୬ ବର୍ଷ- ୭ ରାଜ୍ୟ: ଅସମ୍ଭବକୁ ସମ୍ଭବ କରିଛି ମୋଦୀ-ଶାହା ଯୁଗଳବନ୍ଦୀ

୨୦୧୪ ଲୋକସଭା ନିର୍ବାଚନ ପରେ ବିଜେପି ପଛକୁ ଫେରି ଚାହିଁନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହାଙ୍କ ଯୁଗଳବନ୍ଦୀ ସବୁ କଠୋର ପରୀକ୍ଷାକୁ ସୁଯୋଗରେ ପରିବର୍ତନ କରିବାରେ ସକ୍ଷମ ହୋଇଛନ୍ତି ଓ ଗତ ୬ ବର୍ଷ ମଧ୍ୟରେ ୭ ରାଜ୍ୟ ବିରୋଧୀଙ୍କ ହାତରୁ ଛଡ଼ାଇ ନେଇଛନ୍ତି । ଅବଶ୍ର ରାଜସ୍ଥାନରେ ସାମ୍ପ୍ରତିକ ସ୍ଥିତିରେ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ସମୟରେ ମୋଦୀ ଓ ଶାହା ଯଦିଓ କିଛି ପ୍ରତିକ୍ରିୟା ଦେଇନାହାନ୍ତି, ତଥାପି ଏହି ପରିସ୍ଥିତି ଉପରେ ସ୍ବାଭାବିକ ତୀକ୍ଷ୍ମ ନଜର ରଖିଛନ୍ତି । ୨୦୧୪ ମସିହା ପରେ ଘଟିଥିବା କିଛି ରାଜନୈତିକ ଚର୍ଚିତ ଘଟଣା ଓ କ୍ଷମତା ପରିବର୍ତନର ଛବି ଦେଖିଲେ ମୋଦୀ-ଶାହା ଅପରାଜେୟ ମନେ ହୋଇଛନ୍ତି ।

ଅରୁଣାଚଳ ପ୍ରଦେଶ: ବିଜେପିରେ ସାମିଲ ହେଲେ ବିରୋଧୀ ମୁଖ୍ୟମନ୍ତ୍ରୀ ଓ ବିଧାୟକ

୩୭ ବର୍ଷୀୟ ପେମା ଖାଣ୍ଡୁ ୨୦୧୬ ଜୁଲାଇ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ବେଳେ କଂଗ୍ରେସରେ ଥିଲେ। ରାଜ୍ୟରେ କଂଗ୍ରେସ ସରକାର ଗଠନ ହୋଇଥିଲା । ରାଜ୍ୟରେ ୬୦ବିଧାନସଭା ଆସନ ମଧ୍ୟରୁ ଦଳ ପାଖରେ ୪୭ ବିଧାୟକ ଥିଲେ । ମାତ୍ର ଠିକ୍ ୨ ମାସ ପରେ ପେମା ଖାଣ୍ଡୁ ୪୩ ବିଧାୟକଙ୍କ ସହ ଆଞ୍ଚଳିକ ଦଳ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ)ର ସଦସ୍ୟତା ଗ୍ରହଣ କଲେ । ଯେଉଁ ଦଳ କି ପୂର୍ବରୁ  ବିଜେପି ନେତୃତ୍ବାଧୀନ ଏନଇଡ଼ିଏର ସଦସ୍ୟ ରହିଥିଲା । ମାତ୍ର ବିଡ଼ମ୍ବନା ହେଉଛି ପିପିଏ ୨୦୧୬ ଡ଼ିସେମ୍ବର ୨୯ ତାରିଖରେ ପେମାଙ୍କୁ ଦଳରୁ ନିଲମ୍ବିତ କରିଦେଲା ଏବଂ ମୁଖ୍ୟମନ୍ତ୍ରୀ ପେମା ୩୩ ବିଧାୟକଙ୍କ ସହ ପୁରାପୁରି ବିଜେପିରେ ସାମିଲ ହୋଇଗଲେ । ବିଜେପି ୧୨ ବର୍ଷ ପରେ ଉତ୍ତରପୂର୍ବାଞ୍ଚଳରେ ସରକାର ଗଠନ କଲା । ଆଉ ୨୦୧୯ରେ ଯେତେବେଳେ ନିର୍ବାଚନ ହେଲା ସେତେବେଳେ ପେମା ଖାଣ୍ଡୁଙ୍କ ନେତୃତ୍ବରେ ବିଜେପି ଏଠାରେ ୬୦ରୁ ୪୧ ଆସନ ଦଖଲ କରି ପୁନର୍ବାର ସରକାର ଗଠନ କଲା ।

ବିହାର: ଭ୍ରଷ୍ଟାଚାର ପ୍ରସଙ୍ଗରେ ପୁଣି ଏକାଠି ହେଲେ ବିଜେପି-ଜେଡ଼ିୟୁ

୨୦୧୪ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ୨୦୧୩ ଜୁନ ମାସରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ସମ୍ପର୍କ ତୁଟାଇ ଦେଲେ । ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ବକୁ ବିରୋଧ କରି ନୀତିଶ ବିଜେପି ଠାରୁ ଅଲଗା ହୋଇ ଯାଇଥିଲେ । ୨୦୧୫ ବିଧାନସଭା ନିର୍ବାଚନରେ ନୀତିଶ କଂଗ୍ରେସ ଓ ଲାଲୁଙ୍କ ଆରଜେଡ଼ି ସହ ମହାମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ଓ ବିଜେପିକୁ ମୁକାବିଲା କରିଥିଲେ। ମାତ୍ର ଏହି ମହାମେଣ୍ଟ ବେଶୀଦିନ ତିଷ୍ଠି ରହିପାରିଲା ନାହିଁ । ୨୦ ମାସ ପରେ ୨୦୧୭ ଜୁଲାଇରେ ମେଣ୍ଟ ଭାଙ୍ଗିଗଲା ଓ ପୁଣି ନୀତିଶ-ବିଜେପି ମେଣ୍ଟ ସରକାର ଗଠନ କଲେ । ଲାଲୁଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ପୁଣିଥରେ ନୀତିଶଙ୍କୁ ବିଜେପିର ନିକଟତର କରିବାରେ ସକ୍ଷମ ହେଲା । ଏହି ସରକାର ଗଢ଼ିବାରେ ମୋଦୀ-ଶାହା ଯୁଗଳବନ୍ଦୀ ନା କେବଳ ସକ୍ରିୟ ଥିଲେ, ବରଂ ନିଜେ ମୋଦୀ ବିହାରରେ ନୀତିଶଙ୍କ ସହ ସରକାର ଗଠନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଦୁର୍ନୀତି ବିରୋଧରେ  ପ୍ରୟାସରେ ସାମିଲ ହୋଇଥିବାରୁ ନିଜେ ନୀତିଶଙ୍କୁ ସାଧୁବାଦ ଜଣାଇଥିଲେ ମୋଦୀ । ୨୪୩ ବିଧାନସଭା ଆସନ ମଧ୍ୟରୁ ଜେଡ଼ିୟୁ ୭୧, ବିଜେପି ୫୩ ଓ ସହଯୋଗୀ ରାମବିଳାଶ ପାଶ୍ବାନଙ୍କ ଏଲଜେପିର ୨ ବିଧାୟକଙ୍କୁ ନେଇ ସରକାର ଗଠନ ହେଲା । ୨୦୧୯ ଲୋକସଭା ନିର୍ବାଚନ ଦୁଇ ଦଳ ଏକାଠି ଲଢ଼ିଲେ ଓ ୨୦୨୦ରେ ବିଧାନସଭା ନିର୍ବାଚନ ଦୁଇ ଦଳ ଏକାଠି ଲଢ଼ିବାର ସମ୍ଭାବନା ମଧ୍ୟ ରହିଛି ।

ଗୋଆ: କଂଗ୍ରେସ ଚିନ୍ତା କରିବା ପୂର୍ବରୁ ସରକାର ଗଢ଼ିଲା ବିଜେପି

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭା ନିର୍ବାଚନରେ କାହାରିକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା । କଂଗ୍ରେସକୁ ୧୭, ବିଜେପିକୁ ୧୩ ଆସନ ମିଳିଥିଲା । ଲାଗୁଥିଲା ସହଯୋଗୀଙ୍କୁ ନେଇ କଂଗ୍ରେସ ସରକାର ଗଢ଼ିବ । ମାତ୍ର ରାତାରାତି ଓଲଟିଗଲା ସବୁକିଛି । ତତକାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ରଣନୀତି ଆଗରେ କଂଗ୍ରେସ ଫିକା ପଡ଼ିଗଲା। ତତକାଳୀନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ନେତୃତ୍ବରେ ଛୋଟଛୋଟ ଦଳକୁ ନେଇ ସରକାର ଗଢ଼ିଲା ବିଜେପି । ପାରିକରଙ୍କ ପରଲୋକ ପରେ  ତାଙ୍କର ଶିଷ୍ୟ ପ୍ରମୋଦ ସାୱନ୍ତ ଗୋଆକୁ ସମ୍ଭାଳି ନେଲେ । ୨୦୧୯ରେ ତ ଆହୁରି ବିଚିତ୍ର ଘଟଣା ଘଟିଲା । କଂଗ୍ରେସର ୧୦ ବିଧାୟକ ଦଳ ଛାଡ଼ି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ନେତୃତ୍ବାଧୀନ ସରକାରରେ ସାମିଲ ହୋଇଗଲେ । ଏବେ ୪୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୨୭ ।

ମଣିପୁର: କଂଗ୍ରେସ ଆଶାକୁ ଧୂଳିସାତ କରି ସରକାର ଗଢ଼ିଲା ବିଜେପି 

ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ମଧ୍ୟ ପ୍ରତିଫଳିତ ହୋଇଛି ଗୋଆ ଘଟଣା । ୬୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୨୮ ଆସନରେ ବିଜୟୀ ହୋଇଥିଲା । ବିଜେପିକୁ ୨୧, ନାଗା ପିପୁଲ୍ସ ଫ୍ରଣ୍ଟକୁ ୪ ପାଇଥିଲେ । ଅନ୍ୟ ୭ଟି ଆସନରେ  ଅନ୍ୟ ଦଳ ବିଜୟୀ ହୋଇଥିଲେ । ଏଠାରେ ମଧ୍ୟ କଂଗ୍ରେସ ସରକାର ଗଢ଼ିବ ବୋଲି ଆଶା କରାଯାଉଥିଲା । ମାତ୍ର ବିଜେପି ଏଠାରେ ଅନ୍ୟ ଛୋଟଛୋଟ ଦଳ ସହ ମେଣ୍ଟ କରି କଂଗ୍ରେସକୁ ସରକାର ଗଠନ କରିବାରୁ କେବଳ ରୋକିବାରେ ସକ୍ଷମ ହୋଇ ନ ଥିଲା, ନିଜେ କ୍ଷମତାସୀନ ହୋଇପାରିଥିଲା । ୨୦୧୬ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଫୁଟବଲ ଖେଳାଳୀ ବୀରେନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରାଇଥିଲା ।

ମେଘାଳୟ: ମାତ୍ର ୨ ଆସନ ଜିତି ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ସରକାର 

ମେଘାଳୟ ବିଧାନସଭା ଆସନ ସଂଖ୍ୟା ୬୦ । କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଏଠାରେ ମିଳିଥିଲା ମାତ୍ର ୨ ଆସନ । କଂଗ୍ରେସକୁ ୨୧ ଆସନ ମିଳିଥିଲା । ମାତ୍ର କଂଗ୍ରେସ ନୁହେଁ, ମୋଦୀ-ଶାହାଙ୍କ ଚତୁର ରଣନୀତି ଯୋଗୁଁ ଏଠାରେ ଓଲଟି ଯାଇଥିଲା ଖେଳ । ମାତ୍ର ୨ ଆସନ ପାଇ ମଧ୍ୟ ବିଜେପି ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା। ମେଘାଳୟରେ ଏନପିପି (ନେସନାଲ ପିପୁଲ୍ସ ପାର୍ଟି) ୧୯, ବିଜେପି ୨, ୟୁଡ଼ିପି ୬, ଏଚଏସପିଡ଼ିପି ୨ ଓ ଅନ୍ୟ ଜଣେ ସ୍ବାଧୀନଙ୍କୁ ମିଶାଇ ୩୪ ଜଣିଆ ମେଣ୍ଟ ଗଢ଼ିଥିଲା ବିଜେପି । ସବୁଠୁ ଅଧିକ ଆସନ ପାଇଥିବା କଂଗ୍ରେସକୁ ବିରୋଧୀ ଦଳରେ ବସାଇ ବିଜେପି ସରକାର ଗଠନ କରିବାରେ ସକ୍ଷମ ହୋଇଥିଲା । ପୂର୍ବତନ ଲୋକସଭା ବାଚସ୍ପତି ପି.ଏ.ସାଙ୍ଗମାଙ୍କ ପୁଅ କୋନରାଡ଼ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

କର୍ଣ୍ଣାଟକ: ବିଜେପିକୁ ରୋକିବାରେ ସକ୍ଷମ ହୋଇପାରିଲା ନାହିଁ କଂଗ୍ରେସ

୨୦୧୮ କର୍ଣ୍ଣଟକ ବିଧାନସଭା ନିର୍ବାଚନରେ ବିଜେପି ୧୦୪ ଆସନ ପାଇଥିଲା । ସବୁଠୁ ବଡ଼ ଦଳ ଭାବରେ ଉଭା ହୋଇଥିଲା। ମାତ୍ର ସରକାର ଗଢ଼ିବା ପାଇଁ ଆଉ ୭ଜଣ ବିଧାୟକ ଯୋଗାଡ଼ କରି ପାରିନଥିଲା ଦଳ । ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ତ ନେଇଗଲେ, ହେଲେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବା ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଲା । ସେତେବେଳେ ବିଜେପିକୁ ରୋକିବା ପାଇଁ କଂଗ୍ରେସ (୭୮) ଓ ଜେଡ଼ିଏସ୍ (୪୦) ମେଣ୍ଟ କରିଥିଲେ ଓ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କେଇମାସ ପରେ ରାଜ୍ୟରେ ଆରମ୍ଭ ହୋଇଥିଲା ’ଅପରେସନ ଲୋଟସ’ ।  ବିଜେପିର ଅପରେସନ ଲୋଟସରେ କଂଗ୍ରେସ ଓ ଜେଡ଼ିଏସର ୧୭ ବିଧାୟକ ଇସ୍ତଫା ଦେଲେ । ପରେ ବିଜେପିରେ ସାମିଲ ହୋଇଗଲେ । ଜୁଲାଇ ୨୦୧୯ରେ କୁମାରସ୍ବାମୀ ସରକାର ଭାଙ୍ଗିଗଲା । ପୁଣିଥରେ ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ଭାବରେ ସରକାର ଗଠନ କଲେ ।

 ମଧ୍ୟପ୍ରଦେଶ: ଯୁବ ନେତାଙ୍କ ଉପେକ୍ଷା କଂଗ୍ରେସ ପାଇଁ ମହଙ୍ଗା ପଡ଼ିଲା, ବିଜେପି ଚାଲିଗଲେ ସିନ୍ଧିଆ 

୨୦୧୮ ବିଧାନସଭା ନିର୍ବାଚନରେ ୨୩୦ ଆସନରୁ ସର୍ବାଧିକ ଆସନ କଂଗ୍ରେସ ଦଖଲ କରିଥିଲା । ମାତ୍ର ବିଜେପି ବେଶ୍ ପଛରେ ନ ଥିଲା। ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯିବା ଯୋଗୁଁ ଦଳରେ ସୃଷ୍ଟି ହୋଇଥିଲା ଅସନ୍ତୋଷ ଓ ବିଜେପି ଏହାର ଭରପୁର ସୁଯୋଗ ଉଠାଇଥିଲା । ସିନ୍ଧିଆଙ୍କ ୨୨ ସମର୍ଥକ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳ ସଂଖ୍ୟାଗରିଷ୍ଠରୁ ସଂଖ୍ୟାଲଘୁ ହୋଇଗଲା ଏବଂ ସଂଖ୍ୟାଲଘୁ ବିଜେପି ପୁନର୍ବାର ସଂଖ୍ୟାଗରିଷ୍ଠ ପାଲଟିଗଲା । ଅବଶ୍ୟ ଏହି ସରକାର କେତେଦିନ ରହିବ ତାହା ଭବିଷ୍ୟତ ହିଁ କହିବ । ଆଗକୁ ଉପନିର୍ବାଚନ ହେବାକୁ ବାକି ଅଛି, ଯଦି ସମସ୍ତ ୨୨ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ କଂଗ୍ରେସ ଜିତିନିଏ ତେବେ ପୁଣିଥରେ ସଂଖ୍ୟା ଗରିଷ୍ଠତା ଫେରିପାଇବ । କିନ୍ତୁ ଏହା କେତେ ସମ୍ଭବ ହେବ ତାହା ଭବିଷ୍ୟତ ହିଁ କହିବ ।

ମହାରାଷ୍ଟ୍ରରେ ଫେଲ ମାରିଗଲା ବିଜେପି ରଣନୀତି 

୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିଲା । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ଯେଉଁ ଶିବସେନା ସହ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା ସେହି ଦଳ ଶେଷରେ ହାତ ଛାଡ଼ିଦେଲା । ମାତ୍ର ଅଜିତ୍ ପାୱାରଙ୍କ ଏନସିପିକୁ ନେଇ ରାତାରାତି ମୁଖ୍ୟମନ୍ତ୍ରୀ ରୂପେ ଦେବେନ୍ଦ୍ର ଫଡ଼ନାବିଶ୍ ଶପଥ ନେଲେ । ମାତ୍ର ଯେତେବେଳେ ଅଜିତ ପାୱାରଙ୍କ ଦାଦା ଶରଦ ପାୱାର ଲଢ଼େଇ ମଇଦାନକୁ ଓହ୍ଲାଇଲେ ସେତେବେଳେ ବଦଳିଗଲା ସ୍ଥିତି । ଶରଦ ପାୱାର ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରି ଏନସିପିକୁ ସମର୍ଥନ ଦେବାକୁ ରାଜି କରାଇଲେ । ମହାରାଷ୍ଟ୍ର ମହା ଅଘାଡ଼ିରେ ଏନସିପି-ଶିବସେନା-କଂଗ୍ରେସ ସାମିଲ ହୋଇ ସରକାର ଗଠନ କଲେ । ଏଠାରେ ବିଜେପିର ସବୁ ଖେଳ ବିଗିଡ଼ି ଗଲା । ତେବେ ଏବେ ମହାରାଷ୍ଟ୍ରରେ ମହା ଅଘାଡ଼ିରେ ସବୁକିଛି ଠିକ୍ ଚାଲିନାହିଁ। ଶିବସେନା-କଂଗ୍ରେସ ମଧ୍ୟରେ ଦୂରତା ବଢ଼ୁଛି । ମାତ୍ର ସବୁ ପ୍ରତିକୂଳ ପରିସ୍ଥିତିରେ ଏଠାରେ ସରକାର ସୁରକ୍ଷିତ ବୋଲି କୁହାଯାଇପାରେ । କାହିଁକି ନା ବିଜେପି ଏଠାରେ କୌଣସି ଦଳକୁ ଭାଙ୍ଗିବାକୁ ବଳ ପାଉନାହିଁ ।

Comments are closed.