ଆନ୍ଦୋଳନଜୀବୀଙ୍କ ଉପରେ ପୁଣି ବର୍ଷିଲେ ମୋଦୀ

ମହେଶ ଶର୍ମା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଆଜି ସଂସଦରେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ ସେ ପ୍ରାୟ ଦେଢ଼ ଘଣ୍ଟା ଧରି ଭାଷଣ ଦେଇଥିଲେ। ତେବେ ମୋଦୀଙ୍କ ଭାଷଣରେ କିଛି ନୂଆ ନ ଥିଲା, କିନ୍ତୁ ତାହା ବିରୋଧୀଙ୍କ ଉପରେ ଭାରି ପଡ଼ିଥିଲା। ବିରୋଧୀଙ୍କୁ କଟାକ୍ଷ କରି ଆନ୍ଦୋଳନଜୀବୀର ଆଖ୍ୟା ଦେଇ ପୁଣି ବର୍ଷିଥିଲେ ପ୍ରଧାନମନ୍ତ୍ରୀ।

କୃଷକମାନଙ୍କୁ ଆଶା ଥିଲା ଯେ ପ୍ରଧାନମନ୍ତ୍ରୀ ଆଜି ସେମାନଙ୍କ ହିତ କଥା କହିବେ। କୃଷି ଆଇନ ପ୍ରତ୍ୟାହାର ନେଇ କିଛି କହିବେ, କିନ୍ତୁ ସେଭଳି ହେଲା ନାହିଁ। ତଥାପି ମୋଦୀ ବିରୋଧୀ ଏବଂ କୃଷକ ଆନ୍ଦୋଳନଜୀବୀଙ୍କୁ ସମାଲୋଚନା କରିବାରେ କୌଣସି ଅବହେଳା କରି ନ ଥିଲେ। ଭାଷଣ ଦେବା ସମୟରେ ସେ କଂଗ୍ରେସ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା ବେଳେ ଭୂମିହୀନ କୃଷକଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ମୋଦୀ କହିଥିଲେ, କଂଗ୍ରେସର ଏଭଳି ସ୍ଥିତି ହୋଇଗଲା ଯେ, ରାଜ୍ୟ ସଭାରେ ସେମାନେ ଗୋଟିଏ ପଟେ ଚାଲିଥିବାବେଳେ ଲୋକ ସଭା ଅନ୍ୟ ପଟେ ଚାଲିଛନ୍ତି। ଆନ୍ଦୋଳନଜୀବୀମାନଙ୍କୁ କଡ଼ା ଜବାବ ଦେଇ କହିଥିଲେ, ବିପକ୍ଷଙ୍କ ବ୍ୟବହାର ଏପରି ହୋଇଗଲାଣି ଯେ, ସେମାନେ ନା ଖେଳିବୁ, ନା ଖେଳିବାକୁ ଦେବେ, କେବଳ ଖେଳ ବିଗାଡ଼ିବେ।

କୃଷି ଆଇନ ଉପରେ ମୋଦୀଙ୍କ ମନ୍ତବ୍ୟ ସ୍ପଷ୍ଟ ଥିଲା ଯେ, ଯଦି ଆଇନରେ କିଛି ତ୍ରୁଟି ରହିଛି, ତେବେ ଆଇନ ବଦଳାଇବାରେ କୌଣସି ସମସ୍ୟା ନାହିଁ। ଅନେକ ଆଲୋଚନା ପରେ ବି କୃଷି ଆଇନ ଉପରେ ଆପତ୍ତି ସ୍ପଷ୍ଟ ହୋଇପାରୁ ନାହିଁ। ଆନ୍ଦୋଳନକାରୀମାନଙ୍କ ପ୍ରତି ଗୃହ ଏବଂ ସରକାର ଆଦରତା ରଖନ୍ତି, କିନ୍ତୁ ଏହି ପବିତ୍ର କୃଷକ ଆନ୍ଦୋଳନର ଲଗାମ ଆନ୍ଦୋଳନଜୀବୀମାନଙ୍କ ହାତରେ ରହିଛି। ଟୋଲ ପ୍ଲାଜା ଚଳାଇ ନ ଦେବା, ଟେଲିକମ୍‌ ଟାୱାର ଭାଙ୍ଗିଦେବା, ଏସବୁ କୃଷକ ଆନ୍ଦୋଳନ ! ପ୍ରକୃତରେ ଆନ୍ଦୋଳନଜୀବୀମାନଙ୍କଠାରୁ ଦେଶକୁ ସୁରକ୍ଷା ଦେବା ଜରୁରୀ ବୋଲି ମୋଦୀ କହିଥିଲେ।

ସମ୍ପୂର୍ଣ୍ଣ ଭାଷଣ ସମୟରେ କଂଗ୍ରେସ ମୋଦୀଙ୍କ ଟାର୍ଗେଟରେ ରହିଥିଲା। ୟୁପିଏ ସରକାରରେ କୃଷି ମନ୍ତ୍ରୀ ଶରଦ ପୱାରଙ୍କ କଥାକୁ ବି ଗୃହରେ ମନେପକାଇ ମୋଦୀ ତତ୍କାଳୀନ ୟୁପିଏ ସରକାରଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସକୁ କନ୍‌ଫ୍ୟୁଜ୍‌ଡ ପାର୍ଟି କହି ମୋଦୀ କହିଥିଲେ, ଏହି ଦଳ ନା ଦେଶର ମଙ୍ଗଳ କରିପାରିବ ନା ନିଜର ମଙ୍ଗଳ କରିପାରିବ। ମୋଦୀଙ୍କ ଏହି ମନ୍ତବ୍ୟରେ କଂଗ୍ରେସ ସାଂସଦମାନେ ଗୃହରୁ ଉଠି ଚାଲିଯାଇଥିଲେ। ମୋଦୀଙ୍କ ଭାଷଣ ସମୟରେ ୮ ଥର ଗୃହରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଯେତେବେଳେ ୬ଷ୍ଠ ଥର ହଙ୍ଗାମା ହେଲା, ସେତେବେଳେ ମୋଦୀ କହିଥିଲେ ଏସବୁ କିଛି ଅଧିକ ହେଉଛି।

କୃଷକମାନଙ୍କ ଆନ୍ଦୋଳନକୁ ପବିତ୍ର ବୋଲି ଦର୍ଶାଇ ମୋଦୀ ଭାଷଣରେ ପୁଣି ଥରେ ଆଲୋଚନା ପାଇଁ ଚାଷୀମାନଙ୍କୁ ଆମନ୍ତ୍ରିତ କରିଥିଲେ। ତେବେ ବିରୋଧୀମାନେ ଆଶା କରିଥିଲେ ଯେ ମୋଦୀ କିଛି ଠୋସ୍‌ କଥା କହିବେ, କିନ୍ତୁ ସେପରି ହେଲାନାହିଁ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପୂର୍ବରୁ ଥିଲା, ଆଗକୁ ବି ରହିବ। କୃଷକଙ୍କ ଦାବି ଯେ ଏମଏସପିକୁ ଆଇନ ଅଧୀନକୁ ଅଣାଯାଉ। କିନ୍ତୁ ମୋଦୀ ଏହା ଉପରେ ଚୁପ ରହିଥିଲେ। ସେ କହିଥିଲେ, ୟୁପିଏ ସରକାରଙ୍କ ପ୍ରସ୍ତାବିତ ପରିବର୍ତ୍ତନକୁ ହିଁ ଆଇନରେ ପ୍ରସ୍ତୁତ କରାଯାଇଛି। କୁହାଯାଉଛି ଯେ, ରାଜ୍ୟଗୁଡ଼ିକ ଏହି ଆଇନକୁ ନିଜ ହିସାବରେ କାର୍ଯ୍ୟକାରୀ କରିବାର ସ୍ବାଧୀନତା ନାହିଁ। କୃଷକମାନଙ୍କ ପାଇଁ ଏମଏସପି ଉପରେ ବି ମୋଦୀଙ୍କ ନୀରବତା ଚିନ୍ତାରେ ପକାଇଛି। ସେ କହିଥିଲେ ଯେ, ବିରୋଧୀ ବିକାଶ ପ୍ରସଙ୍ଗରେ ଆଲୋଚନା କରେନାହିଁ।

ମୋଦୀ ସାଂସଦମାନଙ୍କ ହଙ୍ଗାମା ମଧ୍ୟରେ ସ୍ପଷ୍ଟ ଭାବେ କହିଥିଲେ ଯେ, ଅଧ୍ୟାଦେଶରୁ ଆଇନ ଲାଗୁ ହେଲା, ତା’ ପରେ ସଂସଦକୁ ଅଣାଗଲା। ଆଇନ ଲାଗୁ ହେବା ପରେ ଦେଶରେ ମଣ୍ଡି ବନ୍ଦ ହୋଇନାହିଁ କି ଏମଏସପି ବି ବନ୍ଦ ହୋଇନାହିଁ। ଏସବୁ ଏକ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ଆଧାରରେ ମିଥ୍ୟା ପ୍ରଚାର କରାଯାଉଛି। କୌଣସି ଆଇନର ବିରୋଧ ସେତେବେଳେ ଗୁରୁତ୍ଵ ବହନ କରେ, ଯେତେବେଳେ ତାହା ଅନିବାର୍ଯ୍ୟ ହୋଇଥାଏ। ଏହା ତ ସ୍ବଇଚ୍ଛା ଉପରେ ଆଧାରିତ। ଯେଉଁଠି ଅଧିକ ଲାଭ ମିଳିବ କୃଷକ ସେଠାକୁ ଯିବେ। ଚାଷ ସମାଜ ଏବଂ ସଂସ୍କୃତିର ଅଂଶ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Comments are closed.