ରାଷ୍ଟ୍ରପତିଙ୍କୁ ରାଜନୀତିକୁ ଟାଣିଲେ ମୋଦି

0

ବାଗାଲକୋଟ(କର୍ଣ୍ଣାଟକ) : ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳିତ ପ୍ରସଙ୍ଗ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜନୀତିକୁ ଟାଣିଛନ୍ତି। ଏହାକୁ ନେଇ ସେ କଂଗ୍ରେସକୁ ଆକ୍ରମଣ କରିଛନ୍ତି। ଏଠାରେ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେବାବେଳେ ମୋଦି କହିଛନ୍ତି ଯେ କୋବିନ୍ଦ ଜଣେ ଦଳିତ। ତାଙ୍କୁ ରାଷ୍ଟ୍ରପତି କରାଯିବାବେଳେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି କିମ୍ବା କଂଗ୍ରେସ ଦଳ ଏହାକୁ ପସନ୍ଦ କରି ନଥିଲେ। ଏବେ ବି କୋବିନ୍ଦଙ୍କୁ ସୋନିଆ କିମ୍ବା ରାହୁଲ ପସନ୍ଦ କରୁ ନାହାନ୍ତି। କୋବିନ୍ଦ ଦଳିତ ବୋଲି ଏବେ ସେମାନେ ରାଷ୍ଟ୍ରପତି ପଦକୁ ମଧ୍ୟ ସମ୍ମାନ ଦେଉ ନାହାନ୍ତି। ଗୋଟିଏ ସାଧାରଣ ଗାଁରେ ବଢ଼ିଥିବା ଜଣେ ଦଳିତ ମା’ର ସନ୍ତାନକୁ ଆଣି ଆମେ ରାଷ୍ଟ୍ରପତି ପଦରେ ବସାଇଲୁ। ଅହଙ୍କାର ଚରମ ସୀମାରେ ପହଞ୍ଚିଥିବା କଂଗ୍ରେସ ନେତାମାନେ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ବର୍ଷେ ବିତିବାକୁ ବସିଲାଣି, ସାମାନ୍ୟ ଭଦ୍ରାମୀ ରକ୍ଷାକରି ସେମାନେ କୋବିନ୍ଦଙ୍କୁ ଫୋନ୍‌ କଲ୍‌ଟିଏ ବି କରି ନାହାନ୍ତି। ରାଷ୍ଟ୍ରପତି କୋବିନ୍ଦଙ୍କୁ ସୌଜନ୍ୟ ଦୃଷ୍ଟିରୁ ଭେଟିବା ପାଇଁ ମାଡାମ ସୋନିଆଙ୍କୁ ସମୟ ମିଳୁନି। ତାଙ୍କ ରାଜକୁମାରଙ୍କୁ ସାତ ମାସ ପରେ ଏଥିପାଇଁ ସମୟ ମିଳିଲା। ଏକ ସ୍ମାରକପତ୍ର ପ୍ରଦାନ ଆଳରେ ସେ ରାଷ୍ଟ୍ରପତିଙ୍କୁ ଭେଟିଲେ। ସୋନିଆ ଓ ରାହୁଏ ସବୁବେଳେ ଦଳିତଙ୍କ କଥା କହୁଛନ୍ତି; ହେଲେ ରାଷ୍ଟ୍ରପତି ପଦ ମର୍ଯ୍ୟାଦାକୁ ସମ୍ମାନ ଦେବା ଶିଖି ନାହାନ୍ତି ବୋଲି ମୋଦି କହିଛନ୍ତି। ଦୁଇ ଦିନ ହେଲା କର୍ଣ୍ଣାଟକରେ ମାରାଥନ୍‌ ପ୍ରଚାର ଚଳାଇଥିବା ମୋଦି ପୁନଶ୍ଚ କହିଛନ୍ତି କଂଗ୍ରେସ ‘ଦିଲ୍‌’ ବା ହୃଦୟର କଥା ବୁଝେ ନାହିଁ; ଦଳିତଙ୍କକଥା କେମିତି ବୁଝିବ। ଏହି ଦଳ କେବଳ ‘ଡିଲ୍‌’କୁ ବୁଝେ।

Leave A Reply