ବାଲେଶ୍ଵରରେ ମୋଦୀଙ୍କ ଆହ୍ବାନ; ବିଜେପିକୁ ୫ବର୍ଷ ସୁଯୋଗ ଦିଅ, ୫ଗୁଣା ଅଧିକ କାମ କରି ଦେଖାଇବୁ

ବାଲେଶ୍ଵର: ଭ୍ରଷ୍ଟାଚାର ଭଳି ଦାନବ ଓଡ଼ିଶା ଲୋକଙ୍କୁ ଗରିବ କରି ରଖିଛି। ବିଜେଡି ଭ୍ରଷ୍ଟାଚାରୀ ଦାନବକୁ ଦାନାପାଣି ଯୋଗାଉଛି। ବିଜେଡି ନେତା ଖଣିଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ ପର୍ଯ୍ୟନ୍ତ ଭ୍ରଷ୍ଟାଚାରରେ ସମ୍ପୃକ୍ତ ରହିଛନ୍ତି। ଚିଟ୍‌ଫଣ୍ଡ ଯୋଗୁ ବାଲେଶ୍ଵର ଜନତା ତଳିତଳାନ୍ତ ହୋଇଛନ୍ତି। ଲୋକଙ୍କ ଟଙ୍କା ଲୁଟିଥିବା ଦୋଷୀକୁ କ୍ଷମା କରାଯିବ ନାହିଁ। ଓଡ଼ିଶାକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଡବଲ ଇଞ୍ଜିନ ଦରକାର। ବିଜେପିକୁ ୫ବର୍ଷ ସୁଯୋଗ ଦିଅ। ୫ ଗୁଣା ଅଧିକ କାମ କରି ଦେଖାଇବୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ମୋଦୀ ବାଲେଶ୍ଵର ଜିଲାର ବସ୍ତାଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ ଏହା କହିଛନ୍ତି।

ମୋଦୀ ଉଦବୋଧନ ଦେଇ କହିଲେ, ଦେଶ ପ୍ରତି ବାଲେଶ୍ଵରର ବହୁ ଅବଦାନ ରହିଛି। ୩ବର୍ଷ ତଳେ ଆସିଥିଲି। ପରିବର୍ତ୍ତନ ପାଇଁ ବାଲେଶ୍ଵରର ବ୍ୟଗ୍ରତା ଦେଖିଥିଲି। ଓଡ଼ିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି। ପ୍ରଥମ ୨ଟି ପର୍ଯ୍ୟାୟ ମତଦାନ ପରେ ଏକଥା ସ୍ପଷ୍ଟ ହୋଇଛି। ସାରା ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି। ଲୋକତନ୍ତ୍ରର ଶକ୍ତିକୁ ଏଠାକାର ସରକାର ବୁଝିପାରିଲେଣି। ଶାସନତନ୍ତ୍ରକୁ ଜାବୁଡ଼ି ଧରିଥିବା ମୁଖ୍ୟମନ୍ତ୍ରୀ ଏବଂ କିଛି ଅଫିସରଙ୍କ ନିଜ ଉଡିଲାଣି। ଏଠାକାର ଲୋକ ଜାଣିଲେଣି କଛପ ଗତିରେ ବିକାଶ ଚାଲିବନି।

ମୋଦୀ ଆହୁରି କହିଥିଲେ ଯେ, କିଛିଦିନ ତଳେ ବାଲେଶ୍ଵରର ନାଁ ଇତିହାସରେ ଲିପିବଦ୍ଧ ହୋଇଛି। ମିଶନ ଶକ୍ତି ସଫଳତା ବାଲେଶ୍ଵରକୁ ଗୌରବାନ୍ବିତ କରିଛି। ମାତ୍ର ୩ ମିନିଟରେ ଶତ୍ରୁ ପକ୍ଷର ସାଟେଲାଇଟ୍‌ ଧ୍ଵଂସ କରାଯାଇଛି। ଏପରି ପାରଦର୍ଶିତା ଲାଭ କରିବାରେ ଭାରତ ବିଶ୍ଵର ୪ର୍ଥ ଦେଶ ହୋଇପାରିଛି। ଭାରତ ବର୍ତ୍ତମାନ ଜଳ, ସ୍ଥଳ, ଆକା ଏବଂ ମହାକାଷର ସୁପର ପାୱାର ହୋଇଛି। ଏହି ସଫଳତା ଦେଶବାସୀଙ୍କୁ ଗର୍ବିତ କରିଛି। କିନ୍ତୁ କ୍ଷମତା ପାଇଁ ଅନ୍ଧ ଥିବା ମହାଅସାଧୁମେଣ୍ଟଙ୍କୁ ଏହା ଖୁସି ଦେଇପାରିନି। ଏହାକୁ ଗୁପ୍ତ ରଖିବାକୁ ମହାଅସାଧୁମେଣ୍ଟ ଚାହୁଁଥିଲା। ବାଲେଶ୍ଵରର ଏ ପରାକ୍ରମକୁ ଲୁଚେଇ ରଖିବା ଉଚିତ କି ବୋଲି ମୋଦୀ ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ, ବର୍ତ୍ତମାନ କ୍ଷେପଣାସ୍ତ୍ରଠାରୁ ମୋବାଇଲ ପର୍ଯ୍ୟନ୍ତ ସବୁକିଛି ସାଟେଲାଇଟରେ ଚାଲୁଛି। ଶତ୍ରୁପକ୍ଷ ସାଟେଲାଇଟକୁ ଆକ୍ରମଣ କରିଥିଲେ ସବୁ ଠପ୍‌ ହୋଇଯାଇଥାନ୍ତା। ଏବେ ଆମ ସାଟେଲାଇଟକୁ କେହି ଆକ୍ରମଣ କରିବା ପୂର୍ବରୁ ଶହେଥର ଭାବିବ। ବାଲେଶ୍ଵରରେ ଆମ ପ୍ରତିଆକ୍ରମଣ କ୍ଷେପଣାସ୍ତ୍ର ସଜାଗ ରହିଛି।

Comments are closed.