ଭାରତ-ଭିଏତ୍‍ନାମ ଭର୍ଚୁଆଲ ସମ୍ମିଳନୀ : ୭ ରାଜିନାମା ସ୍ୱାକ୍ଷରିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ଭିଏତ୍‍ନାମ ପ୍ରଧାନମନ୍ତ୍ରୀ ନୁଏନ୍‍ ଜୁଆନ୍‍ ଫୁକ୍‍ଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି। ଉଭୟ ନେତା ମୋଟା ମୋଟି ଭାବେ ଦ୍ୱିପକ୍ଷିୟ ସମ୍ପର୍କର ସମୀକ୍ଷା କରିବା ସହ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। କୋଭିଡ୍‍ ପରବର୍ତ୍ତୀ ଅର୍ଥନୈତିକ ସଂସ୍କାର ପ୍ରସଙ୍ଗ ଆଲୋଚନାର ପରିସରକୁ ଆସିଥିଲା।

ଶ୍ରୀ ମୋଦୀ ତାଙ୍କର ଉଦ୍‍ଘାଟନୀ ବକ୍ତବ୍ୟରେ ଭିଏତନାମ୍‍’ ଭାରତର ଆକ୍ଟ ଇଷ୍ଟ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ର ବୋଲି ବର୍ଣ୍ଣନା କରିଥିଲେ। ଭିଏତନାମ୍‍’ ଭାରତ ପ୍ରଶାନ୍ତ ମହାସାଗରୀୟ ଭିଜନର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି। ଉଭୟ ଦେଶ ମଧ୍ୟରେ ନୂଆ ନୂଆ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ’ ଭିଏତନାମ ସହ ଦୀର୍ଘମିଆଦୀ ଭାଗିଦାରୀ ସମ୍ପର୍କ ରକ୍ଷା କରିବାକୁ ଆଗ୍ରହୀ। ସେ କହିଛନ୍ତି, ଭାରତ-ଭିଏତନାମ ସହଯୋଗ ଅଞ୍ଚଳର ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଶ୍ରୀ ମୋଦୀ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଉଭୟ ଦେଶର ମୁଖ୍ୟ ଲକ୍ଷ୍ୟ ରହିଛି। ଶ୍ରୀ ମୋଦୀ କହିଛନ୍ତି, ଆସନ୍ତାବର୍ଷ ଭାରତ ଓ ଭିଏତ୍‍ନାମ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ହେବେ। ଏହାଦ୍ୱାରା ଦୁଇଦେଶ ମଧ୍ୟରେ ଆନ୍ତର୍ଜାତିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ଦେଶ ୨୦୨୧-୨୩ ମିଳିତ ଭିଜନ୍‍ ଡକୁମେଣ୍ଟକୁ କାର୍ଯ୍ୟକାରୀ କରିବେ। ଏହା ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧିରେ ସହାୟକ ହେବ।
କେନ୍ଦ୍ରୀୟ ଭିଏତନାମରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଘଟିଥିବା ଧନଜୀବନର କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶୋକବାର୍ତ୍ତା ଜଣାଇଛନ୍ତି। ଭାରତ ଦ୍ୱାରା ପଠାଯାଇଥିବା ସହାୟତାରୁ ଭିଏତନାମ ଉପକୃତ ହେବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ଭିଏତ୍‍ନାମ ୭ଟି ନୂଆ ରାଜିନାମା ସ୍ୱାକ୍ଷର କରିଛନ୍ତି। ସେହି ରାଜିନାମାଗୁଡ଼ିକ ପ୍ରତିରକ୍ଷା, ବିଜ୍ଞାନ ଗବେଷଣା, ପରମାଣୁ, ପୁନର୍ବ୍ୟବହାରକ୍ଷମ ଶକ୍ତି, ପେଟ୍ରୋ ରସାୟନ ଓ କର୍କଟ ରୋଗର ଚିକିତ୍ସା ଭଳି ବିଭିନ୍ନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି।

Comments are closed.