ଏଣିକି ଦ୍ରୁତ ଇଣ୍ଟରନେଟ୍‌ ସେବା ପାଇବେ ଆଣ୍ଡାମାନବାସୀ‌; ସବ୍‌ମେରାଇନ ଅପ୍ଟିକାଲ ଫାଇବର କେବୁଲ ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ଏଣିକି ଆଣ୍ଡାମାନ ନିକୋବର ଦ୍ବୀପରେ ରହୁଥିବା ଲୋକେ ସ୍ପିଡ୍‌ ଇଣ୍ଟରନେଟ୍‌ ସେବାର ମଜା ନେଇପାରିବେ। ଏଥିପାଇଁ ଚେନ୍ନାଇରୁ ସମୁଦ୍ର ତଳେ ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏହାକୁ ଉଦ୍‌ଘାଟନ କରିଛନ୍ତି। ଦେଢ଼ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ରରେ ସର୍ଭେ କରାଯାଇଥିଲା। ସମୁଦ୍ର ଗର୍ଭରେ କେବୁଲ ବିଛାଇବା ଏବଂ ତାହାର ଗୁଣାତ୍ମକ ରକ୍ଷଣାବେକ୍ଷଣ କରିବା ସହଜ ନ ଥିଲା। ବର୍ଷ ବର୍ଷ ଧରି ଏହାର ଆବଶ୍ୟକତା ରହିଥିଲା, କିନ୍ତୁ କାର୍ଯ୍ୟ ହୋଇପାରୁ ନ ଥିଲା। ଶେଷରେ ଏହା ସମ୍ପନ୍ନ ହୋଇଛି ଏବଂ ଏଣିକି ଆଣ୍ଡାମାନବାସୀ ଦ୍ରୁତ ଇଣ୍ଟରନେଟ୍‌ ସେବା ପାଇପାରିବେ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, କରୋନା ସଙ୍କଟ ବି କାମକୁ ଅଟକାଇ ପାରି ନାହିଁ। ଆଣ୍ଡାମାନ ସହିତ ଦେଶକୁ ଯୋଡ଼ିବା ଏବଂ ଯୋଗାଯୋଗ ସ୍ଥାପନ କରିବା ଦେଶର ଦାୟିତ୍ଵ ଥିଲା। ଦେଶର ସମସ୍ତ ନାଗରିକଙ୍କର ଦିଲ୍ଲୀ ଏବଂ ଦିଲ୍ଲୀଠାରୁ ଦୂରତା ଶେଷ କରାଯିବା ଏବଂ ପ୍ରତି ବ୍ୟକ୍ତି ପର୍ଯ୍ୟନ୍ତ ସୁବିଧା ପହଞ୍ଚାଇବା ଲାଗି ଆମେ ଉଦ୍ୟମ କରୁଛୁ। ଏହି ପ୍ରକଳ୍ପ ଦ୍ବାରା ଆଣ୍ଡାମାନର ଲୋକମାନଙ୍କୁ ଜୀବନ ନିର୍ବାହରେ ସୁବିଧା ମିଳିବ। ଏହା ସହିତ ଡିଜିଟାଲ ଇଣ୍ଡିଆର ଲାଭ ମିଳିବ। ସୂଚନାଯୋଗ୍ୟ, ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ଜରିଆରେ ଚେନ୍ନାଇରୁ ୨୩୦୦ କିଲୋମିଟର ଦୂର ପୋର୍ଟ ବ୍ଲେୟାର ପର୍ଯ୍ୟନ୍ତ ସମୁଦ୍ର ତଳେ କେବୁଲ ବିଛାଯାଇଛି।

 

Comments are closed.