ଶପଥ ପାଠ ଉତ୍ସବ ସମାରୋହରେ ବନ୍ଦ ରହିବ ରାଷ୍ଟ୍ରପତି ଭବନ ନିକଟବର୍ତ୍ତୀ ରାସ୍ତା

ନୂଆଦିଲ୍ଲୀ : ଗୁରୁବାର ସଂନ୍ଧ୍ୟାରେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ । ଏହି ସମାରୋହ ଅବସରରେ ନିକଟବର୍ତ୍ତୀ କେତେକ ମାର୍ଗ ବା ରାସ୍ତାକୁ ବନ୍ଦ କରାଯିବ । ଯାହା ଦ୍ବାରା ଅନ୍ୟ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ରାଷ୍ଟ୍ରପତି ଭବନର ନିକଟତର ରାସ୍ତାରେ ଚଳପ୍ରଚଳ ନ କରିବା ପାଇଁ ଦିଲ୍ଲୀ ପୁଲିସ ସ୍ଥାନୀୟ ଲୋକଙ୍କ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀ ଟ୍ରାଫିକ୍ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ପ୍ରଧାନ ମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଦେଶର ରାଷ୍ଟ୍ରଧ୍ୟକ୍ଷ, ସରକାରୀ ଅଧିକାରୀ, ସମ୍ବିଧାନିକ ଅଧିକାରୀ, ରାଜନୈତିକ ନେତା ଓ ମନ୍ତ୍ରୀ ସାମିଲ ହେବେ । ପ୍ରଧାନ ମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ ପାଇଁ ଗୁରୁବାର ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିଜୟ ​‌ଚୌକରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମସ୍ତ ରାସ୍ତା ଓ ରାଜପଥ ସମେତ ଚର୍ଚ ରାସ୍ତାକୁ ମଧ୍ୟ ବନ୍ଦ ରଖାଯାଇଛି । ଫଳରେ ଆକବର ରାସ୍ତା, ରାଜପଥ, ତୀନ ମୂର୍ତ୍ତି ମାର୍ଗ, କୃଷ୍ଣ ମେନନ ମାର୍ଗ, ପଣ୍ଡିତ ପନ୍ତ ମାର୍ଗ, ତାଳକଟୋରା ଷ୍ଟାଡିୟମ୍, ଗୁରୁଦ୍ବାରା ରକାବଙ୍ଗଜ ରାସ୍ତା, ତ୍ୟାଗରାଜ ମାର୍ଗ, ଏସପି ମାର୍ଗ, କୃଷକ ରାସ୍ତା, କେ.କାମରାଜ ମାର୍ଗ, ରାଜାଜି ମାର୍ଗ, ଶାନ୍ତିପଥ, ରାଇସିନା ରାସ୍ତା ଓ ମୋତିଲାଲ ନେହେରୁ ମାର୍ଗକୁ ଟ୍ରାଫିକ ପରିବର୍ତ୍ତନ କରାଯିବ । ମେ ୩୦ରେ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନ ରାସ୍ତାରେ ଚଳପ୍ରଚଳ ନକରିବା ପାଇଁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ପୂର୍ବରୁ ସ୍ଥାନୀୟଲୋକଙ୍କୁ ସଚେତନ କରାଇଥିଲେ । ଯାହା ଫଳରେ ଲୋକମାନେ ପୂର୍ବରୁ ନିଜ କାର୍ଯ୍ୟସୂଚୀ ପ୍ରସ୍ତୁତ କରିସାରିଥିଲେ ।

Comments are closed.