ଜାତିସଂଘ ଶିଖର ସମ୍ମିଳନୀରେ ଯୋଗଦେବାକୁ ନ୍ୟୁୟର୍କରେ ପହଞ୍ଚିଲେ ମୋଦୀ, କାଲି ମିଳିବ ଗ୍ଲୋବାଲ ଗୋଲ୍‌କିପର ସମ୍ମାନ

ୱାଶିଂଟନ: ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହାଓଡି ମୋଦୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେବା ପରେ ସୋମବାର ନ୍ୟୁୟର୍କରେ ପହଞ୍ଚିଛନ୍ତି। ସେଠାରେ ମୋଦୀ ଜଳବାୟୁ ପରିବର୍ତ୍ତନ ଉପରେ ହେବାକୁ ଥିବା ଜାତିସଂଘ ମହାସଚିବଙ୍କ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ଏହାକୁ ସମ୍ବୋଧିତ କରିବେ। ଏହା ସହିତ ଆତଙ୍କବାଦ ପ୍ରସଙ୍ଗକୁ ନେଇ ମୋଦୀ ଅନେକ ଦେଶର ନେତାଙ୍କ ସହିତ ମଧ୍ୟ ଆଲୋଚନା କରିବେ। ଏହାପରେ ଆମେରିକା କଂଗ୍ରେସର ପ୍ରତିନିଧିମାନଙ୍କୁ ଭେଟିବେ। ୨୪ ତାରିଖରେ ମୋଦୀଙ୍କୁ ଗ୍ଲୋବାଲ ଗୋଲ୍‌କିପର ସମ୍ମାନ। ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ରହିଛନ୍ତି। ୨୪ ତାରିଖରେ ମୋଦୀ ଜାତିସଂଘ ସୁରକ୍ଷା ଗୋଷ୍ଠୀ ପକ୍ଷରୁ ଆୟୋଜିତ ମଧ୍ୟାହ୍ନଭୋଜନରେ ଯୋଗଦେବେ। ଏହାପରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗନେବେ। ଏହା ସହିତ ମୋଦୀଙ୍କୁ ଗେଟ୍‌ସ ଫାଉଣ୍ଡେଶନ ପକ୍ଷରୁ ଗ୍ଲୋବାଲ ଗୋଲ୍‌କିପର ସମ୍ମାନରେ ସମ୍ମାନିତ କରାଯିବ। ଏହି ଅବସରରେ ମୋଦୀ ବ୍ଲୁମବର୍ଗର ସିଇଓଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.