଭେମ୍ବର ୧୯ ଓ ୨୫, ଚଳିତ ମାସର ୭, ୧୧, ୧୩, ୧୮, ୨୧, ୨୩ ଓ ୨୮ରେ ଉତ୍ତର ପ୍ରଦେଶର ଗସ୍ତରେ ଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ​‌େ​‌ର ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ୩୨୫୦କୋଟି ମୂଲ୍ୟର ଅର୍ଜୁନ ସହାୟକ ପ୍ରକଳ୍ପ ସହ ନଦୀବନ୍ଧ ପକଳ୍ପ ଉଦ୍‌ଘାଟନ କରିଥିଲେ। ସେହିପରି ୩୦ହଜାର କୋଟି ମୂଲ୍ୟର ଜେୱାର ବିମାବନ୍ଦରର ଶୁଭ ଦେଇଥିଲେ। ପରେ ୯୬ହଜାର କୋଟି ମୂଲ୍ୟର ଚିକିତ୍ସା ଓ କୃଷି କଲ୍ୟାଣ ପ୍ରକଳ୍ପ ଉଦ୍‌ଘାଟନ ଓ ଶୁଭଦାନ କରିଥିଲେ। ପୁଣି ୧୦ହଜାର କୋଟିର ସରଯୁ କେନାଲ ପ୍ରକଳ୍ପ, ୩୬ହଜାର କୋଟିର ଗଙ୍ଗା ଏକ୍ସପ୍ରେସ୍‌ ସଡ଼କ, ୧୦୦୦କୋଟିର କାଶୀ ବିଶ୍ବନାଥ କରିଡର ପ୍ରକଳ୍ପ ସହ ବିଭିନ୍ନ ସରକାରୀ ଯୋଜନାରେ ଲୋକଙ୍କୁ ୧ଲକ୍ଷ କୋଟିର ସହାୟତା ପ୍ରଦାନ, ବାରାଣସୀରେ ୨୧୦୦ କୋଟିର ପ୍ରକଳ୍ପ, କୃଷକଙ୍କ ସହ ଆଲୋଚନାଚକ୍ର ଓ ୧୧ହଜାର କୋଟିର କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ଏହି ଗସ୍ତ ମଧ୍ୟରେ ପ୍ରମୁଖ ସ୍ଥାନ ଥିଲା ଗୋରଖପୁର, ସୁଲତାନପୁର, ବାରାଣସୀ, ଝାନ୍‌ସୀ, ଗ୍ରେଟର ନଏଡ଼ା, ବଳରାମପୁର, କାନପୁର, ପ୍ରୟାଗରାଜ, ସାହାଜାନ୍‌ପୁର, ଗାଜିଆବାଦ, ଲକ୍ଷ୍ନୌ। ରାଜ୍ୟର ପୂର୍ବାଞ୍ଚଳକୁ ମୋଦୀ ସର୍ବାଧିକ ଗସ୍ତ କରିଛନ୍ତି। ସରକାର ଗଠନ ପାଇଁ ପୂର୍ବାଞ୍ଚଳରେ ବିଜୟ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ଏହି ଅଞ୍ଚଳର ୨୮ଜିଲାରେ ରହିଛି ପ୍ରାୟ ୧୬୫ ନିର୍ବାଚନ ମଣ୍ଡଳୀ। ୨୦୧୭ ନିର୍ବାଚନରେ ବିଜେପି ଏଥିମଧ୍ୟରୁ ୧୧୫ଟିରେ ଜିତିଥିଲା। ଲୋକସଭା ନିର୍ବାଚନରେ ମଧ୍ୟ ଦଳ ପୂର୍ବାଞ୍ଚଳରେ ପ୍ରାଧାନ୍ୟ ବଜାୟ ରଖିଥିଲା। ଆଗାମୀ ନିର୍ବାଚନରେ ସେହି ଧାରା ଜାରି ରଖିବାକୁ ଚାହାନ୍ତି ମୋଦୀ। ସର୍ବବୃହତ୍‌ ପ୍ରଦେଶ​‌େ​‌ର ଏଥର ବିଜେପିର ସ୍ଥିତି ଭଲ ନ ଥିବା ଓ ଆସନ ସଂଖ୍ୟା ହ୍ରାସ ସମ୍ପର୍କରେ ସୂଚନା ପାଇବା ପରେ ମୋଦୀ ଏପରି ଘନଘନ ଗସ୍ତ କରୁଥିବା କୁହାଯାଉଛି। ଏଥିସହିତ ପଶ୍ଚିମବଙ୍ଗ ନିର୍ବାଚନରେ ସର୍ବାଧିକ ପ୍ରଚାର ସତ୍ତ୍ବେ ଯେମିତି ଫଳ ମିଳିଲା ତାହାର ପୁନରାବୃତ୍ତି ନ ହେବା ପ୍ରତି ମୋଦୀ ସତର୍କ ଥିବା ପ୍ରକାଶ।

Comments are closed.