କରତାରପୁର ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଲେ ମୋଦୀ

0

ହନୁମାନଗଡ଼: ଦୀର୍ଘ ଦିନ ଧରି ଦେଶରେ ଶାସନ କରିଥିଲେ ମଧ୍ୟ କଂଗ୍ରେସର ଦୂରଦୃଷ୍ଟିର ଅଭାବ ଯୋଗୁଁ ଆଜି କରତାରପୁର ପାକିସ୍ତାନରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି ।

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନର ଅନ୍ତିମ ପର୍ଯ୍ୟାୟରେ ହନୁମାନଗଡ଼ରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ନାନକଙ୍କ ପୀଠ ନେଇ କଂଗ୍ରେସର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।  କଂଗ୍ରେସ ଦଳର ନେତାମାନଙ୍କର ତ୍ରୁଟି ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ କରତାରପୁର ଭାରତ-ପାକିସ୍ତାନ ବିଭାଜନ ସମୟରେ ପାକିସ୍ତାନରେ ରହିଗଲା ବୋଲି ଅଭିଯୋଗ କରି ଶ୍ରୀ ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସ ଦଳର ଭୁଲ ଆମ ଭାଗ୍ୟ ନିର୍ଦ୍ଧାରଣ କଲା। କରତାରପୁର କରିଡ଼ର ନିର୍ମାଣ କାର୍ଯ୍ୟ ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଦଳ କରି ନ ଥିଲା। ଭାରତୀୟ ଜନତା ପାର୍ଟି କ୍ଷମତାସୀନ ହେବା ପରେ ଏହା ଆରମ୍ଭ ହେଲା ବୋଲି ଶ୍ରୀ ମୋଦୀ କହିଛନ୍ତି। କଂଗ୍ରେସ ଦଳର ଅପରିଣାମଦର୍ଶୀତା ଯୋଗୁ ଆଜି କତାରପୁର ପାକିସ୍ତାନରେ ରହିଛି ବୋଲି ଶ୍ରୀ ମୋଦୀ ଅଭିଯୋଗ କରିଛନ୍ତି। କରତାରପୁର କରିଡର ଶିଳାନ୍ୟାସ କାର୍ଯ୍ୟକ୍ରମରେ ପଞ୍ଜାବ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ ଯୋଗ ଦେବା ନେଇ ପଞ୍ଜାବ ବିଶେଷ କରି କଂଗ୍ରେସ ରାଜନୀତି ମଧ୍ୟ ସରଗରମ୍ ହୋଇ ଉଠିଛି।

ଅନ୍ୟପକ୍ଷରେ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ କମ୍ ସମୟ ବାକି ଥିବା ବେଳେ ପ୍ରଚାର କାର୍ଯ୍ୟ ସରଗରମ ହୋଇଉଠିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଜୟପୁର, ହନୁମାନଗଡ଼, ଏବଂ ଶିକର ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେପି ସଭାପତି ଅମିତ ଶାହା, ଦଳର ବରିଷ୍ଠ ନେତା ରାଜନାଥ ସିଂ, ନୀତିନ ଗଡ଼କରୀ, ସ୍ମୃତି ଇରାନୀ, ରାଜ୍ୟବର୍ଦ୍ଧନ ରାଠୋର, ଯୋଗୀ ଆଦିତ୍ୟନାଥ ଏବଂ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜ୍ୟରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‍, ସଚିନ ପାଇଲଟ୍‍, ଅହମ୍ମଦ ପଟେଲ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ କଂଗ୍ରେସ ପାଇଁ ପ୍ରଚାର କାର୍ଯ୍ୟର ନେତୃତ୍ୱ ନେଇଛନ୍ତି।

ତେଲଙ୍ଗାନାରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତା ଶୁକ୍ରବାର ଦିନ ଏହି ଦୁଇଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ଆସନ୍ତା ୧୧ ତାରିଖରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମ ସହିତ ଏହି ଦୁଇ ରାଜ୍ୟର ଭୋଟ ଗଣନା କରାଯାଇ ଫଳାଫଳ ପ୍ରକାଶ କରାଯିବ।

Leave A Reply